ଓଡ଼ିଶାରେ ସିପାହୀ ବିଦ୍ରୋହର ଝଲକ

 

 

 

 

 

 

 

 

 

 

ଓଡ଼ିଶାରେ ସିପାହୀ ବିଦ୍ରୋହର ଝଲକ

ପଣ୍ଡିତ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ

 

ପ୍ରଥମ ସଂସ୍କରଣର ଭୂମିକା ପଦେ

 

ସିପାହୀ ବିଦ୍ରୋହର ପ୍ରଭାବ ସମଗ୍ର ଓଡ଼ିଶାରେ ପଡ଼ି ନ ଥିଲେ ମଧ୍ୟ ପଶ୍ଚିମ ଓ ଉତ୍ତର ଅଂଶରେ ଯେ ପ୍ରାୟ ପାଞ୍ଚବର୍ଷ ପର୍ଯ୍ୟନ୍ତ ଇଂରେଜ ଶାସକମାନଙ୍କ ବିରୁଦ୍ଧରେ ସଂଘର୍ଷ ଲାଗି ରହିଥିଲା ଏହା କିଛି କମ୍‌ ଗୌରବର ବିଷୟ ନୁହେଁ ।

 

୧୮୬୨ ବେଳକୁ ଭାରତର ଅନ୍ୟାନ୍ୟ ସ୍ଥାନରେ ବିଦ୍ରୋହର କୌଣସି ଚିହ୍ନ ଥିବା ଦେଖାଯାଏ ନାହିଁ; କିନ୍ତୁ ଓଡ଼ିଶାରେ ସୁରେନ୍ଦ୍ର ସାଏ ଭାରତର ଅନ୍ୟାନ୍ୟ ସ୍ଥାନରୁ କୌଣସି ପ୍ରକାର ସାହାଯ୍ୟ ନ ପାଇ ମଧ୍ୟ ଦୀର୍ଘ ପାଞ୍ଚ ବର୍ଷକାଳ ଇଂରେଜ ଶକ୍ତି ବିରୁଦ୍ଧରେ ଲଢ଼େଇ କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସୁରେନ୍ଦ୍ରଙ୍କ ବିଦ୍ରୋହ ଏକ ଉଜ୍ଜ୍ୱଳମୟ ପରିଚ୍ଛେଦ ହୋଇ ରହିଥିବ । କିନ୍ତୁ ଅତି ଦୁଃଖର କଥା, ଏ ପର୍ଯ୍ୟନ୍ତ ସିପାହୀ ବିଦ୍ରୋହର ଇତିହାସରେ ଏହି ଘଟଣା ବିଶେଷ ଭାବରେ ସ୍ଥାନ ପାଇନାହିଁ ।

 

କୋଡ଼ିଏ ବର୍ଷ ହେଲା ସୁରେନ୍ଦ୍ରଙ୍କ ବିଦ୍ରୋହ ସମ୍ବନ୍ଧରେ ମୁଁ ଓଡ଼ିଶା ଓ ଓଡ଼ିଶା ବାହାରର କେତେକ ସ୍ଥାନରୁ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ପ୍ରକାଶିତ ଅପ୍ରକାଶିତ କାଗଜପତ୍ର, ବିଶ୍ୱାସ ଯୋଗ୍ୟ କିମ୍ବଦନ୍ତୀ ଓ ବହୁ ଗ୍ରନ୍ଥ ସାହାଯ୍ୟରେ ଏହି କ୍ଷୁଦ୍ର ବହିଟି ଲେଖାହୋଇଛି । ତଥ୍ୟ ଉପରେହିଁ ବିଶେଷ ଭାବରେ ନିର୍ଭର କରାଯାଇଛି । ଏହା ସତ୍ତ୍ୱେ ସୁରେନ୍ଦ୍ରଙ୍କ ସମ୍ବନ୍ଧରେ ବିଶେଷ କିଛି କରିପାରିଛି ବୋଲି ମୋର ମନେ ହେଉନାହିଁ । ନୂତନ ତଥ୍ୟ ସଂଗ୍ରହର ଯତ୍ନ କରୁଛି ।

 

ଏହି ଗ୍ରନ୍ଥର ବହୁତ ଅଂଶ ‘‘ସମାଜ’’ରେ ପ୍ରକାଶିତ ହୋଇଥିଲା । ଏଥିପାଇଁ ‘‘ସମାଜ’’ କର୍ତ୍ତୃପକ୍ଷଙ୍କ ନିକଟରେ ମୁଁ କୃତଜ୍ଞ ।

 

ସୂର୍ଯ୍ୟନାରାୟଣ ଦାଶ

☆☆☆

 

ଦ୍ୱିତୀୟ ସଂସ୍କରଣ

 

ଏହି ସଂସ୍କରଣରେ କେତେଗୁଡ଼ିଏ ନୂତନ ତଥ୍ୟ ଦିଆଯାଇଛି । ପୁରୀର ହଜୁରୀ ଶ୍ରୀଚନ୍ଦନ ଖୁଣ୍ଟିଆ (ଡାକନାମ—ଚାଖି ଖୁଣ୍ଟିଆ) ଓ କଟକ ଜିଲା ଅନ୍ତର୍ଗତ ବାଲିଆର ଜମିଦାର ରାମକୃଷ୍ଣ ସାମନ୍ତସିଂହାରଙ୍କୁ ସିପାହୀ ବିଦ୍ରୋହ ସହିତ ସଂପୃକ୍ତ ଥିଲେ ବୋଲି ଅଭିଯୋଗ କରି ସରକାର ଦଣ୍ଡ ଦେଇଥିଲେ । ବିଦ୍ରୋହ ସମୟରେ ସରକାରୀ ଖଜଣା ଦାଖଲ କରିବାରେ ଅବହେଳା କରିଥିବାରୁ ସେ ବିଦ୍ରୋହୀ ହୋଇ ଯାଇଥିବା ଅନୁମାନ କରି ସରକାର ତାଙ୍କୁ ଫାଶି ଦେଇଥିଲେ । ଖୁଣ୍ଟିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ ହୋଇଥିଲା । ବିଦ୍ରୋହ ଅବସାନର କେତେବର୍ଷ ପରେ ସେ ସମ୍ପତ୍ତି ଫେରସ୍ତ ପାଇଥିଲେ । ଏମାନଙ୍କ ସମ୍ବନ୍ଧରେ ବିଶେଷ ତଥ୍ୟ ମିଳିନାହିଁ । ଏମାନଙ୍କ ବିଷୟ ସ୍ୱତନ୍ତ୍ର ଭାବରେ ପ୍ରକାଶିତ ହେବ ।

 

ବନ୍ଧୁ ଶ୍ରୀ ଭବାନୀଚରଣ ପଟ୍ଟନାୟକ, ଏମ୍‌. ପି. ଏହି ପୁସ୍ତକଟି ପୁନର୍ବାର ପ୍ରକାଶ କରିବା ଦିଗରେ ବିଶେଷ ଉତ୍ସାହ ଦେଇଥିବାରୁ ତାଙ୍କଠାରେ ମୁଁ କୃତଜ୍ଞ ।

 

ଲେଖକ

୧୯୬୩ ଅପ୍ରେଲ

☆☆☆

 

ପ୍ରଥମ ଅଧ୍ୟାୟ

ଭାରତରେ ସିପାହୀ ବିଦ୍ରୋହ

 

(୧) ଲର୍ଡ଼ ଡେଲ୍‌ହାଉସି ଭାରତକୁ ବଡ଼ଲାଟ ହୋଇ ଆସିବାପରେ ଭାରତରେ ଇଂରେଜ ଶାସନର କ୍ଷମତା ଓ ପରିସର ବୃଦ୍ଧି କରିବା ପାଇଁ ଚେଷ୍ଟା କରିଥିଲେ । ସେତେବେଳେ ଭାରତର ବିଭିନ୍ନ ସ୍ଥାନରେ ଦ୍ୱୀପ ଭଳି ଛୋଟବଡ଼ ହୋଇ ପ୍ରାୟ ୭୦୦ଦେଶୀୟ ରାଜ୍ୟ ଥିଲା । ଏଗୁଡ଼ିକ ଦେଶୀୟ ରାଜାମାନଙ୍କଦ୍ୱାରା ଶାସିତ ହେଉଥିଲା । ଇଂରେଜଶାସନର ଶକ୍ତି ବୃଦ୍ଧି କରିବାରେ ଏଗୁଡ଼ିକ ଏକ ଅନ୍ତରାୟ ମନେକରି ଡେଲ୍‌ହାଉସି କ୍ରମେ ଏଗୁଡ଼ିକୁ ଲୋପ କରିବାର ଉଦ୍ୟମ କଲେ-। ପୋଷ୍ୟପୁତ୍ର ଗ୍ରହଣରେ ସରକାରଙ୍କର ଅନୁମୋଦନ ଆବଶ୍ୟକ ଥିବା ଦର୍ଶାଇ କେତେକ ଅପୁତ୍ରିତ ରାଜାଙ୍କ ମୃତ୍ୟୁପରେ ପୋଷ୍ୟପୁତ୍ର ଗ୍ରହଣର ଅନୁମତି ସରକାର ଦେଲେନାହିଁ । ଫଳରେ ସେହି ଦେଶୀୟ ରାଜ୍ୟଗୁଡ଼ିକ ଖାସ୍‌ ହେଲା । ବର୍ମା, ନାଗପୁର, ରାଜପୁତନାର ଜୟପୁର, ସମ୍ବଲପୁର ପ୍ରଭୃତି ରାଜ୍ୟ ଏହିପରି ଭାବରେ ଖାସ୍‌ ହେଲା ।

 

ପୁଣି ବିଦ୍ରୋହୀ ରାଜାମାନଙ୍କର ରାଜ୍ୟ ମଧ୍ୟ ଖାସ୍‌ ହେଲା । ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗରେ କେତେକ ଦେଶୀୟ ରାଜାଙ୍କଠାରୁ ମଧ୍ୟ ରାଜ୍ୟ ଛଡ଼ାଇ ନିଆଗଲା ।

 

ଏହାଛଡ଼ା ଯେଉଁମାନେ ରାଜ୍ୟ ନଥାଇ କେବଳ ରାଜା ଉପାଧି ପାଇଥିଲେ ସେମାନଙ୍କ ଉପାଧି ଲୋପ କରିବା ଉଚିତ ବୋଲି ଡେଲ୍‍ହାଉସି ମନେ କରିଥିଲେ । କର୍ଣ୍ଣାଟର ନବାବ, ତାଞ୍ଜୋର ରାଜା, ପେଶବା ପ୍ରଭୃତି ପଦବୀ ରାଜାମାନଙ୍କ ମୃତ୍ୟୁପରେ ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ସରକାର ଦେଇନଥିଲେ ।

 

ଏହାଦ୍ୱାରା ଦେଶୀୟ ରାଜ୍ୟମାନଙ୍କରେ ଆତଙ୍କ ସୃଷ୍ଟି ହୋଇଥିଲା ।

 

ବଡ଼ଲାଟଙ୍କ ଦେଶୀୟରାଜ୍ୟ ନୀତି ଟିକିଏ କଠୋର ମଧ୍ୟ ହୋଇଥିଲା । ଦିଲ୍ଲୀର ପ୍ରାଚୀନ ବାଦଶାହ ବଂଶର ବାହାଦୂରଶାହ (ଦ୍ୱିତୀୟ)ଙ୍କୁ ଦିଲ୍ଲୀରୁ ବାହାରିଯାଇ କୁତବ୍‌ମିନାରଠାରେ ଅବସ୍ଥାନ କରିବାପାଇଁ ହୁକୁମ୍‌ ହୋଇଥିଲା । ଅଯୋଧ୍ୟା ରାଜ୍ୟକୁ ମଧ୍ୟ ଖାସ୍‌ କରାଗଲା । ଭୂତପୂର୍ବ ମରହଟ୍ଟାରାଜା ପେଶବା ବାଜିରାଓ (୨ୟ) ସରକାରଙ୍କଠାରୁ ଯେଉଁ ରାଜନୈତିକ ଭତ୍ତା ପାଉଥିଲେ ତାଙ୍କ ମୃତ୍ୟୁପରେ ତାହା ତାଙ୍କର ପୋଷ୍ୟପୁତ୍ର ନାନା ସାହେବଙ୍କ ସରକାର ଦେବାକୁ ମନା କରିଦେଲେ । ଏହାଦ୍ୱାରା ରାଜାମାନେ ନିଜ ନିଜର ରାଜଗିରୀର ଅସ୍ତିତ୍ୱ ରହିବା ସମ୍ବନ୍ଧରେ ଆଶଙ୍କା ପ୍ରକାଶ କଲେ ଏବଂ ଭବିଷ୍ୟତରେ ସେମାନଙ୍କ ମସ୍ତକ ଉପରେ ହଠାତ୍ ବଜ୍ର ପଡ଼ିବ, ଏହି ଆଶଙ୍କାକରି ସେମାନେ ଅଶାନ୍ତିରେ କାଳ କାଟିବାକୁ ଲାଗିଲେ ।

 

ବଡ଼ଲାଟ ଡେଲହାଉସୀଙ୍କ ଦେଶୀୟ ରାଜ୍ୟ ଲୋପ ନୀତି ଯୋଗୁ କେତେକ ଦେଶୀୟ ରାଜ୍ୟର ରାଜା ଇଂରେଜ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ । ବିଶେଷତଃ ଯେଉଁମାନଙ୍କର କ୍ଷତି ହେଲା ସେମାନେ ସରକାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ମଧ୍ୟ ଚଳାଇଲେ । ଅଯୋଧ୍ୟାର ନବାବଙ୍କ ଭୂତପୂର୍ବ ପରାମର୍ଶଦାତା ଅହମଦୁଲ୍ଲା, ପେଶବାଙ୍କ ପୋଷ୍ୟପୁତ୍ର ନାନାସାହେବ, ଝାନ୍‌ସୀର ରାଣୀ, ଦିଲ୍ଲୀର ଅଜିମୁଲ୍ଲାଖାଁ ପ୍ରଭୃତି ଏଥିରେ ଲିପ୍ତ ଥିଲେ ।

 

(୨) ଅର୍ଥନୈତିକ ଦିଗରୁ ମଧ୍ୟ କେତେକ ଲୋକ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ । ସରକାର ଯେଉଁ ସବୁ ରାଜ୍ୟ ଓ ଜାଗିରି ଖାସ୍‍କରି ଦେଇଥିଲେ ସେହି ଅଞ୍ଚଳମାନଙ୍କରେ ଯେଉଁମାନେ ଚାକିରି କରି ଜୀବନ ନିର୍ବାହ କରୁଥିଲେ ସେମାନେ ବେକାର ହୋଇଯିବାରୁ ବହୁ ଦୁଃଖରେ ଚଳୁଥିଲେ । ନିଷ୍କରବାହେଲି ସମ୍ପତ୍ତି ବାଜ୍ୟାପ୍ତ କରି ସରକାର ବହୁତ ଲୋକଙ୍କୁ ଆର୍ଥିକ ଦୁର୍ଗତିରେ ପକାଇଥିଲେ । ଖ୍ରୀ: ୧୮୫୨ରେ କେବଳ ବମ୍ବେ ପ୍ରଦେଶରେ ସରକାର ୨୦,୦୦୦ (କୋଡ଼ିଏ ହଜାର) ଇନାମ ଖାସ୍‌ କରିଦେଇଥିଲେ । ଅଯୋଧ୍ୟାର ନବାବଙ୍କ ଅମଳରେ ଯେଉଁମାନେ ବୃତ୍ତ ଭୋଗ କରୁଥିଲେ ସେମାନଙ୍କର ବୃତ୍ତ ସରକାର ବନ୍ଦ କରିଦେବାରୁ ସେମାନେ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ରହିଥିଲେ ।

 

(୩) ସାମାଜିକ କ୍ଷେତ୍ରରେ ବିଧବା ବିବାହର ପ୍ରଚଳନ, ସତୀଦାହର ବନ୍ଦ ପ୍ରଭୃତି କେତେକ ନୂତନ ସଂସ୍କାର ଯୋଗୁ ପ୍ରାଚୀନପନ୍ଥୀ ହିନ୍ଦୁମାନେ ସରକାରଙ୍କ ପ୍ରତି ମଧ୍ୟ ସନ୍ତୁଷ୍ଟ ନ ଥିଲେ ।

 

(୪) ଏହି ସମୟରେ ହିନ୍ଦୁ ଓ ମୁସଲମାନ ସିପାହୀମାନଙ୍କ ମନରେ ମଧ୍ୟ ସନ୍ତୋଷ ନ ଥିଲା । ଏହି ସମୟରେ ଇଂରେଜ ସରକାର ଭାରତ ବାହାରେ କ୍ରିମିଆ, ପାରସ୍ୟ, ଚୀନ ପ୍ରଭୃତି ସ୍ଥାନରେ ଯୁଦ୍ଧରେ ଲିପ୍ତ ଥିଲେ । ଏହି ସ୍ଥାନମାନଙ୍କୁ ଭାରତରୁ ଦେଶୀୟ ସୈନ୍ୟମାନଙ୍କୁ ପଠାଇବା ପାଇଁ ଇଂରେଜ ସରକାର ବ୍ୟବସ୍ଥା କରିଥିଲେ । ସମୁଦ୍ର ଯାତ୍ରା ଦ୍ୱାରା ଜାତିଚ୍ୟୁତ ହେବା ଭୟ ସନାତନ ପନ୍ଥୀ ହିନ୍ଦୁ ସିପାହୀମାନଙ୍କ ମନରେ ଜାଗ୍ରତ ହୋଇଥିଲା । ସରକାର ଜାଣିଶୁଣି ଜାତିଚ୍ୟୁତ କରି ଲୋକମାନଙ୍କୁ ଖ୍ରୀଷ୍ଟିଆନ୍‌ କରିବା ଉଦ୍ୟମ କରୁଛନ୍ତି ବୋଲି ମଧ୍ୟ ହିନ୍ଦୁମାନଙ୍କ ମନରେ ଧାରଣା ହେଲା । ସେତେବେଳେ ଖ୍ରୀଷ୍ଟିଆନ୍‌ ମିଶନାରୀମାନେ ହିନ୍ଦୁଧର୍ମକୁ ବିକୃତ କରି ଅତି ଉତ୍କଟ ଭାବରେ ପ୍ରଚାର କରୁଥିବାରୁ ଏହି ଧାରଣା ଜାତ ହେବା ସମ୍ଭବ ହୋଇଥିଲା ।

 

ପୁଣି ସେ ସମୟରେ ‘‘ଏନ୍‌ଫିଲ୍‌ଡ଼୍‌ ରାଇଫଲ୍‌’’ର ନୂତନ ପ୍ରଚଳନ ଆଉ ଏକ ବିଭ୍ରାଟ ସୃଷ୍ଟିକଲା । ସେଥିରେ ଥିବା ତୋଟା ଉପରେ ଯେଉଁ ଅଠା ଦିଆଯାଇଥିଲା ତାହା ଗାଈ ଓ ଘୁଷୁରିର ଚର୍ବି ବୋଲି ପ୍ରଚାର ହୋଇଥିଲା । ଦାନ୍ତରେ ଛିଣ୍ଡେଇ ସେହି ତୋଟାକୁ ବ୍ୟବହାର କରିବାକୁ ପଡ଼ୁଥିଲା । ସେଥିପାଇଁ ହିନ୍ଦୁ ଓ ମୁସଲମାନ ସିପାହୀମାନେ ଭାବିଲେ ଯେ ଇଂରେଜମାନେ ସେମାନଙ୍କ ଜାତି ନଷ୍ଟ କରିବା ପାଇଁ ଏହି ଫିକର କରିଛନ୍ତି ।

 

ଏହିସବୁ ଅଶାନ୍ତି ଏକତ୍ରିତ ହେବାରୁ ସିପାହୀମାନଙ୍କ ମନରେ ବିଦ୍ରୋହଭାବ ଜାଗ୍ରତ ହେଲା ।

 

(୫) ସେ ସମୟରେ ଗୋରା ସୈନ୍ୟସଂଖ୍ୟା ମଧ୍ୟ ଭାରତରେ ଯଥେଷ୍ଟ ନ ଥିଲା । ଅଲାହାବାଦ ଓ କଲିକତା ମଧ୍ୟରେ ଦିନାପୁରଠାରେ କେବଳ ଦଳେ ଇଂରେଜସୈନ୍ୟ ଥିଲେ । ପ୍ରକୃତରେ ଭାରତୀୟ ସିପାହୀମାନଙ୍କ ଉପରେ ନିର୍ଭର କରି ଇଂରେଜ ଶାସନ ଚଳୁଥିଲା । ସିପାହୀମାନେ ବୁଝିଲେ ଯେ ସେମାନେ ଇଂରେଜ ସରକାରଙ୍କୁ ସାହାଯ୍ୟ ନ କଲେ ଇଂରେଜମାନେ ଏ ଦେଶରେ ତିଷ୍ଠିପାରିବେ ନାହିଁ ।

 

ଖ୍ରୀ ୧୮୫୭ର ଆରମ୍ଭ ବେଳକୁ ଅବସ୍ଥା ଜଟିଳ ହୋଇଯାଇଥିଲା । ବନ୍ଧୁକରେ ଗୁଳି ଚଢ଼ିଥିଲା । କେବଳ ଫୁଟାଇବା ବାକିଥିଲା । ବଙ୍ଗ ପ୍ରଦେଶର ବାରାକପୁର ସୈନ୍ୟ ଛାଉଣିରେ ପ୍ରଥମ ବିଦ୍ରୋହର ବନ୍ଧୁକ ଫୁଟିଲା । କ୍ରମେ ବଙ୍ଗ, ବିହାର, ଓଡ଼ିଶା, ମହାରାଷ୍ଟ୍ର ମଧ୍ୟପ୍ରଦେଶ ଓ ଉତ୍ତର ଭାରତର କେତେକ ଅଞ୍ଚଳରେ ବିଦ୍ରୋହ ବ୍ୟାପିଗଲା ।

 

ଏହି ବିଦ୍ରୋହରେ ଝାନ୍‌ସୀର ରାଣୀ ଲକ୍ଷ୍ମୀବାଈ, ନାନା ସାହେବ, ତାନ୍ତିଆଟୋପି, ଅଜିମୁଲ୍ଲାଖାଁ, ଅଯୋଧ୍ୟାର ବେଗମ୍‌, ଦିଲ୍ଲୀନବାବ ବାହାଦୂରଶାହା, ସମ୍ବଲପୁରର ସୁରେନ୍ଦ୍ରସାଏ, ପୋଡ଼ାହାଟ (ସିଂହଭୂମି)ର ରାଜା ଅର୍ଜୁନ ସିଂହ, ବିହାରର ଜଗଦୀଶପୁରର କୁନ୍‌ଓ୍ୟାର ସିଂହ ପ୍ରଭୃତି ନେତୃତ୍ୱ ନେଇ ବିଦ୍ରୋହ ଚଳେଇଲେ ।

 

ଖ୍ରୀ:୧୮୫୭ ମେ ମାସରେ ତା୧୦ ରିଖରେ ମିରଟରେ ସିପାହୀମାନେ ବିଦ୍ରୋହ କରି ଜେଲ୍‍ ଭାଙ୍ଗିଦେଲେ ଏବଂ ବନ୍ଦୀମାନଙ୍କୁ ମୁକ୍ତ କରିଦେଲେ । ଏମାନେ ସହରରେ ଥିବା କେତେଜଣ ୟୁରୋପିଆନ୍‌ଙ୍କୁ ହତ୍ୟା କଲେ ଏବଂ ସେମାନଙ୍କ ଘର ପୋଡ଼ିଦେଲେ । ସେତେବେଳେ ଜେନେରାଲ ହିଉଉଇଟ୍‌ଙ୍କ ଅଧିନାୟକତ୍ୱରେ ପ୍ରାୟ ୨୨୦୦ ଗୋରା ସୈନିକ ସହରରେ ଥିଲେ; କିନ୍ତୁ ସିପାହୀମାନଙ୍କ ସଂଖ୍ୟା ଖୁବ୍‌ ବେଶି ଥିବାରୁ ସେ ସିପାହୀମାନଙ୍କ ବିଦ୍ରୋହକୁ ଦମନ କରିବାକୁ ଚେଷ୍ଟା ନ କରି ତୁନି ହୋଇ ରହିଲେ । ବିଦ୍ରୋହୀମାନେ ମିରଟରୁ ଯାଇ ଅତିଶୀଘ୍ର ଦିଲ୍ଲୀରେ ପହଞ୍ଚିଲେ । ସେଠାରେ ଗୋରା ସୈନିକ ଆଦୌ ନ ଥିଲେ । ଦିଲ୍ଲୀ ବିନା ବାଧାରେ ବିଦ୍ରୋହୀମାନଙ୍କ ହାତରେ ପଡ଼ିଲା । ଏଠାରେ ବିଦ୍ରୋହୀମାନେ ବହୁ ୟୁରୋପିଆନ୍‌ଙ୍କୁ ହତ୍ୟା କଲେ ଏବଂ ସେମାନଙ୍କର ଘର ସବୁ ପୋଡ଼ିଦେଲେ । ଦିଲ୍ଲୀର ଗୋଳା ବାରୁଦଖାନାକୁ ରକ୍ଷାକରିବା ପାଇଁ ଲେଫ୍‌ଟନାଣ୍ଟ ଉଈଲୋବି ପ୍ରାଣପଣେ ଚେଷ୍ଟା କଲେ । ଅଳ୍ପସଂଖ୍ୟକ ସୈନିକଙ୍କ ସାହାଯ୍ୟରେ ସେ ଆଠଦିନ ବାରୁଦଖାନାକୁ ରକ୍ଷା କରିବାପାଇଁ ଲଢ଼େଇ କଲେ; କିନ୍ତୁ ଶେଷରେ ଅବସ୍ଥା ଅସମ୍ଭାଳ ହେବାରୁ ବାରୁଦଖାନାଟି କାଳେ ବିଦ୍ରୋହୀମାନଙ୍କ ହାତରେ ପଡ଼ିଯିବ ଏହି ଆଶଙ୍କାରେ ସେ ନିଜେ ଏଥିରେ ନିଆଁ ଲଗେଇ ଧ୍ୱଂସ କରିଦେଲେ । ବିଦ୍ରୋହୀମାନେ ଏଠାରୁ ଗୋଳା ବାରୁଦ ପାଇବାରୁ ବଞ୍ଚିତ ହେଲେ ।

 

ବିଦ୍ରୋହୀମାନେ ପୁରୁଣା ବାଦଶାହାଙ୍କ ନଅର ଭିତରେ ପଶି ନାମମାତ୍ର ବାଦଶାହ ବାହାଦୂରଶାହ (୨ୟ)ଙ୍କୁ ଦିଲ୍ଲୀର ସମ୍ରାଟ ବୋଲି ଘୋଷଣା କଲେ ।

 

ଏହାପରେ ପ୍ରାୟ ତିନି ସପ୍ତାହ ଟିକିଏ ଶାନ୍ତିରେ କଟିଲା । ପଞ୍ଜାବର ଚିଫ୍‌ କମିଶନର ସାର୍‌ ଜନ୍‌ ଲରେନ୍‌ସ ପଞ୍ଜାବ ରକ୍ଷାପାଇଁ ସାମରିକ ବ୍ୟବସ୍ଥା କଲେ ଏବଂ ଏହା ଫଳରେ ପଞ୍ଜାବର ଅନ୍ୟ ସ୍ଥାନମାନଙ୍କୁ ବିଦ୍ରୋହ ଶୀଘ୍ର ବ୍ୟାପି ପାରିଲା ନାହିଁ ।

 

ଜୁନ୍‌ ମାସ ଆରମ୍ଭ ବେଳକୁ ବିହାର, ରାଜପୁତନାର ନାସିରାବାଦ, ରୋହିଲାଖଣ୍ଡର ବାରେଲିରେ, କାନପୁର, ବନାରସ ଓ ଉତ୍ତର ଏବଂ ମଧ୍ୟ ଭାରତର କେତେକ ସ୍ଥାନରେ ବିଦ୍ରୋହ ତେଜି ଉଠିଥିଲା । ସେହି ମାସରେ ଅଧିକାଂଶ ସ୍ଥାନରେ ସରକାରୀ ହାକିମମାନେ ବିଦ୍ରୋହ ଦମନକରିବାକୁ ସମର୍ଥ ହୋଇଥିଲେ । ବନାରସରେ କର୍ଣ୍ଣେଲ ନେଲ ବିଦ୍ରୋହକୁ ଦମନ କରିଦେଇଥିଲେ-। ଯେତେ ବିଦ୍ରୋହୀ ଧରାପଡ଼ିଲେ ସମସ୍ତେ ହାଣ ଖାଇଲେ । ପିଲା, ବଡ଼, ଦୋଷୀ, ନିର୍ଦ୍ଦୋଷ ନିର୍ବିଚାରରେ ବହୁ ଲୋକଙ୍କୁ ଧରି ଗୋରା ହାକିମ ଓ ଗୋରା ନାଗରିକମାନେ ମାରିଦେଲେ । ଅଲାହାବାଦ ଦୁର୍ଗ ଜୁନ୍‌ ମାସ ତା୧୧ରିଖରେ ନେଲ୍‌ ପୁନର୍ବାର ଅଧିକାର କରିନେଲେ ।

 

କାନପୁରରେ ନାନା ସାହେବ ବିଦ୍ରୋହର ନେତା ଥିଲେ । ସେତେବେଳେ ସେ କାନପୁର ନିକଟସ୍ଥ ବିଥୁର ନାମକ ସ୍ଥାନରେ ରହୁଥିଲେ । ନିଜକୁ ସେ ପେଷବା ବୋଲି ଘୋଷଣା କଲେ । ସେଠାରେ ପ୍ରାୟ ଚାରିଶହ ଗୋରା ଅଧିବାସୀ ଓ କେତେଜଣ ଗୋରା ହାକିମ ଜୁନ୍‌ ୮ତାରିଖଠାରୁ ୨୬ ପର୍ଯ୍ୟନ୍ତ ପ୍ରାଣପଣେ ଚେଷ୍ଟାକରି ନିଜକୁ ରକ୍ଷା କରିପାରିଥିଲେ । ତା ୨୭ରିଖରେ ସେମାନେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କୁ ନିରାପଦରେ ରଖାଯିବା ପ୍ରତିଶ୍ରୁତି ଦିଆ ହୋଇଥିଲା । ଡଙ୍ଗାରେ ବସି ନଦୀ ପାରି ହେଉଥିବା ସମୟରେ ସେମାନଙ୍କ ଉପରେ ବିଦ୍ରୋହୀମାନେ ଗୁଳିବର୍ଷଣ କଲେ । ଏହାଫଳରେ ଅଧିକାଂଶ ଲୋକ ନଦୀଗର୍ଭରେ ପଡ଼ି ମଲେ । କେବଳ ଚାରୋଟି ଲୋକ ରକ୍ଷା ପାଇ କୂଳରେ ଲାଗିଲେ । ବିକିଗଡ଼ ନାମକ କୋଠାରେ ୨୧୧ଜଣ ଗୋରା ସ୍ତ୍ରୀ ଓ ପିଲାଙ୍କୁ ଅଟକ କରି ରଖାଯାଇଥିଲା । ନାନାସାହେବ ଓ ତାଙ୍କର ସହକାରୀ ତାନ୍ତିଆଟୋପିଙ୍କ ଆଦେଶରେ ଜୁଲାଇ ତା୧୫ରିଖରେ ସମସ୍ତଙ୍କୁ ହତ୍ୟା କରାଗଲା । ବନାରସରେ ଓ ଆଲାହାବାଦରେ ଇଂରେଜ ଲୋକେ ଭାରତୀୟମାନଙ୍କ ଉପରେ ଯେଉଁ ଅତ୍ୟାଚାର କରିଥିଲେ ତାର ପ୍ରତିଶୋଧ ସ୍ୱରୂପ ଏହି ଘଟଣା ଘଟିଥିଲା । ତା୧୬ରିଖରେ ନେଲ୍‌ ଓ ହେବ୍‌ଲକ୍‌ ଏହି ଦୁଇ ଇଂରେଜ ସେନାପତି କାନପୁରକୁ ବିଦ୍ରୋହୀମାନଙ୍କ ହାତରୁ ଉଦ୍ଧାର କରିଥିଲେ-।

 

ଜୁନ୍‌ମାସ ତା୮ରିଖରେ ଦଳେ ଗୋରା ସୈନ୍ୟ ଦିଲ୍ଲୀ ଅବରୋଧ କଲେ । ୧୪ ତାରିଖରେ କାଶ୍ମୀର ଦ୍ୱାର ବା ଗେଟକୁ ଭାଙ୍ଗି ସହର ଭିତରେ ପଶିଲେ । ଇଂରେଜ ସୈନିକମାନେ ନିର୍ବିଚାରରେ ସହରକୁ ଲୁଣ୍ଠନ କଲେ ଏବଂ ବହୁ ଲୋକଙ୍କୁ ହତ୍ୟା କଲେ । ଲୋକେ ଭୟରେ କିଏ କୁଆଡ଼େ ଲୁଚି ରହିଲେ । ଗୋଟିଏ ଗୋଟିଏ ଛୋଟ ଛୋଟ ଘର ଭିତରେ ପ୍ରାୟ ୫୦ଜଣ ଲୋକ ଲୁଚିଥିବା ଦେଖାଯାଇଥିଲା । ସହରରେ ସମ୍ରାଟ୍‌ ହୁମାୟୁନ୍‌ଙ୍କ କବର ସ୍ଥାନରେ ବାହାଦୂର ଶାହ ଲୁଚିଥିଲେ । ତାଙ୍କୁ ସେଠାରେ ଗିରଫ କରାଗଲା । ତାଙ୍କ ପୁଅ ଓ ନାତିମାନେ ସରକାରଙ୍କ ହାତରେ ଆତ୍ମସମର୍ପଣ କଲେ । ବିଚାର ପରେ ବାହାଦୂରଶାହଙ୍କୁ ରେଙ୍ଗୁନ୍‌କୁ ନିର୍ବାସିତ କରାଗଲା ।

 

ଲକ୍ଷ୍ନୌ, ଅଯୋଧ୍ୟା ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସରକାରୀ ସୈନ୍ୟ ବିଦ୍ରୋହକୁ ଦମନ କରିପାରିଥିଲେ । ୧୮୫୮ ମାର୍ଚ୍ଚ ତା୨୧ରିଖି ଦିନ ଇଂରେଜମାନଙ୍କ ଦ୍ୱାରା ଲକ୍ଷ୍ନୌ ପୁନର୍ବାର ଅଧିକୃତ ହେଲା । ବରେଲିର ବିଦ୍ରୋହୀମାନଙ୍କ ଭିତରୁ କେତେଜଣ ନେପାଳ ଭିତରକୁ ଖସି ଚାଲିଯାଇଥିଲେ । ନେପାଳ ସରକାର ସେମାନଙ୍କୁ ଧରି ଇଂରେଜ ସରକାରଙ୍କ ହାତରେ ଅର୍ପଣ କରି ଦେଇଥିଲେ ।

 

ମଧ୍ୟ-ଭାରତର ତାନ୍ତିଆଟୋପି (ଜଣେ ମରହଟା ବ୍ରାହ୍ମଣ) ବିଦ୍ରୋହୀମାନଙ୍କର ନେତୃତ୍ୱ ଗ୍ରହଣ କରି ଗ୍ୱାଲିଆର୍‌ର ବିଦ୍ରୋହୀ ସୈନ୍ୟଦଳରେ ଥିବା ପ୍ରାୟ ୨୦,୦୦୦(କୋଡ଼ିଏ ହଜାର) ସିପାହୀଙ୍କୁ ଧରି ଉତ୍ତର ଭାରତ ଆଡ଼େ ଅଗ୍ରସର ହେଲେ । କଲପିଠାରେ ଯମୁନାନଦୀ ପାରହୋଇ କାନପୁରରେ ନାନା ସାହେବଙ୍କ ସହ ଯୋଗଦାନ କରିଥିଲେ । ବିଦ୍ରୋହୀମାନେ କାନପୁରରୁ ତଡ଼ାଖାଇବାରୁ (୧୮୫୭ ଡ଼ିସେମ୍ବର ତା ୬ ରିଖରେ) ଝାନ୍‌ସୀର ରାଣୀଙ୍କ ସହିତ ସହଯୋଗ କରିବାପାଇଁ ପୁଣି ମଧ୍ୟ-ଭାରତ ଭିତରେ ପଶିଲେ । ବୁନ୍ଦେଲଖଣ୍ଡରେ ସାର୍‌ ଜନ୍‌ କାମ୍ପବେଲ ବିଦ୍ରୋହ ଦମନ ପାଇଁ ଅଭିଯାନ ଚଳାଉଥିଲେ । ୧୮୫୮ଜାନୁଆରୀ ଆରମ୍ଭରେ ସେ ସେଠାକୁ ଅଗ୍ରସର ହୋଇ ସାଗୋର ଓ ହାଟଗଡ଼ ଦଖଲ କଲେ । ବେଟ୍‌କା ନଦୀକୂଳରେ ଫେବୃଆରୀମାସର ପ୍ରଥମ ସପ୍ତାହରେ ତାନ୍ତିଆ ଟୋପିଙ୍କୁ ସେ ପରାସ୍ତ କଲେ ।

 

ଅପ୍ରେଲ ତା ୩ରିଖରେ କାମ୍ପବେଲ୍‌ ଝାନ୍‌ସୀ ଆକ୍ରମଣ କଲେ । ଝାନ୍‌ସୀର ରାଣୀ ତା ୪ରିଖରେ ରାତିରେ ଗଡ଼ଛାଡ଼ି କଲ୍‌ପିକୁ ପଳାଇଗଲେ । ଇଂରେଜମାନେ ମେ ମାସ ତା ୧୨ରିଖରେ କଲ୍‌ପି ଦଖଲ କଲେ । ଝାନ୍‌ସୀରାଣୀ ଓ ତାନ୍ତିଆ ଟୋପି ଗ୍ୱାଲିଅର୍‌ ଆକ୍ରମଣ କରି ମହାରାଜା ସିନ୍ଧିଆଙ୍କୁ ସେଠାରୁ ତଡ଼ିଦେଲେ । ମହାରାଜା ଆଗ୍ରାକୁ ପଳାଇଗଲେ ଏବଂ ତାଙ୍କର ସିପାହୀମାନେ ବିଦ୍ରୋହ କରି ନାନା ସାହେବଙ୍କୁ ପେଶବା ବୋଲି ଘୋଷଣା କଲେ । ଇଂରେଜ ସେନାପତିମାନେ ବିଦ୍ରୋହୀମାନଙ୍କୁ ମୋରାର୍‌ ଓ କୋଟାଠାରେ ପରାସ୍ତ କରି ବିଦ୍ରୋହ ଦମନ କଲେ । ଏହି ସ୍ଥାନ ଯୁଦ୍ଧକ୍ଷେତ୍ରରେ ଝାନ୍‌ସୀରାଣୀ ପୁରୁଷବେଶ ଧରି ଯୁଦ୍ଧ କରୁଥିଲେ । ୧୮୫୮ ଜୁନ୍‌ ତା ୧୭ରିଖରେ ଏହି ଯୁଦ୍ଧକ୍ଷେତ୍ରରେ ବୀରନାରୀ ରାଣୀ ଲକ୍ଷ୍ମୀବାଈ ପ୍ରାଣ ହରାଇଲେ ।

 

ତାନ୍ତିଆ ଟୋପି ଯୁଦ୍ଧ କ୍ଷେତ୍ରରୁ ପଳାଇଯାଇ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇ କିଛି ସମୟ ଲୁଚି ରହିଲେ । ସିନ୍ଧିଆ ମହାରାଜାଙ୍କ ଜଣେ ଜମିଦାର ତାନ୍ତିଆଙ୍କୁ ଧରିନେଇ ଇଂରେଜ ସରକାରଙ୍କ ହାତରେ ଅର୍ପଣ କଲେ । ତାନ୍ତିଆ ବିଚାରରେ ଫାଶି ପାଇଲେ । ନାନାସାହେବ ନେପାଳ ଭିତରକୁ ପଳାଇଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଶୁଣାଯାଏ ।

 

ସିପାହୀ ବିଦ୍ରୋହର ନେତାମାନେ ପରାସ୍ତ ହୋଇ ଧ୍ୱଂସ ପାଇଯିବାରୁ ସିପାହୀମାନଙ୍କ ବିଦ୍ରୋହ ମଧ୍ୟ ଧ୍ୱଂସ ପାଇଲା ।

 

ଭାରତବର୍ଷର ଇତିହାସମାନେ ସିପାହୀ ବିଦ୍ରୋହୀ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଏହି ବିଦ୍ରୋହ ପରେ ଭାରତରେ ଇଂରେଜ ଶାସନର ନୀତି ବହୁ ପରିମାଣରେ ପରିବର୍ତ୍ତିତ ହୋଇଯାଇଥିଲା । ଶାସନର ରୂପରେଖ ଅନେକାଂଶରେ ବଦଳି ଯାଇଥିଲା ଏବଂ ଶାସନକଳ ଦୃଢ଼ରୁ ଦୃଢ଼ତର ହେଲା ।

 

ଭାରତୀୟ ଜନସାଧାରଣଙ୍କର ଇଂରେଜଶାସନ ପ୍ରତି ଯେ ଅଟଳ ବିଶ୍ୱାସ ନ ଥିଲା ଏହା ସିପାହୀ ବିଦ୍ରୋହରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା । ସମୟ ଓ ସୁବିଧା ପାଇଲେ ଇଂରେଜ ରାଜତ୍ୱକୁ ଏ ଦେଶରୁ ମୂଳପୋଛ କରିଦେବା ପାଇଁ ଉଦ୍ୟମ କରିବା ଲୋକଙ୍କ ସଂଖ୍ୟା ମଧ୍ୟ କମ୍‌ ନ ଥିଲା ।

 

୧୮୫୭ ମସିହାରେ ଉତ୍ତର ଭାରତରେ ଇଂରେଜ ରାଜତ୍ୱର ସେ ଦୁର୍ଦ୍ଦିନ ଉପସ୍ଥିତ ହୋଇଥିଲା ସେଥିରୁ ଇଂରେଜମାନେ ଯେ ସହଜରେ ବର୍ତ୍ତି ପାରିବେ, ଏ ଧାରଣା ଖୁବ୍‌ କମ୍‌ ଲୋକଙ୍କର ଥିଲା । କେବଳ ବିଦ୍ରୋହୀମାନଙ୍କ ଭିତରେ ଶୃଙ୍ଖଳା, ନେତୃତ୍ୱ, ଓ ସାମରିକ ଶକ୍ତିର ଅଭାବ ଯୋଗୁଁ ବିଦ୍ରୋହ ସଫଳ ହୋଇପାରିଲା ନାହିଁ ।

 

ଓଡ଼ିଶାରେ ସିପାହୀମାନଙ୍କ ବିଦ୍ରୋହ ସଂଗଠିତ ହୋଇ ନ ଥିଲେ ମଧ୍ୟ ତାହାର ଝଲକ ସମ୍ବଲପୁର ଅଞ୍ଚଳରେ ଦେଖାଯାଇଥିଲା । ପ୍ରାକୃତିକ ଓଡ଼ିଶାର ଉତ୍ତରପଶ୍ଚିମ ଅଞ୍ଚଳରେ ସିଂହଭୂମି ଜିଲା ପୋଡ଼ାହାଟ ଅନ୍ତର୍ଗତର ରାଜା ଅର୍ଜୁନ ସିଂହ ଓ ସମ୍ବଲପୁରର ଶ୍ରୀ ସୁରେନ୍ଦ୍ର ସାଏ ଯେଉଁ ବିଦ୍ରୋହ କରିଥିଲେ, ତାହା ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ ହୋଇ ରହିଥିବ ।

 

ହଜାରିବାଗ ଜେଲ୍‌ରୁ ସୁରେନ୍ଦ୍ର ମୁକ୍ତ

 

ସମ୍ବଲପୁରରେ ବହୁଶତାବ୍ଦୀ ଧରି ସାଏ ବଂଶ ରାଜତ୍ୱ କରୁଥିଲେ । ସୁରେନ୍ଦ୍ର ସାଏ ଏହି ସାଏ ବଂଶର ଲୋକ । ୧୯ଶ ଶତାବ୍ଦୀର ମଧ୍ୟଭାଗରେ ସମ୍ବଲପୁରର ରାଜା ନାରାୟଣ ସିଂହଦେଓଙ୍କ ସହିତ ସୁରେନ୍ଦ୍ର ସାଏଙ୍କ ବିବାଦ ହେଲା । ସୁରେନ୍ଦ୍ର ସମ୍ବଲପୁର ରାଜଗାଦୀ ଦାବି କରିଥିଲେ । ଶାସକମାନେ ସେ ଦାବିକୁ ସ୍ୱୀକାର କଲେ ନାହିଁ । ସୁରେନ୍ଦ୍ର ସାଏଙ୍କ ବିରୁଦ୍ଧରେ ରାଜା ନାରାୟଣ ସିଂହଦେଓ କାର୍ଯ୍ୟାନୁଷ୍ଠାନ କଲେ । ବିଭିନ୍ନ ଅଭିଯୋଗରେ ସୁରେନ୍ଦ୍ର ସାଏଙ୍କୁ ଯାବଜ୍ଜୀବନ ଜେଲ୍‍ଦଣ୍ଡ ହେଲା । ବାୟୁ ପରିବର୍ତ୍ତନର କାରଣ ଦେଖାଇ ସୁରେନ୍ଦ୍ର ସାଏଙ୍କୁ ହଜାରିବାଗ ଜେଲ୍‍କୁ ପଠାଇ ଦିଆଯାଇଥିଲା । ସିପାହୀ ବିଦ୍ରୋହ ବେଳକୁ ସୁରେନ୍ଦ୍ର ଏହି ଜେଲ୍‌ରେ ଥିଲେ । ତାଙ୍କ ସହିତ ତାଙ୍କ ଭାଇ ଉଦନ୍ତ ଓ କକା ବଳରାମ ମଧ୍ୟ ଥିଲେ । ଜେଲ୍‌ରେ ବଳରାମଙ୍କର ମୃତ୍ୟୁ ହୋଇଯାଇଥିଲା ।

 

ବିହାର ଅଞ୍ଚଳରେ ସିପାହୀ ବିଦ୍ରୋହ

 

ବିହାର ଅଞ୍ଚଳର ସାହାବାଦ ଜିଲାରେ ସିପାହୀମାନେ ବିଦ୍ରୋହ କରି ଜେଲ୍‍ ଭାଙ୍ଗି କଏଦୀମାନଙ୍କୁ ଖଲାସ କରିଦେଲେ । ସିପାହୀ ଓ କଏଦୀମାନେ କୋଏର ସିଂଙ୍କ ନେତୃତ୍ୱରେ ସେଠାରେ ସରକାରୀ ଅଫିସ, ଘାଟି ପ୍ରଭୃତି ଆକ୍ରମଣ କରି ବହୁ ଉପଦ୍ରବ କଲେ । ଦିନାପୁରର ସିପାହୀମାନେ ମଧ୍ୟ ବିଦ୍ରୋହ କରି ଆରା ଜିଲାରେ ପଶିଲେ । କୋଏର ସିଂହଙ୍କ ନେତୃତ୍ୱରେ ସିପାହୀମାନେ ବହୁ ସ୍ଥାନରେ ଜେଲ୍‌ଭାଙ୍ଗି, କଚେରି ଅଧିକାର କରି ରାଜକୋଷକୁ ହସ୍ତଗତ କରିଥିଲେ । ଇଂରେଜମାନେ ଭୟରେ ବିଭିନ୍ନ ସ୍ଥାନରୁ ବାହାରି ଆସି ନିରାପଦ ସ୍ଥାନରେ ଆଶ୍ରୟ ନେଲେ । ଛୋଟ ନାଗପୁରରେ ରାମଗଡ଼ ବାଟାଲିଆନ୍‌ ବିଦ୍ରୋହ କରି ବନ୍ଦୀଶାଳାମାନଙ୍କରୁ ବନ୍ଦୀମାନଙ୍କୁ ଖଲାସ କରିଦେଲେ, ଖଜଣାଖାନା ଲୁଟ୍‍ କଲେ । ସେତେବେଳେ ମନେହେଉଥିଲା, ସତେ ଯେପରି ସେ ଅଞ୍ଚଳରେ ବ୍ରିଟିଶ ଶାସନ ଲୋପ ପାଇଯାଇଛି ।

 

ଛୋଟନାଗପୁରର ସିପାହୀମାନଙ୍କର ବିଦ୍ରୋହର ପ୍ରଭାବ ଓଡ଼ିଶାର ଉତ୍ତରପଶ୍ଚିମ ଅଞ୍ଚଳରେ ପଡ଼ିଥିଲା, ଏଥିରେ ସନ୍ଦେହ ନାହିଁ । ଶାସକମାନେ ବିଦ୍ରୋହର ଖବର ପାଇ ବିଚଳିତ ହୋଇପଡ଼ିଥିଲେ । ସ୍ଥାନେ ସ୍ଥାନେ ଲୋକେ ମଧ୍ୟ ଟିକିଏ ବିଗିଡ଼ା ମନୋଭାବ ଧରିଥିଲେ ।

 

ଛୋଟନାଗପୁର ଅଞ୍ଚଳରେ କେପ୍‌ଟନ୍‌ ଗ୍ରାହମ୍‌ ଓ କେପ୍‌ଟନ୍‌ ଡଲ୍‌ଟନ୍‌ ବହୁ ପରିଶ୍ରମ କରି ଅବସ୍ଥାକୁ ଆୟତ୍ତ କରିଥିଲେ । ସେମାନଙ୍କୁ ଜମାଦାର ଆମିଉଦ୍ଦିନ ଖାଁ ଓ ନାଏବ ଇସାଲଦାର ଶେଖ ମୁଲା ବକ୍‌ସ ବହୁତ ସାହାଯ୍ୟ କରିଥିଲେ । ଏହି ଦୁଇ ମୁସଲମାନ ସିପାହୀ ଅଫିସର ଇଂରେଜମାନଙ୍କ ଏହି ଦୁର୍ଦ୍ଦିନରେ ଏହି ପାର୍ବତ୍ୟ ଅଞ୍ଚଳରେ ଯେଉଁ ସାହାଯ୍ୟ କରିଥିଲେ, ତାହା ଇଂରେଜମାନେ କେବେ ଭୁଲିପାରିବେ ନାହିଁ । ରାମଗଡ଼ର ରାଜା, ଷଢ଼େଇକଳାର ରାଜା, ଖରସୁଆଁର ରାଜା ଓ ‘ଇଂରେଜ ଭକ୍ତ’ ଆଉ କେତେକ ଛୋଟ ପାହାଡ଼ିଆ ଗଡ଼ପତିଙ୍କ ଯୋଗୁଁ ଏହି ଅଞ୍ଚଳରେ ଇଂରେଜମାନେ ରକ୍ଷା ପାଇଗଲେ ।

 

ଜେଲ୍‍ରୁ ସାଏ ମୁକ୍ତ ହେଲେ

 

ଅଗଷ୍ଟ ମାସ ୫ତାରିଖରେ ହଜାରୀବାଗରେ ବିଦ୍ରୋହ ଭୀଷଣ ଆକାର ଧାରଣ କଲା । ସେଠାର ଜେଲ୍‌ରେ ୩୦୦ପର୍ଯ୍ୟନ୍ତ ବନ୍ଦୀ ଥିଲେ । ବିଦ୍ରୋହୀମାନେ ଜେଲ୍‌ ଭାଙ୍ଗି ସମସ୍ତଙ୍କୁ ଖଲାସ କରିଦେଲେ । ଖଜଣାଖାନାରେ ପ୍ରାୟ ଏକଲକ୍ଷ ଟଙ୍କା ଥିଲା, ତାକୁ ଲୁଟ୍‌ କରିନେଲେ । ଏହି ବନ୍ଦୀମାନଙ୍କ ସାଙ୍ଗରେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ସାଏ ମଧ୍ୟ ଖଲାସ ହୋଇଥିଲେ ।

 

ସେତେବେଳେ ଏହି ବନ୍ଦୀଶାଳାରେ ଓଡ଼ିଶା ଗଡ଼ଜାତର କେତେକ ବନ୍ଦୀ ମଧ୍ୟ ଥିଲେ । ବନ୍ଦୀମାନଙ୍କ ଭିତରୁ ଅଧିକାଂଶ ସୁରେନ୍ଦ୍ରଙ୍କ ବିଦ୍ରୋହରେ ଯୋଗ ଦେଇଥିଲେ ।

☆☆☆

 

ଦ୍ୱିତୀୟ ଅଧ୍ୟାୟ

ସିପାହୀ ବିଦ୍ରୋହ ପୂର୍ବରୁ ସୁରେନ୍ଦ୍ର-ଇଂରେଜ ସଂଘର୍ଷ

 

ସମ୍ବଲପୁର ୧୮୦୩ ପର୍ଯ୍ୟନ୍ତ ମରହଟ୍ଟାମାନଙ୍କ ରାଜତ୍ୱ ଅଧୀନରେ ଥିଲା । ପରେ ସେହି ବର୍ଷ ଇଂରେଜମାନଙ୍କୁ ସମୁଦ୍ର ଉପକୂଳବର୍ତ୍ତୀ ଓଡ଼ିଶା ଓ ଗଡ଼ଜାତ ଅଞ୍ଚଳ ସହ ସମ୍ବଲପୁର ଜିଲାକୁ ମଧ୍ୟ ମରହଟ୍ଟାମାନେ ଦେବଗାଁ ସନ୍ଧିସର୍ତ୍ତ ଅନୁସାରେ ଦେବାପାଇଁ ବାଧ୍ୟ ହେଲେ । ସେତେବେଳେ ସମ୍ବଲପୁରରେ ଟାଟିଆ ଫରନବିସ୍‌ମରହଟ୍ଟାମାନଙ୍କର ଗଭର୍ଣ୍ଣିର ବା ସୁବାଦାରରୂପେ ରାଜତ୍ୱ କରୁଥିଲେ । କାପ୍‌ଟନ ରଫ୍‌ସେଡ଼୍‌ଜ୍ ସହରକୁ ନିରାପଦରେ ଦଖଲ କରିନେଲେ । ୧୮୦୫ରେ ଇଂରେଜମାନେ ସମ୍ବଲପୁରକୁ ପାଟଣା ଷ୍ଟେଟ ସହ ମରହଟ୍ଟାମାନଙ୍କ ହାତରେ ଛାଡ଼ିଦେଲେ । ସେତେବେଳେ ଗଭର୍ଣ୍ଣର ଜେନେରାଲ୍‌ ସାର୍‌ ଜର୍ଜ ବାର୍ଲୋ ଦେଶକୁ ଶାନ୍ତିରେ ରଖିବା ପାଇଁ ମରହଟ୍ଟା ଓ ଅନ୍ୟାନ୍ୟ ଶକ୍ତିମାନଙ୍କୁ ଖୁସିକରିବା ନୀତିକୁ ପସନ୍ଦ କରୁଥିଲେ-। ତାଙ୍କର ମତ ହେଲା, କେତୋଟି ଛୋଟ ଛୋଟ ଅଞ୍ଚଳର କ୍ଷମତା, ରାଜସ୍ୱ ଓ ଅନ୍ୟାନ୍ୟ ବିଷୟ ତ୍ୟାଗକରି ମରହଟ୍ଟାମାନଙ୍କୁ ସନ୍ତୁଷ୍ଟ ରଖିଲେ ଦେଶରେ ଶାନ୍ତି ବିରାଜିବା ସମ୍ଭବ । ତାଙ୍କର ଏହି ତୋଷଣନୀତିର ଫଳସ୍ୱରୂପ ସମ୍ବଲପୁର ଓ ପାଟଣା ୧୮୦୫ରେ ମରହଟ୍ଟାମାନଙ୍କ ହାତକୁ ଯାଇଥିଲା । ୧୮୦୮ରେ ସମ୍ବଲପୁରର ରାଣୀ ମରହଟ୍ଟା ରାଜତ୍ୱକୁ ସ୍ୱୀକାର ନ କରିବାରୁ ମରହଟ୍ଟାମାନେ ସେହି ବର୍ଷ ସମ୍ବଲପୁର ଗଡ଼କୁ ଦଖଲକରି ନେବାପାଇଁ ଉଦ୍ୟମ କଲେ । ମରହଟ୍ଟାମାନେ କୌଶଳ କରି କପଟ ବନ୍ଧୁତା ଦେଖାଇ ରାଣୀଙ୍କ ମନରେ ବିଶ୍ୱାସ ଜନ୍ମେଇଲେ ଯେ, ସେମାନେ ତାଙ୍କୁ କୌଣସି ପ୍ରକାର ହଇରାଣ କରିବେ ନାହିଁ । ରାଣୀ ସେମାନଙ୍କୁ ବକେୟା ପେସକେସ ଦେବାକୁ ରାଜି ହେଲେ । ମହାପ୍ରସାଦ ଛୁଇଁ ଚୁକ୍ତି ହେଲା । ରାଣୀ ନିଶ୍ଚିନ୍ତ ହୋଇ ଗଡ଼ ଭିତରେ ରହିଥିବା ସୁବିଧା ଦେଖି ମରହଟ୍ଟାମାନେ ହଠାତ୍‌ ଆକ୍ରମଣ କରି ଗଡ଼ ଦଖଲ କରିନେଲେ-। ରାଣୀ ବାଧ୍ୟ ହୋଇ କଟକ ଅଞ୍ଚଳରୁ ପଳାଇଆସି ଇଂରେଜମାନଙ୍କ ଆଶ୍ରୟ ନେଲେ-। ମରହଟ୍ଟା ଅମଳରେ ସମ୍ବଲପୁରରେ ଜମିଦାର, ପ୍ରଜା, ସମସ୍ତେ ଅଶାନ୍ତିରେ ରହୁଥିଲେ ।

 

୧୮୧୭ରେ ପୁଣି ମରହଟ୍ଟାମାନଙ୍କ ହାତରୁ ସମ୍ବଲପୁର ଇଂରେଜମାନଙ୍କ ହାତକୁ ଆସିଲା । ୪ର୍ଥ ମରହଟ୍ଟା ଯୁଦ୍ଧ ବେଳେ କାପ୍‌ଟେନ୍‌ ରଫ୍‌ସେଡ଼୍‌ଜ୍‌ ସମ୍ବଲପୁର ଗଡ଼ ଆକ୍ରମଣ କରି ଦଖଲ କରିନେଲେ । ସେହି ବର୍ଷ ନାଗପୁରରେ ଭୋଁସଲାଙ୍କ ଦରବାରରେ ଥିବା ଇଂରେଜ ରାଜଦୂତ ସାର ରିଚାଡ଼ ଜେନ୍‌କିନ୍‌ସଙ୍କ ଚେଷ୍ଟାରେ ସମ୍ବଲପୁରର ରାଜା ଜଇତ୍‌ସିଂହ ଓ ତାଙ୍କ ପୁତ୍ର ମରହଟ୍ଟାମାନଙ୍କ କବଳରୁ ମୁକ୍ତ ହେଲେ ଏବଂ ଜଇତ୍‌ସିଂହ ସମ୍ବଲପୁର ଗାଦି ପାଇଲେ । ୧୮୧୮ରେ ଜଇତ୍‌ ସିଂହଙ୍କର ମୃତ୍ୟୁ ହେଲା । ତାଙ୍କ ପୁତ୍ର ମହାରାଜ ସାଏ ୧୮୨୦ରେ ଗାଦିରେ ବସିଲେ । ୧୮୨୧ରେ ପୂର୍ବରୁ ସମ୍ବଲପୁର ରାଜଗୀ ଅଧିନରେ ଥିବା ଗଡ଼ଜାତଗୁଡ଼ିକୁ ଅଲଗା କରିନେଇ ସେହି ଗଡ଼ଜାତର ରାଜାମାନଙ୍କ ସହ ସ୍ୱତନ୍ତ୍ରଭାବରେ ଇଂରେଜମାନେ ଚୁକ୍ତି କରିନେଲେ-। ୧୮୨୭ରେ ମହାରାଜ ସାଏଙ୍କର ଅପୁତ୍ରକ ଅବସ୍ଥାରେ ମୃତ୍ୟୁ ହେବାରୁ ତାଙ୍କ ରାଣୀ ମୋହନକୁମାରୀଙ୍କୁ ଇଂରେଜମାନେ ସମ୍ବଲପୁର ରାଜଗୀର ଉତ୍ତରାଧିକାରୀ ବୋଲି ସ୍ୱୀକାର କଲେ-। ଏଥିରେ ରାଜବଂଶର କେତେକ ଲୋକ ଓ ସାମନ୍ତ ଜମିଦାରମାନେ ଅସନ୍ତୁଷ୍ଟ ହେଲେ । ରାଣୀ ରାଜତ୍ୱ କଲେ ପ୍ରିୟାପ୍ରୀତ-ତୋଷଣ ନୀତି ଯୋଗୁଁ ତାଙ୍କର ପ୍ରିୟ ଲୋକଙ୍କ ଦ୍ୱାରା ବହୁତ ଅନିଷ୍ଟ ହେବାର ଆଶଙ୍କା କରି କେତେଜଣ ଗଣ୍ଡ ଓ ଚିଞ୍ଛାଳ ଜମିଦାର ଅମାନିଆ ହେଲେ । ସୁରେନ୍ଦ୍ର ସାଏ ରାଣୀଙ୍କୁ ଗାଦିର ଉତ୍ତରାଧିକାରୀ ରୂପେ ସ୍ୱୀକାର ନ କରି ନିଜେ ଗାଦି ଦାବି କଲେ । ସମ୍ବଲପୁରର ଚତୁର୍ଥ ରାଜା ମଧୁକର ସାଏଙ୍କର ଦାୟାଦ ବୋଲି କହି ସୁରେନ୍ଦ୍ର ଗାଦି ପାଇବା ପାଇଁ ଇଂରେଜମାନଙ୍କଠାରେ ଦାବି କରିଥିଲେ । ଇଂରେଜମାନେ ରାଣୀଙ୍କୁ ଉତ୍ତରାଧିକାରୀ ରୂପେ ସ୍ୱୀକାର କରିବାରୁ ଅସନ୍ତୁଷ୍ଟ ଗଣ୍ଡ ଓ ବିଞ୍ଛାଳ ବିଶୋଇମାନଙ୍କ ନେତୃତ୍ୱ ନେଇ ସୁରେନ୍ଦ୍ର ବିଦ୍ରୋହ ନିଆଁ ଜାଳିଲେ ।

 

ସମ୍ବଲପୁର ଅଞ୍ଚଳରେ ବିଦ୍ରୋହୀମାନେ କେତେ ଖଣ୍ଡି ଗାଁ ଲୁଟି କରିନେଲେ । ଲେଫ୍‌ଟନଣ୍ଟ ହଗିନ୍‌ସ ସମ୍ବଲପୁରରେ ଥିବା ସୈନ୍ୟମାନଙ୍କ ସାହାଯ୍ୟରେ ବିଦ୍ରୋହ ଦମନ କରିବା ପାଇଁ ଚେଷ୍ଟା କଲେ । କିନ୍ତୁ ସେଥିରେ ବିଶେଷ ଫଳ ନ ହେବାରୁ ହଜାରିବାଗରୁ କାପ୍‌ଟେନ୍‌ ଉଇଲିକିନ୍‌ସନ ସାହେବଙ୍କ ଅଧିନରେ ଦଳେ ସୈନ୍ୟ କାର୍ଯ୍ୟାନୁଷ୍ଠାନ କଲେ । ବିଦ୍ରୋହ ଟିକିଏ ଶାନ୍ତି ପଡ଼ିଲା । ଉଇଲ୍‌କିନ୍‌ସନ୍‌ ୧୮୩୩ରେ ମତଦେଲେ ଯେ ରାଣୀଙ୍କୁ ଗାଦିରେ ରଖିଲେ ବରାବର ଅଶାନ୍ତି ଲାଗି ରହିବ । ସେଥିଯୋଗୁଁ ତାଙ୍କୁ ଗାଦିରୁ ତଡ଼ି ବରପାଲିର ନାରାୟଣ ସିଂହଙ୍କୁ ରାଜା କରି ଗାଦିରେ ବସାଇଲେ । ନାରାୟଣ ସିଂହ ସାଏ ରାଜବଂଶଧର ନ ଥିବା ଏବଂ ତାଙ୍କର ବଂଶ ରାଜଗାଦି ପାଇବା ଅନୁପଯୁକ୍ତ ଥିବା କାରଣ ଦେଖାଇ ବହୁଲୋକ ଇଂରେଜ ଶାସକମାନଙ୍କ ପାଖରେ ଆପତ୍ତି କଲେ । ଶାସକମାନେ ସେ କଥା ନ ଶୁଣିବାରୁ ବିଦ୍ରୋହୀମାନେ ଅତ୍ୟଧିକ ମାତ୍ରାରେ ଉତ୍ତେଜିତ ହୋଇପଡ଼ିଲେ ।

 

ସମ୍ବଲପୁରର ଲୋକେ ଆଶା କରିଥିଲେ ଯେ ଇଂରେଜ ସରକାର ଜଣେ ଉପଯୁକ୍ତ ଲୋକକୁ ସିଂହାସନରେ ବସାଇବେ ଏବଂ ଫଳରେ ଦେଶରେ ସୁଶାସନ, ଶାନ୍ତି ଓ ଶୃଙ୍ଖଳା ପ୍ରତିଷ୍ଠିତ ହେବ । ନାରାୟଣ ସିଂହଙ୍କୁ ଗାଦିରେ ବସାଇବାରୁ ସବୁ ଶ୍ରେଣୀର ଲୋକେ ଅସନ୍ତୁଷ୍ଟ ହେଲେ ।

 

ରାଜା ନାରାୟଣ ସିଂହଙ୍କ ରାଜତ୍ୱର ଆରମ୍ଭରୁ ଶାସନରେ ବିଶୃଙ୍ଖଳା ଦେଖା ଦେଇଥିଲା-। ରାଣୀ ମୋହନକୁମାରୀଙ୍କ ଅମଳରେ ଯେଉଁସବୁ ଅସୁବିଧା ଦେଖାଦେଇଥିଲା, ସେଗୁଡ଼ିକ ପୁଣି ରାଜା ନାରାୟଣଙ୍କ ଅମଳରେ ଦେଖାଦେବାରୁ ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଲେ । ସରକାର ଲୋକମତକୁ ଖାତିରି ନ କରି ନାରାୟଣ ସିଂହଙ୍କୁ ରାଜା କରିବାରୁ ଲୋକେ ଅସନ୍ତୁଷ୍ଟ ଥିଲେ । ବର୍ତ୍ତମାନ ପୁଣି ଅତ୍ୟାଚାର ଓ ପ୍ରତିଶୋଧର ଅବସାନ ନ ହୋଇ ବୃଦ୍ଧି ପାଇବାରୁ ସେମାନଙ୍କର ଅସନ୍ତୋଷ ବହୁ ପରିମାଣରେ ବର୍ଦ୍ଧିତ ହୋଇ ବିଦ୍ରୋହର ଆକାର ଧାରଣ କଲା ।

 

ଗଣ୍ଡ ଓ ବିଞ୍ଛାଲ ଜମିଦାରମାନଙ୍କ ଭିତରୁ ଲଖନ୍‌ପୁର(ଲକ୍ଷ୍ମଣପୁର)ର ଗଣ୍ଡ ଜମିଦାର ବଳଭଦ୍ର ଦାଉ ରାଜା ନାରାୟଣ ସିଂହଙ୍କ ପ୍ରତି ବିଶେଷ ଭାବରେ ଅସନ୍ତୁଷ୍ଟ ଥିଲେ । ସେ ଖ୍ରୀ ୧୮୩୩ରେ ବିଦ୍ରୋହ କରି ରାଜା ନାରାୟଣ ସିଂହଙ୍କ ଉପରେ ଚଢ଼ାଉ କଲେ । ବଳଭଦ୍ରଙ୍କ ବିଦ୍ରୋହକୁ ଦମନ କରିବା ପାଇଁ ଇଂରେଜ ସରକାର ରାଜାଙ୍କୁ ସାହାଯ୍ୟ କଲେ । ରାଜାଙ୍କ ସିପାହୀମାନେ ସରକାରୀ ସୈନ୍ୟଙ୍କ ସହିତ ଯୋଗଦାନ କରି ବଳଭଦ୍ରଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କଲେ । ଏହି ଅଭିଯାନ ବହୁଦିନ ଚାଲିଲା । ବଳଭଦ୍ର ବାରପାହାଡ଼ ପର୍ବତମାଳାର ଗହ୍ୱରମାନଙ୍କରେ ଆଶ୍ରୟ ଦେଇ ସରକାରୀ ସୈନ୍ୟଙ୍କୁ ବରାବର ବ୍ୟତିବ୍ୟସ୍ତ କରୁଥିଲେ । ଗଣ୍ଡ ଜାତିର ଅଧିକାଂଶ ଲୋକ ବଳଭଦ୍ରଙ୍କ ସପକ୍ଷରେ ରହିଥିବାରୁ ବିଦ୍ରୋହକୁ ଦମନ କରିବା ସେତେ ସହଜ ହୋଇ ନ ଥିଲା । ବାରପାହାଡ଼ ପର୍ବତମାଳାର ଉଚ୍ଚତମ ଶୃଙ୍ଗ ଡେବ୍ରିଗଡ଼ ଓ ଅନ୍ୟ ଏକ ଉଚ୍ଚ ଶୃଙ୍ଗ ବାରବଖରା ପର୍ବତ ବିଦ୍ରୋହୀମାନଙ୍କର ଆଶ୍ରୟ ସ୍ଥଳ ଥିଲା । ସେମାନେ ଆବଶ୍ୟକ ଅନୁସାରେ ପଥର ଓ ମାଟିର କାନ୍ଥ କରି ଗଡ଼ ପ୍ରାଚୀର ଭଳି ପ୍ରାଚୀର ନିର୍ମାଣ କରି ଭିତରେ ରହୁଥିଲେ । ରାତିରେ ଦଳ ଦଳ ହୋଇ ବିଦ୍ରୋହୀମାନେ ବାହାରି ନିକଟସ୍ଥ ଗ୍ରାମମାନଙ୍କରେ ଲୁଣ୍ଠନ କରୁଥିଲେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ପର୍ବତମାଳା ଭିତରକୁ ଫେରିଆସୁଥିଲେ; ରାଜାଙ୍କ ସମର୍ଥକ ଜମିଦାର ଓ ଗୌନ୍ତିଆମାନଙ୍କ ଅଞ୍ଚଳ ଭିତରେ ପଶି ଲୁଟତରାଜ କରୁଥିଲେ ଏବଂ ମୁଖ୍ୟ ବ୍ୟକ୍ତିମାନଙ୍କୁ ହାଣି ପକାଉଥିଲେ । ଏମାନଙ୍କର ବିଦ୍ରୋହ କାର୍ଯ୍ୟକଳାପ ଅତି ଉତ୍କଟ ଧାରଣ କରିବାରୁ ସେ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ସରକାରୀ ସୈନ୍ୟ ଡେବ୍ରିଗଡ଼ ଘେରାଉ କରି ବିଦ୍ରୋହୀମାନଙ୍କୁ ଧ୍ୱଂସ କରିବା ଉଦ୍ୟମ କଲେ । ବହୁ ସୈନ୍ୟ ଧରି ଇଂରେଜ ସେନାନାୟକ ଡେବ୍ରିଗଡ଼ ଆକ୍ରମଣ କଲେ । ଉଭୟ ସେନା ଭିତରେ ଭୀଷଣ ଯୁଦ୍ଧ ଲାଗିଗଲା । ଏହି ଯୁଦ୍ଧରେ ବଳଭଦ୍ର ଦାଉ ପ୍ରାଣ ହରାଇଲେ ।

 

ରାମପୁର ହତ୍ୟାକାଣ୍ଡ—ସାହେଙ୍କୁ ଯାବଜ୍ଜୀବନ କାରାଦଣ୍ଡ

 

ଲଖନପୁର ବଳଭଦ୍ର ଦାଉ ଯୁଦ୍ଧରେ ନିହତ ହେବାପରେ ବିଦ୍ରୋହୀମାନଙ୍କ ଭିତରେ ପ୍ରତିହିଂସା ମନୋଭାବ ଉତ୍କଟ ଆକାରରେ ପ୍ରକାଶ ପାଇଲା । ସରକାରୀ ସୈନ୍ୟଙ୍କ ସାହାଯ୍ୟ ପ୍ରତ୍ୟକ୍ଷରେ ବଳଭଦ୍ରଙ୍କ ମୃତ୍ୟୁ ଘଟିଥିବାରୁ ରାଜା ନାରାୟଣ ସିଂହ ଓ ସରକାରଙ୍କ ସମର୍ଥକମାନଙ୍କ ଉପରେ ସେମାନଙ୍କର ବିଷଦୃଷ୍ଟି ପଡ଼ିଲା । ବଳଭଦ୍ର ସୁରେନ୍ଦ୍ର ସାଏଙ୍କ ଜଣେ ପ୍ରଧାନ ସହାୟକ ଥିଲେ । ସେ ଶୋଚନୀୟ ଭାବରେ ପ୍ରାଣ ହରାଇଥିବାରୁ ସୁରେନ୍ଦ୍ର ବିଶେଷ ଭାବରେ ମ୍ରିୟମାଣ ହୋଇପଡ଼ିଥିଲେ । ଶତ୍ରୁପତି ତାଙ୍କର କ୍ରୋଧ ଅତ୍ୟନ୍ତ ମାତ୍ରାରେ ବୃଦ୍ଧି ପାଇଥିଲା । ଖିଣ୍ଡା, ରାମପୁର ଓ ଲଖନପୁର ଚୁଲି ଇଣ୍ଡାପରି ରହିଛନ୍ତି । ଜମିଦାରୀର ସୀମା ମଧ୍ୟ ପ୍ରାୟ ଲଗାଲଗି । ରାମପୁରର ଜମିଦାର ଦରିଆଓ ସିଂହ ରାଜା ନରାୟଣ ସିଂହଙ୍କର ଜଣେ ପ୍ରଧାନ ସମର୍ଥକ ଥିଲେ । ଖ୍ରୀ୧୮୪୦ରେ ଲଖନପୁରର ଗଣ୍ଡ ବିଦ୍ରୋହୀ ଯୋଦ୍ଧାମାନେ ଓ ସୁରେନ୍ଦ୍ରଙ୍କ ଯୋଦ୍ଧୋମାନେ ଅତର୍କିତ ଭାବରେ ରାମପୁର ଆକ୍ରମଣ କଲେ । ରାଜା ଓ ସରକାରଙ୍କ ଫୌଜ ପହଞ୍ଚିବା ପୁର୍ବରୁ ଦରିଆଓ ସିଂହଙ୍କ ସିପାହୀମାନଙ୍କୁ ପରାସ୍ତ କରି ସେମାନେ ନଅର ଭିତରେ ପ୍ରବେଶ କଲେ । ଦରିଆଓ ସିଂହଙ୍କ ପିତା ଓ ପୁତ୍ର ଆକ୍ରମଣକାରୀମାନଙ୍କ ଦ୍ୱାରା ନିହତ ହେଲେ । ଶିଶୁ, ସ୍ତ୍ରୀ, ବୃଦ୍ଧ ନିର୍ବିଶେଷରେ ଦରିଆଉଙ୍କ କୁଟୁମ୍ୱର ବହୁଲୋକ ହାଣ ଖାଇଲେ । ରାମପୁରର ଏହି ଘଟଣା ସମ୍ୱଲପୁର ଜିଲ୍ଲାରେ ଚହଳ ପକାଇଦେଲା । ସୁରେନ୍ଦ୍ରଙ୍କ ସମର୍ଥକମାନେ ଏଥିରେ ଆନନ୍ଦ ଲାଭକରି ବିଶେଷ ଭାବରେ ଉତ୍ସାହିତ ହୋଇପଡ଼ିଲେ; କିନ୍ତୁ ବିପକ୍ଷ ଓ ନିରପେକ୍ଷ ଲୋକଙ୍କ ମନରେ ଦୁଃଖର ଛାୟା ଖେଳିଗଲା । ସୁରେନ୍ଦ୍ରଙ୍କ ପ୍ରରୋଚନରରେ ଏହି କଦର୍ଯ୍ୟ ଘଟଣା ସମ୍ଭବ ହୋଇଥିବାରୁ ତାଙ୍କର ଏହି କାର୍ଯ୍ୟକୁ କେହି ସମର୍ଥନ କରିନଥିଲେ । ଏହି ଭୟାବହ ଘଟଣାପରେ ରାଜା ନାରୟଣ ସିଂହ ଓ ସରକାରୀ ହାକିମମାନେ ବିଚଳିତ ହୋଇପଡ଼ିଲେ ଏବଂ ଲୋକେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ ।

 

ସରକାର ଏହି ଘଟଣାର ତଦନ୍ତ କରି ସୁରେନ୍ଦ୍ର, ଓ ତାଙ୍କ ଭାଇ ଉଦନ୍ତ ସାଏ ଓ କକା ବଳରାମ ସିଂହଙ୍କୁ ଏହିପାଇଁ ଦାୟୀ କଲେ । ଏମାନଙ୍କୁ ଗିରଫ କରାଯାଇ ଏମାନଙ୍କ ବିରୁଦ୍ଧରେ ମୋକଦ୍ଦମା ହେଲା । ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତ ଓ କକା ବଳରାମ ସିଂହ ଏଥିରେ ଆଦୌ ସମ୍ପୃକ୍ତ ନୁହନ୍ତି ବୋଲି ଯୁକ୍ତି କଲେ । ବିଚାରରେ ଏ ତିନି ଜଣଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଆଦେଶ ହେଲା । ସମ୍ୱଲପୁର ଜିଲ୍ଲାରେ ଜେଲ୍‍ ଭିତରେ ରାଜନୈତିକ ବନ୍ଦୀ ହିସାବରେ ଏମାନଙ୍କୁ ରଖାଗଲା-। କିଛି ସମୟ ପରେ ଏମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଏମାନଙ୍କୁ ହଜାରିବାଗ ଜେଲ୍‍କୁ ସ୍ଥାନାନ୍ତରିତ କରାଗଲା ।

☆☆☆

 

ତୃତୀୟ ଅଧ୍ୟାୟ

ସୁରେନ୍ଦ୍ରଙ୍କର ପୁଣି ବିଦ୍ରୋହ

 

ଖ୍ରୀ ୧୮୫୭ରେ ସିପାହୀ ବିଦ୍ରୋହୀମାନେ ହଜାରିବାଗ ଜେଲ୍‍ ଭାଙ୍ଗି ସବୁ ବନ୍ଦୀଙ୍କୁ ଖଲାସ କରିଦେଲେ । ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦ୍‌ବନ୍ତ ସାଏ ଜେଲ୍‍ରୁ ମୁକ୍ତହୋଇ ଗାଙ୍ଗପୁର ଗଡ଼ଜାତ ବାଟେ ସମ୍ୱଲପୁର ଜିଲ୍ଲା ଭିତରେ ପଶିଲେ ।

 

ସମ୍ୱଲପୁରର ଶାସକମାନେ ଭାବିଲେ ଯେ ସୁରେନ୍ଦ୍ର ସମ୍ୱଲପୁର ଗଡ଼ ଦଖଲ କରିବା ଉଦ୍ଦେଶ୍ୟରେ ଅଗ୍ରସର ହେଉଛନ୍ତି । ଏହି ଆଶଙ୍କାରେ ତାଙ୍କର ଗତିରୋଧ କରି ତାଙ୍କୁ ପୁଣି ଧରିନେବା ପାଇଁ ଉଦ୍ୟମ କଲେ ।

 

ହଜାରୀବାଗରେ ୮ନମ୍ୱର ସିପାହୀ କମ୍ପାନୀର ସିପାହୀମାନେ ବିଦ୍ରୋହରେ ଯୋଗ ଦେଇଛନ୍ତି ଏବଂ ସେମାନେ ସମ୍ୱଲପୁର ଅଭିମୁଖରେ ଯାତ୍ରା କରିଛନ୍ତି ବୋଲି ଖବରପାଇ ସମ୍ୱଲପୁରର ଶାସକମାନେ ବିଚଳିତ ହୋଇପଡ଼ିଲେ । କଟକ କମିସନର କକ୍‌ବର୍ଣ୍ଣ ସାହେବ ସମ୍ୱଲପୁରକୁ ଦଳେ ମାନ୍ଦ୍ରାଜୀ ସୈନ୍ୟ କାପ୍‌ଟେନ୍‌ ଲେଙ୍କ ନେତୃତ୍ୱରେ ପଠାଇଲେ । ହଜାରୀବାଗର ବିଦ୍ରୋହୀଦଳ ସମ୍ୱଲପୁରଆଡ଼କୁ ମାଡ଼ିଆସୁଥିବା ଗୁଜବ ଠିକ୍‌ ନୁହେଁ ବୋଲି ପରେ ଜଣାପଡ଼ିଲା କାପ୍‌ଟେନ୍‌ ଲେ ଅଗଷ୍ଟ ମାସ ଶେଷ ବେଳଙ୍କ ସମ୍ୱଲପୁରରେ ପହଞ୍ଚିଲେ ।

 

କାପ୍‌ଟେନ୍ ଲେ ସମ୍ୱଲପୁରରେ ମୁଖ୍ୟ ଆସିଷ୍ଟାଣ୍ଟ କମିଶନର ରୂପେ ନିଯୁକ୍ତ ହୋଇ ଅବସ୍ଥାନ କଲେ । ସମ୍ୱଲପୁରରୁ ରାଜକୋଷ ମଧ୍ୟ ହରଣଚାଳ ହେବାର ମସୁଧା ହୋଇଥିଲା । ବିଦ୍ରୋହୀମାନେ ରାଞ୍ଚି ସେନାନାୟକଙ୍କ ଜାଲ ଦସ୍ତଖତରେ ସମ୍ୱଲପୁର ପାଇକ କମ୍ପାନୀର ସୁବାଦାର ଶେଖ୍‌ ପଞ୍ଚକଉଡ଼ି ଖାଁଙ୍କଠାରୁ ପତ୍ର ଲେଖିଲେ ବନ୍ଦୀଶାଳାରୁ ସବୁ କଏଦୀଙ୍କୁ ମୁକ୍ତ କରିଦିଅ । ରାଜକୋଷରେ ଯେତେ ଟଙ୍କା ଅଛି, ତାକୁ ଏହି କଏଦୀମାନଙ୍କ ସାହାଯ୍ୟରେ ରାଞ୍ଚିକୁ ପଠାଇଦିଅ ।’’ ଯଦି ଜେଲ୍‍ରୁ କଏଦୀମାନଙ୍କୁ ଖଲାସ କରି ଦିଆଯାଇଥାନ୍ତା ଏବଂ ଏହାପରେ ଏହି କଏଦୀମାନଙ୍କ ସାହାଯ୍ୟରେ ରାଜକୋଷକୁ ରାଞ୍ଚି ପଠାଇବା ବ୍ୟବସ୍ଥା ହୋଇଥାଆନ୍ତା, ତାହାହେଲେ ନିଶ୍ଚୟ ବିଦ୍ରୋହୀମାନେ ବାଟରେ ଟଙ୍କାକୁ ଛଡ଼ାଇନେଇ କଏଦୀମାନଙ୍କୁ ସେମାନଙ୍କ ଦଳ ଭିତରକୁ ଟାଣିନେଇ ଥାଆନ୍ତେ । ଏହା ଘଟିଥିଲେ ସମ୍ୱଲପୁରରେ ଇଂରେଜ ରାଜତ୍ୱର ଅବସ୍ଥା ଯେ ଅତି ଶୋଚନୀୟ ହୋଇପଡ଼ିଥାଆନ୍ତା ଏଥିରେ କୌଣସି ସନ୍ଦେହ ନାହିଁ । ଇଂରେଜମାନଙ୍କ ଭାଗ୍ୟକୁ ସୁବାଦାର ଶେଖ ପାଞ୍ଚକଉଡ଼ି ଖାଁ କାପ୍‌ଟେନ୍ ଲେଙ୍କୁ ଏହି ଚିଠି କଥା ପ୍ରକାଶ କରିଦେଲେ । ଲେ ହୁସିଆର ହୋଇଯାଇ ଜେଲ୍‍ ଓ ରାଜକୋଷ ରକ୍ଷାର ସୁବ୍ୟବସ୍ଥା କରିବାକୁ ଲାଗିଲେ ।

 

ସମ୍ୱଲପୁରରୁ କାପ୍‌ଟେନ୍ ଲେ ଚାଇଁବସା ଆଡ଼କୁ ଅଗ୍ରସର ହେଲେ । ତାଙ୍କ ସାଙ୍ଗରେ ଷଢ଼େଇକଳାର ରାଜା, ଖରସୁଆର ରାଜା ଓ ତିନିହଜାର କୋହ୍ଲଥିଲେ । ସେପ୍‌ଟେମ୍ୱର ୧୬ତାରିଖରେ ଚାଇଁବସାରେ ଲେ ପହଞ୍ଚିଲେ । ଯେଉଁ ଯେଉଁ ଅଞ୍ଚଳରୁ ଭୟରେ ଶାସକମାନେ ପଳାଇଯାଇଥିଲେ ଏବଂ ଶାସନ ବ୍ୟବସ୍ଥା ଭାଙ୍ଗିପଡ଼ିଥିଲା, ସେଥିରୁ ଅଧିକାଂଶ ସେପ୍‌ଟେମ୍ୱର ଶେଷ ବେଳକୁ ଆୟତ୍ତାଧୀନ ହୋଇଗଲା । ଏପଟରୁ ନିଶ୍ୱାସ ମାରିବାକୁ ସମୟ ପାଇବାରୁ ଶାସକମାନେ ସମ୍ୱଲପୁରଆଡ଼କୁ ଦୃଷ୍ଟି ଦେଲେ ।

 

ସମ୍ୱଲପୁରରେ ସେତେବେଳେ ଯେଉଁ ପୋଲିସ ଥିଲେ, ସେମାନଙ୍କ ସଂଖ୍ୟା ସରକାର ବୃଦ୍ଧି କରିଦେଲେ । ଅଧିକା ୮୦ଜଣ ସିପାହୀଙ୍କୁ ନିଯୁକ୍ତି କରାଗଲା । ରାମଗଡ଼ ବାଟାଲିଅନ୍‌ର ଦେଢ଼ଶହ ସିପାହୀ ଓ ୧୨ଜଣ ଅଶ୍ୱାରୋହୀ ସିପାହୀ ଇଂରେଜମାନଙ୍କ ପ୍ରତି ଅନୁରକ୍ତ ରହିଥିବାରୁ ସେମାନଙ୍କୁ ସମ୍ୱଲପୁରରେ ରଖାଗଲା ।

 

ସଂଘର୍ଷର ପ୍ରାରମ୍ଭ

 

ଅକ୍ଟୋବର ମାସ ପ୍ରଥମ ଭାଗରେ ସମ୍ୱଲପୁରରେ ଖବର ପହଞ୍ଚିଲା ଯେ ସୁରେନ୍ଦ୍ର ସାଏ ବହୁ ଲୋକଙ୍କୁ ଧରି ସମ୍ୱଲପୁର ସହର ନିକଟରେ ପହଞ୍ଚିଲେଣି ଏବଂ ସମ୍ୱଲପୁରର ଗାଦି ପାଇବା ପାଇଁ ସେ ଗଡ଼ ଆକ୍ରମଣ କରିବା ମତଲବରେ ଅଛନ୍ତି ।

 

ସମ୍ୱଲପୁରରେ ଅବସ୍ଥିତ ସୈନ୍ୟବାହିନୀକୁ ସୁସଜ୍ଜିତ କରି ଇଂରେଜ ଶାସକମାନେ ସୁରେନ୍ଦ୍ର ସାଏଙ୍କ ଆକ୍ରମଣ ଅପେକ୍ଷାରେ ରହିଲେ । ସୁରେନ୍ଦ୍ର ସାଏଙ୍କ ସାଥିରେ ବହୁଲୋକ ଥିବାର ଆଶଙ୍କାକରି ଇଂରେଜମାନେ ଆଗରୁ ହୁସିଆର ହେଲେ । ପୂର୍ବେ ତ ସୁରେନ୍ଦ୍ର ସାଏ ବିଦ୍ରୋହ କରିଥିଲେ । ବର୍ତ୍ତମାନର ଅନିଶ୍ଚିତ ଅବସ୍ଥାର ସୁଯୋଗ ସେ ନ ନେବେ, ଏ କଥା କିଏ ବିଶ୍ୱାସ କରିବ ? ହୁଏତ ସିପାହୀ ବିଦ୍ରୋହର ନିଆଁହୁଳା ଧରି ସେ ସମ୍ୱଲପୁର ଆସୁଥିବେ, ଏହି ଆଶଙ୍କା ଶାସକମାନଙ୍କର ମନେହେଲା । ସୁରେନ୍ଦ୍ରଙ୍କୁ ବିଦ୍ରୋହୀ ବୋଲି ଘୋଷଣା କରି ତାଙ୍କୁ ଧରିବା ପାଇଁ ପୁରସ୍କାର ଦିଆଯିବାର ସିଦ୍ଧାନ୍ତ ସରକାର ପ୍ରକାଶ କଲେ । ସୁରେନ୍ଦ୍ର ସାଏ ଜଣାଇଲେ ଯେ ଏପରି ଆଶଙ୍କା କରିବାର କୌଣସି କାରଣ ନାହିଁ । କେବଳ କମିଶନରଙ୍କ ସହିତ ଦେଖାକରି ତାଙ୍କର ଦୁଃଖ ଗୁହାରି ଜଣାଇବା ପାଇଁ ସେ ଗଡ଼ ଆଡ଼କୁ ଆସୁଥିଲେ । ସେ କେବେ ସାଙ୍ଗରେ ଅନ୍ୟ ଲୋକଙ୍କୁ ଆଣିନଥିଲେ । ଯେଉଁମାନେ ତାଙ୍କ ସାଙ୍ଗରେ ଆସୁଥିଲେ ସେମାନେ କେବଳ ଦେଖଣାହାରୀ, ତାଙ୍କ ଇଚ୍ଛା ବିରୁଦ୍ଧରେ ଆସୁଥିଲେ । ତାଙ୍କ ପ୍ରତି ସେହି ଲୋକଙ୍କ ସ୍ନେହ ଓ ଭକ୍ତି ଥିବାରୁ ସେମାନେ ତାଙ୍କ ସାଙ୍ଗରେ ଆସୁଥିଲେ ମାତ୍ର । ସରକାର ତାଙ୍କୁ ବିଦ୍ରୋହୀ ବୋଲି ଘୋଷଣା କରିଥିବାରୁ ସୁରେନ୍ଦ୍ର ଦୁଃଖିତ ହୋଇ ସରକାରଙ୍କଠାରେ ଆପତ୍ତି କଲେ । ପରବର୍ତ୍ତୀ କେତେକ ଘଟଣା ସୁରେନ୍ଦ୍ର ନିଜେ ଯେଉଁ ଦରଖାସ୍ତ ବଡ଼ ଆସିଷ୍ଟାଣ୍ଟ କମିଶନଙ୍କ ପାଖକୁ ପଠାଇଥିଲେ ସେଥିରୁ ବେଶ୍‍ ଜଣାପଡ଼ିଛି । ୧୮୫୭ ଅକ୍ଟୋବର ମାସ ୧୩ ତାରିଖରେ ସେ ଯେଉଁ ଦରଖାସ୍ତ ପଠାଇଥିଲେ ତାର ସାରାଂଶ ହେଉଛି :–

 

‘‘ଦରଖାସ୍ତକାରୀ ତାର ବର୍ତ୍ତମାନର ଦୂରାବସ୍ଥା ଆପଣଙ୍କୁ ଜଣାଇ, ଆପଣଙ୍କ ଶରଣାର୍ଥୀ ହୋଇ, ତାର ଯେତେ ଦୁଃଖଗୁହାରୀ ଅଛି ତାହାର ବିହିତ ପ୍ରତିକାର ପାଇଁ ଆପଣଙ୍କ ପାଖେ ନିବେଦନ କରିବା ଉଦ୍ଦେଶ୍ୟରେ ସମ୍ୱଲପୁର ଆସୁଥିଲା । ତାଙ୍କ ମୁକ୍ତିର ଅବସ୍ଥା ଏହିପରି—ତାଙ୍କ କକା ସମ୍ୱଲପୁର ରାଜା ନରାୟଣ ସିଂହଙ୍କ ସହିତ ତାଙ୍କ ଗୃହବିବାଦ ଯୋଗୁଁ ଅପଡ଼ ହେଲା । ଏହି ଗୃହବିବାଦ ଯୋଗୁ ତାଙ୍କୁ ଓ ତାଙ୍କ ଭାଇ ଉଦନ୍ତ ସାଏଙ୍କୁ କୃଷ୍ଣପୁର (କିଶନପୁର)ରେ ବନ୍ଦୀରୂପେ ରଖାଗଲା । ପରେ ମିଷ୍ଟର କ୍ରଫୋର୍ଡଙ୍କ ସମୟରେ ବାୟୁ ପରିବର୍ତ୍ତନ ସକାଶେ ଅନ୍ୟାନ୍ୟ ରାଜବନ୍ଦୀଙ୍କ ସହିତ ତାଙ୍କୁ ଓ ତାଙ୍କ ଭାଇଙ୍କୁ ହଜାରୀବାଗ ଜେଲ୍‍କୁ ପଠାଇ ଦିଆଗଲା । ହଜାରୀବାଗରେ ୮ମ ରେଜିମେଣ୍ଟର ଯେଉଁ ଦୁଇଟି କମ୍ପାନୀ ସୈନ୍ୟ ଦଳ ଥିଲେ ସେମାନେ ବିଦ୍ରୋହ କରି ଜେଲ୍‍ରୁ ବନ୍ଦୀମାନଙ୍କୁ ଦିନ ଦ୍ୱିପହରରେ ଖଲାସ କରିଦେଲେ ନିଜ ଘରକୁ ହେଉ କି ଯେ ଯେଉଁ ସ୍ଥାନକୁ ଯିବାପାଇଁ ଇଚ୍ଛାକଲା ସେ ସ୍ଥାନକୁ ଯିବାକୁ ସେମାନେ କହିଲେ ।

 

‘‘ଅନ୍ୟାନ୍ୟ ଜିଲ୍ଲା ଓ ଗଡ଼ଜାତର ବନ୍ଦୀମାନେ ନିଜ ନିଜ ଘରକୁ ଯିବାପାଇଁ ବାହାରିଲେ; କିନ୍ତୁ ସେ ଓ ତାଙ୍କ ଭାଇ ନିର୍ଦ୍ଦୋଷ ହେଲେ ମଧ୍ୟ ବିନା କାରଣରେ ୧୮ବର୍ଷକାଳ ଜେଲ୍‍ଦଣ୍ଡ ଭୋଗିଥିବାରୁ ଛୋଟନାଗପୁର କମିଶନରଙ୍କ ଆଗରେ ଉପସ୍ଥିତ ହୋଇ ତାଙ୍କ ଅନୁମତି ଅନୁସାରେ ନିଜ ଘରକୁ ବାହୁଡ଼ିଯିବାକୁ ସ୍ଥିର କଲେ । ଏହି ଉଦ୍ଦେଶ୍ୟରେ ସେମାନେ ରାଞ୍ଚିର ପ୍ରାୟ ୧୫-୧୮ମାଇଲ ଦୂରରେ ଥିବା ଗିତଞ୍ଜା ନାମକ ସ୍ଥାନରେ ପହଞ୍ଚିଲେ; କିନ୍ତୁ ସେଠାରେ ସେମାନେ ଶୁଣିଲେ ଯେ ବେସାମରିକ ଓ ସାମରିକ କର୍ତ୍ତୃପକ୍ଷ ରାଞ୍ଚି ପଳାଇଛନ୍ତି; ସେଠାରେ ଥିବା ରାମଗଡ଼ ବାଟାଲିଆନର ସୈନ୍ୟଦଳ ବିଦ୍ରୋହ କରିଅଛନ୍ତି ଏବଂ ସେଠାରେ ବେଶି ଗୋଳ ଅବସ୍ଥା ସୃଷ୍ଟି ହୋଇଅଛି ।

 

‘‘ସେଠାରେ ଏ ଅଶାନ୍ତି ଅବସ୍ଥା ଦେଖି ସେମାନେ ନିଜର ଦୁର୍ଭାଗ୍ୟକୁ ଧିକ୍‌କାର କଲେ ଏବଂ ତାଙ୍କର ଦୁର୍ଭାଗ୍ୟ ଯେ ତାଙ୍କୁ ପୁଣି ଗୋଡ଼ାଉଛି ଏ କଥା ଭାବିଲେ । ଶେଷରେ ସ୍ଥିର କଲେ, ସେ ନିଜ ଜିଲ୍ଲାକୁ ଫେରିଯାଇ, ସେଠାରେ ଆସିଷ୍ଟାଣ୍ଟ କମିସନରଙ୍କ ସଙ୍ଗେ ଦେଖାକରିବେ ଉପ କର୍ତ୍ତୃପକ୍ଷଙ୍କ ମଞ୍ଜୁରି ଆଶାରେ ସେମାନଙ୍କୁ ସେ ମୁକ୍ତି ଦେବେ ଏବଂ ତାଙ୍କ ଆଶ୍ରୟରେ ରଖିବେ । ଏହି ଆଶାରେ ସେମାନେ ନିବିଡ଼ ବଣ ଜଙ୍ଗଲ ଭିତରେ ପଶି ବହୁ ଦୁଃଖ କଷ୍ଟ ସହି ଗାଙ୍ଗପୁର ଅନ୍ତର୍ଗତ ତେଲିଆ ନାମକ ସ୍ଥାନରେ ଉପସ୍ଥିତ ହେଲେ; କିନ୍ତୁ ତାଙ୍କ ଦୁର୍ଭାଗ୍ୟକୁ ତାଙ୍କୁ ଓ ଉଦନ୍ତଙ୍କୁ ଭୀଷଣ ଜ୍ୱର ହେଲା । ଉଦନ୍ତ ବଞ୍ଚିବାର ଆଶା ନଥିଲା । ସେଥିପାଇଁ ଯାତ୍ରାରେ ଡେରି ହେଲା; କିନ୍ତୁ ଭଗବାନଙ୍କ କୃପାରୁ ଜ୍ୱରମୁକ୍ତ ହେବା ପରେ ସେମାନେ ପୁଣି ସମ୍ୱଲପୁରଆଡ଼କୁ ଚାଲିଲେ ।

 

‘‘ଏହି ସମୟରେ ସେ ଶୁଣିଲେ ଯେ, ତାଙ୍କର ଗୁପ୍ତ ଓ ପ୍ରକାଶ୍ୟ ଶତ୍ରୁମାନେ ସ୍ୱ ସ୍ୱ ସ୍ୱାର୍ଥ ସିଦ୍ଧି ପାଇଁ ଆସିଷ୍ଟାଣ୍ଟ କମିଶନରଙ୍କ କାନରେ ତାଙ୍କ ବିରୁଦ୍ଧରେ ନାନା କଥା କହି ତାଙ୍କୁ ବିଦ୍ରୋହୀ ବୋଲି ଘୋଷଣା କରିବାରେ ସମର୍ଥ ହୋଇପାରିଛନ୍ତି । ତାଙ୍କୁ ଯେ ଧରାଇ ଦେବ ସେ ପୁରସ୍କାର ପାଇବ ବୋଲି ମଧ୍ୟ ଘୋଷଣା ହୋଇଛି । ଏଥିରେ ସେ ଭୟ ପାଇ କମିଶନରଙ୍କ ନିକଟକୁ, ନ ଆସି ଅଟକି ଗଲେ । ସେ ଆଶଙ୍କା କଲେ ଯେ, ଯଦି ସେ ହାକିମଙ୍କ ପାଖକୁ ଯାଆନ୍ତି ତାହାହେଲେ ତାଙ୍କ ଶତ୍ରୁମାନେ ନାନା ମିଥ୍ୟା ଦୋଷ ଆରୋପ କରି, କମିଶନରଙ୍କୁ ପ୍ରଭାବିତ କରି, ତାଙ୍କୁ ଧରାଇ ନେଇ ପୁନର୍ବାର ବିନା କାରଣରେ ଦଣ୍ଡ ଦେବେ । ହାକିମଙ୍କର ଆଶ୍ରୟପ୍ରାପ୍ତି ତାଙ୍କ ପକ୍ଷରେ ଏହି ଅବସ୍ଥାରେ ଆଦୌ ସମ୍ଭବପର ନ ଥିଲା । ତାଙ୍କର ଶତ୍ରୁମାନଙ୍କ ଚକ୍ରାନ୍ତରୁ ରକ୍ଷାପାଇବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସାଦୀଙ୍କ କଥାରେ’’ ଇରାନରୁ ଗୁଣିଆଠାରୁ ଔଷଧ ଆସିବା ପୂର୍ବରୁ ସାପ ମାରିଥିବା ଲୋକର ମୃତ୍ୟୁ ହୋଇ ସାରିଥିବ ।’’

 

‘‘ଏହି ସବୁ କାରଣରୁ ସେ ଓ ତାଙ୍କ ଭାଇ ହାକିମଙ୍କ ସାଙ୍ଗରେ ଦେଖାକରିବା ପାଇଁ ବ୍ୟାକୁଳ ହୋଇ ନିଜ ଚାକରବାକରଙ୍କୁ ସାଙ୍ଗରେ ନେଇ ସମ୍ୱଲପୁର ଗଡ଼କୁ ଆସୁଥିଲେ । କିନ୍ତୁ ଯହୁଁ ଯହୁଁ ଗଡ଼ ନିକଟ ହେଲା ତହୁଁ ତହୁଁ ବହୁ ଲୋକ ରୁଣ୍ଡ ହୋଇ ତାଙ୍କ ସହିତ ଗଡ଼ ପର୍ଯ୍ୟନ୍ତ ଆସିଲେ । ସେ କୌଣସି ସ୍ଥାନରେ ବାଧା ନ ପାଇ ଓ କାହାରି କିଛି ଅନିଷ୍ଟ ନ କରି ସମ୍ୱଲପୁର ପାଖରେ ପହଞ୍ଚିଛନ୍ତି ।

 

‘‘କିଛି ଦୂରରୁ ସେମାନେ ଦେଖିଲେ ଯେ ସେମାନଙ୍କୁ ଧରିବାପାଇଁ ହାକିମ ଦଳେ ଘୋଡ଼ାସବାର ସୈନ୍ୟଙ୍କୁ ପଠାଇଛନ୍ତି । ଭୟରେ ଏହି ସୈନ୍ୟମାନଙ୍କୁ ସେ ଡାକି ନିଜର ଅଭିଳାଷ ସେମାନଙ୍କୁ ଜଣାଇଲେ । ସେ ବିଦ୍ରୋହ କରିବାକୁ ଆସିନାହାନ୍ତି; ଆସିଷ୍ଟାଣ୍ଟ କମିଶନରଙ୍କ ବାହୁଛାୟା ତଳେ ଆଶ୍ରୟ ନେଇ ତାଙ୍କଠାରେ ଶରଣ ପଶିବାକୁ ଆସୁଛଛି; ତାଙ୍କ ପ୍ରତି ସରକାରଙ୍କ ଦୟା ହେଉ, ଏହି ଉଦ୍ଦେଶ୍ୟରେ ସମ୍ୱଲପୁର ଯାଉଛନ୍ତି ବୋଲି ବହୁତ ବୁଝେଇଲେ । କିନ୍ତୁ ସୈନ୍ୟମାନେ ସେ କଥା ନ ଶୁଣି ତାଙ୍କୁ ହାକିମଙ୍କ ପାଖକୁ ଯିବାପାଇଁ ଛାଡ଼ି ନ ଦେଇ ବାଟରେ ଉପସ୍ଥିତ ହେଲେ । ସୌଭାଗ୍ୟକୁ, ନିଜେ ହାକିମ ସେଠାରେ ଉପସ୍ଥିତ ହେଲେ । ସେମାନେ ପୂର୍ବର ବହୁଦିନର ଅଭିଳାଷ ଅନୁସାରେ ହାକିମଙ୍କ ଗୋଡ଼ତଳେ ପଡ଼ିଲେ, ତାଙ୍କ ଗୋଡ଼ଧୂଳି ଚୁମ୍ୱନ କଲେ ଏବଂ ସେମାନଙ୍କୁ ଯେଉଁ ନିର୍ଦ୍ଦେଶ ଦିଆଗଲା ତାହା ମନଯୋଗ ସହକାରେ ଶୁଣିଲେ ।

 

‘‘ହାକିମ ସାହେବଙ୍କ ସଙ୍ଗେ ଦେଖାହେବା ପରେ ସେମାନଙ୍କର ମନରେ ବଳ ଆସିଗଲା । ସେମାନଙ୍କ ସାଙ୍ଗରେ ଯେଉଁସବୁ ଲୋକ ଆସିଥିଲେ ସେମାନଙ୍କୁ ଯେଝା ଘରକୁ ବାହାରିଯିବା ପାଇଁ କହିଲେ । ଉଦନ୍ତ ଘରକୁ ବାହାରି ଗଲେଣି । କେବଳ ସେ (ସୁରେନ୍ଦ୍ର) କମିଶନରଙ୍କ ପାଖରେ ଶରଣାର୍ଥୀ ହୋଇ ପଡ଼ି ରହିଛନ୍ତି । ସେ ପ୍ରାର୍ଥନା କରୁଛନ୍ତି କି, ‘‘ସେମାନଙ୍କ ଦୂରବସ୍ଥାକୁ ଲୋପକରି ଉନ୍ନତ ବିଧାନ କରାଯାଉ, ଯେପରି କି ସେମାନେ ଚିରଦିନ ସରକାରଙ୍କ ଆଜ୍ଞାଧୀନ ପ୍ରଜାହୋଇ ସୁଖରେ ରହିଥିବେ ।’’ ଦରଖାସ୍ତକାରୀ ଇଷ୍ଟଇଣ୍ଡିଆ କମ୍ପାନୀଙ୍କର ରାଜତ୍ୱ ଦୀର୍ଘଜୀବୀ ହେଉ ଏହି କାମନା କରିଛନ୍ତି । ଦରଖାସ୍ତକାରୀଙ୍କର ପୂର୍ବପୁରୁଷମାନେ ବହୁ ଯୁଗ ପୂର୍ବେ ଏହି ଜିଲ୍ଲାକୁ ଆସିଥିଲେ; କିନ୍ତୁ ଏ ପର୍ଯ୍ୟନ୍ତ କେହି ସେମାନଙ୍କ ଚରିତ୍ର ଉପରେ ଆକ୍ଷେପ କରିନାହାନ୍ତି, ମହାରାଜା ନାରୟଣ ସିଂହ ଦେଓ ବାହାଦୂରଙ୍କ ତାଙ୍କ ପ୍ରତି ବିଦ୍ୱେଷ ଭାବ ଥିବାରୁ ତାଙ୍କୁ ବନ୍ଦୀ କରାଇନେଲେ, ଏହାମଧ୍ୟ ସେ ଲେଖିଛନ୍ତି ।

 

ହୁଏତ, କମିଶନରଙ୍କୁ ଏହା ଅସମ୍ଭବ ପ୍ରତୀୟମାନ ହୋଇଥାଇପାରେ । ‘‘ମହାରାଜା ନାରାୟଣ ସିଂହଦେଓ ସେମାନଙ୍କ ପ୍ରତି ବୈରଭାବ ରଖି ସେମାନଙ୍କୁ ଜେଲ୍‍ଦଣ୍ଡ ଭୋଗ କରେଇଥିଲେ ମଧ୍ୟ ସରକାରଙ୍କ ପ୍ରତି ସେମାନଙ୍କର କାୟମନୋବାକ୍ୟରେ ଅନୁରକ୍ତି ରହିଛି, ସିପାହୀମାନେ ସେମାନଙ୍କୁ ଜେଲ୍‌ରୁ ମୁକ୍ତ କରିଦେଇଥିଲେ ମଧ୍ୟ ସ୍ୱେଚ୍ଛାପ୍ରଣୋଦିତ ହୋଇ ସେମାନେ କମିଶନରଙ୍କ ପାଦତଳେ ଶରଣ ପଶିବା ପାଇଁ ଆସିଛନ୍ତି, ସେମାନଙ୍କ ଧନସମ୍ପତ୍ତି ଜୀବନ ଓ ସଂସାରର ହାକିମ ପୂରା ମାଲିକ । ସେଥିପାଇଁ ସେମାନେ ଯଥୋଚିତ ନ୍ୟୟବିଚାର ନିମନ୍ତେ ପ୍ରାର୍ଥନା କରୁଛନ୍ତି ।’’

 

ସୁରେନ୍ଦ୍ରଙ୍କ ଅର୍ଜି ଉପରେ ହାକିମଙ୍କ ମନ୍ତବ୍ୟ

 

ସୁରେନ୍ଦ୍ର ସାଏ ଯେଉଁ ଅର୍ଜି ଆସିଷ୍ଟାଣ୍ଟ କମିଶନରଙ୍କଠାରେ ଦାଖଲ କରିଥିଲେ, ତା’ଉପରେ ହାକିମ ମନ୍ତବ୍ୟ ପ୍ରକାଶ କଲେ ଯେ, ସୁରେନ୍ଦ୍ର ସାଏ ବୋଧହୁଏ ଆଶା କରୁଛନ୍ତି, ତାଙ୍କର ବନ୍ଦୀକାଳ କଟେଇ ଦିଆଯାଇ ତାଙ୍କୁ ମୁକ୍ତି କରିଦିଆଯିବ । ସୁରେନ୍ଦ୍ର ଓ ତାଙ୍କ ଭାଇ ସାଙ୍ଗରେ ସମ୍ୱଲପୁର ପର୍ଯ୍ୟନ୍ତ ଯେଉଁ ପାଞ୍ଚ ସାତ ହଜାର ଲୋକ ଆସିଥିଲେ ସେମାନେ ସାଏଙ୍କ ଆଦେଶ ଅନୁସାରେ ଯେଝା ଘରକୁ ସେଠାରୁ ଚାଲିଯାଇଥିବାରୁ ସେମାନଙ୍କ ସମ୍ୱନ୍ଧରେ ବିଶେଷ ଭାବରେ ସନ୍ଦେହ କରିବାର ଆଉ କାରଣ ରହିଲା ନାହିଁ ବୋଲି ହାକିମ କାପ୍‌ଟେନ ଲେ ଭାବିଲେ । ଏହି ଦୃଷ୍ଟିରୁ ସାଏଙ୍କ ଅର୍ଜିକୁ ସହାନୁଭୂତିର ସହିତ ବିଚାର କରିବାପାଇଁ ସେ ତାଙ୍କର ଉପର ହାକିମଙ୍କ ପାଖକୁ ଲେଖିଲେ । ସରକାରଙ୍କ ପାଖକୁ ମଧ୍ୟ ଏହି ଅର୍ଜି ହାକିମଙ୍କ ମନ୍ତବ୍ୟ ସହ ପଠାଇ ଦିଆଗଲା । ସରକାର ଅକ୍ଟୋବର ୧୨ ତାରିଖରେ ଲେଖି ଜଣାଇଲେ—ସାଏଙ୍କ ଆଡ଼ୁ ଯଦି କୌଣସି ବିପଦର ଆଶଙ୍କା ନ ଥାଏ, ତାହାହେଲେ ତାଙ୍କର ବନ୍ଦୀକାଳ ମାଫ କରିଦିଆଯାଉ ଏବଂ ଭବିଷ୍ୟତରେ ସେ ଯେପରି କୌଣସି ଗଣ୍ଡଗୋଳ ନ କରନ୍ତି, ସେଥିପାଇଁ ତାଙ୍କଠାରୁ ଜାମିନ ନିଆଯାଉ ।

 

ସରକାରଙ୍କ ଏହି ମନ୍ତବ୍ୟ ପାଇବା ପରେ ଛୋଟନାଗପୁର ଅସ୍ଥାୟୀ କମିଶନର କାପ୍‌ଟେନ ଟି, ଇ, ଡାଲଟନ୍‌ ସରକାରଙ୍କୁ ସେହି ଅର୍ଜି ସମ୍ଭନ୍ଧରେ ଜଣାଇଲେ (ଅକ୍ଟୋବର ୩୦ତାରିଖ, ଛୋଟନାଗପୁର), ସୁରେନ୍ଦ୍ର ଓ ତାଙ୍କ ଭାଇ ଆପେ ଆପେ ଶରଣ ପଶିଥିବାରୁ ଅବଶ୍ୟ ତାଙ୍କର ଦାବିର ବଳ ଟିକିଏ ବୃଦ୍ଧି ପାଇଛି । କିନ୍ତୁ ସମ୍ୱଲପୁର ରାଜଗାଦୀ ପାଇଁ ସେ ଯେଉଁ ଦାବି କରିଛନ୍ତି, ତାହା କେବେ ସ୍ୱୀକାର କରାଯାଇପାରିବ ନାହିଁ । ଜେଲରେ ସେମାନେ ସତର ବର୍ଷ ଦୁଃଖକଷ୍ଟରେ କଟେଇ ସାରିଲେଣି । ବିଶେଷତଃ ସମ୍ୱଲପୁର ରାଜା ନାରାୟଣ ସିଂହଙ୍କ ସହିତ ସେମାନଙ୍କର ବିବାଦ ଥିବାରୁ ପୂର୍ବେ ବହୁତ ଗଣ୍ଡଗୋଳ ହୋଇଛି ଏବଂ କୌଣସି ଗୁରୁତର ଅପରାଧରେ ସାଏ ଦୁଇ ଭାଇଙ୍କ ସହିତ ତାଙ୍କ କକାଙ୍କୁ ମଧ୍ୟ ହଜାରୀବାଗ ଜେଲ୍‍ରେ ଯାବଜ୍ଜୀବନ ବନ୍ଦୀକରି ରଖାଯାଇଥିଲା । ଜେଲରେ ସେମାନଙ୍କ କକା ମରିଗଲେ ଏବଂ ସେମାନେ ମଧ୍ୟ ନାନା ଯନ୍ତ୍ରଣା ଭୋଗ କଲେ । ସେମାନେ ସ୍ୱତଃପ୍ରବୃତ୍ତ ହୋଇ ଆତ୍ମସମର୍ପଣ କରିଛନ୍ତି ଏବଂ ସେହିହେତୁ ସେମାନଙ୍କୁ ସର୍ତ୍ତାଧୀନ ମୁକ୍ତି ଦିଆଯାଉ । ସେମାନେ ପାଞ୍ଚ ସାତହଜାର ଲୋକ ସାଙ୍ଗରେ ଧରି ଯେପରି ଭାବରେ ସମ୍ୱଲପୁରଆଡ଼କୁ ଗତି କରିଥିଲେ, ସେଥିରେ ବିପଦର ଆଶଙ୍କା ବହୁତ ଥିଲା । ବର୍ତ୍ତମାନ ସୁଦ୍ଧା ସେହି ଆଶଙ୍କା ଦୂର ହୋଇନାହିଁ । ଯଦି ସେମାନଙ୍କୁ ମୁକ୍ତି ଦିଆଯିବ, ତାହାହେଲେ ସେମାନଙ୍କୁ କହି ଦିଆଯାଉ ଯେ ସେମାନେ ସମ୍ୱଲପୁର ଛାଡ଼ି ହଜାରୀବାଗ କି କଟକ କି ରାଞ୍ଚିରେ ନିବାସ କରିବେ । ଅବଶ୍ୟ ସେଠାରେ ସେମାନଙ୍କର (ସୁରେନ୍ଦ୍ର ଓ ଉଦନ୍ତ) ଚଳାଚଳ ପାଇଁ ସରକାର କିଛି ମାସିକ ଭତ୍ତା ଦେବେ ।

 

ସୁରେନ୍ଦ୍ରଙ୍କ ପ୍ରତିକ୍ରିୟା ଓ ପଳାୟନ

 

ସୁରେନ୍ଦ୍ର ଆଶା କରିଥିଲେ, ସରକାରଙ୍କଠାରୁ ନ୍ୟାୟ ବିଚାର ମିଳିବ; ଦାବିକୁ ସ୍ୱୀକାର କରି ତାଙ୍କ ସରକାର ତାଙ୍କୁ ରାଜା କରିବେ । ହାକିମମାନଙ୍କ ମତିଗତିରୁ ସୁରେନ୍ଦ୍ର ଜାଣିପାରିଲେ ଯେ ରାଜଗାଦୀର ଦାବି ଚିରଦିନ ସକାଶେ ତାଙ୍କୁ ତ୍ୟାଗ କରିବାକୁ ହେବ ଏବଂ ସ୍ୱସ୍ଥାନ ଛାଡ଼ି ବିଦେଶରେ ନିର୍ବାସିତ ଅବସ୍ଥାରେ ବାସ କରିବାକୁ ହେବ । ଏଥିରେ ସେ ହତାଶ ହୋଇପଡ଼ିଲେ । ତାଛଡ଼ା ସରକାର ମଧ୍ୟ ତାଙ୍କ ବିରୁଦ୍ଧରେ ଏ ଭିତରେ ବହୁତ ଆଗେଇ ଯାଉଥିବାର ସେ ଜାଣିପାରିଲେ । କଟକ, ମାନ୍ଦ୍ରାଜ, ନାଗପୁରରୁ ନୂଆ ସୈନ୍ୟଦଳ ସମ୍ୱଲପୁରରେ ସମ୍ମିଳିତ ହେଉଥିବା ଖବର ମଧ୍ୟ ସେ ଶୁଣି ପାରିଲେ । ଏହିପରି ଅବସ୍ଥାରେ ସମ୍ୱଲପୁରରେ ପ୍ରାୟ ଅଟକବନ୍ଦୀ ଭଳି ହାକିମଙ୍କ ନଜରରେ ବାସ କରିବା ଶ୍ରେୟସ୍କର ବୋଲି ମନେକଲେ ନାହିଁ ।

 

ଆଗରୁ ତ ଉଦନ୍ତ ସ୍ୱଗ୍ରାମ ଖଣ୍ଡାରେ ବାସ କରୁଥିଲେ ସୁରେନ୍ଦ୍ର ଅକ୍ଟୋବର ୩୧ତାରିଖ ଦିନ ସମ୍ୱଲପୁରରୁ ସରକାରୀ ନଜରରୁ ଖସି ପଳାଇ ଖିଣ୍ଡାରେ ହାଜର ହେଲେ । ଖିଣ୍ଡାରେ ଦୁଇଭାଇ ପୁଣି ମିଳିତ ହେବାରୁ ସରକାରଙ୍କ ପକ୍ଷରେ ଅବସ୍ଥା ଅତି ସାଘାଂତିକ ହେଲା । ସେତେବେଳକୁ ଉଦନ୍ତଙ୍କ ସାଙ୍ଗରେ ପ୍ରାୟ ୧୪୦୦ ଲୋକ ଥିଲେ ।

 

ହଜାରୀବାଗ ଜେଲରୁ ଖଲାସ ହେବାପରେ ଓଡ଼ିଶାର ବନ୍ଦୀମାନେ ସୁରେନ୍ଦ୍ରଙ୍କ ନେତୃତ୍ୱରେ ଏକ ସଭା କରି ସୁରେନ୍ଦ୍ରଙ୍କ ଦାବିକୁ ସମର୍ଥନ ଜଣାଇ ପ୍ରତିଜ୍ଞାବଦ୍ଧ ହେଲେ । ସୁରେନ୍ଦ୍ର ସମ୍ୱଲପୁରରେ ପହଞ୍ଚିବା ମାତ୍ରେ ସେମାନେ ସମସ୍ତେ ଏକତ୍ରିତ ହୋଇ ତାଙ୍କୁ ସମ୍ୱଳପୁରର ରାଜା ବୋଲି ଘୋଷଣା କରିବେ ବୋଲି ମଧ୍ୟ ସ୍ଥିର ହୋଇଥିଲା ।

 

ସୁରେନ୍ଦ୍ର ସମ୍ୱଲପୁରରୁ ସରକାରୀ ନଜରରୁ ଖସି ପଳାଇ ଭାଇଙ୍କ ସହିତ ମିଳିତ ହେବାରୁ ସରକାରୀ ମହଲରେ ଚାଞ୍ଚଲ୍ୟ ଖେଳିଗଲା । କଟକର କମିଶନର ଜି, ଏଫ୍, କକ୍‌ବର୍ଣ୍ଣ ସାହେବ ମତପ୍ରକାଶ କଲେ ଯେ ସୁରେନ୍ଦ୍ର ଯେତେବେଳେ ଧରାଦେଇଥିଲେ ସେ ସୁବିଧା ତ୍ୟାଗକରିବା ଉଚିତ ନ ଥିଲା, ତାଙ୍କୁ ଫାଶି ହେବା ହିଁ ଉଚିତ ଥିଲା; ତାଙ୍କ ପ୍ରତି ସରକାରଙ୍କ ପକ୍ଷରୁ ଯେଉଁ କୋହଳ ବ୍ୟବହାର ହେଲା ସେଥିରେ ଦୁର୍ବୃତ୍ତମାନଙ୍କ ମନରେ ସାହସ ବଢ଼ିଗଲା; ସେମାନେ ବିଦ୍ରୋହ କରିବାକୁ ସାହସ ପାଇଗଲେ । କକ୍‌ବର୍ଣ୍ଣ ସମ୍ୱଲପୁର ହାକିମମାନଙ୍କ କାର୍ଯ୍ୟକୁ ନାପସନ୍ଦ କରି ସେଠାରେ ଯଥେଷ୍ଟ ସଂଖ୍ୟାରେ ଉପଯୁକ୍ତ ହାକିମ ନାହାନ୍ତି ବୋଲି ମତବ୍ୟକ୍ତ କଲେ । ବାସ୍ତବିକ କହିବାକୁ ଗଲେ ସେଠାରେ ଅବସ୍ଥା ସେହିଭଳି ଥିଲା । କିନ୍ତୁ ଛୋଟନାଗପୁର କମିସନର କଟକ କମିଶନରଙ୍କ ମତକୁ ଅସ୍ୱୀକାର କଲେ । ଶେଷରେ ସମ୍ୱଲପୁରକୁ ବେଶି ସୈନ୍ୟ ପଠାଇବା ସିଦ୍ଧାନ୍ତ ସରକାର ଗ୍ରହଣ କଲେ ।

 

ସମ୍ୱଲପୁର ଜିଲ୍ଲା ଓ ପାଶ୍ୱବର୍ତ୍ତି ଗଡ଼ଜାତମାନଙ୍କରେ ସୁରେନ୍ଦ୍ରଙ୍କ ଯଥେଷ୍ଟ ପ୍ରତିପତ୍ତି ଥିଲା-। ଖ୍ରୀ ୧୮୦୯ରେ ସମ୍ୱଲପୁର ଜିଲ୍ଲାର ବଡ଼ଗାଁରେ ଜନ୍ମ ଗ୍ରହଣ କରିଥିଲେ । କେହି କେହି କହନ୍ତି ୧୮୦୩ରେ ସମ୍ୱଲପୁର ଜିଲ୍ଲାର ଖିଣ୍ଡାରେ ତାଙ୍କର ଜନ୍ମ । ଖିଣ୍ଡାର ଜମିଦାର ବଂଶ କ୍ଷତ୍ରିୟ ଏବଂ ସାଏ ଉପାଧି ଦ୍ୱାରା ପରିଚିତ । ଖିଣ୍ଡା ପ୍ରଗଣାର ଏହି ସାଏ ବଂଶ ସମ୍ୱଲପୁର ରାଜବଂଶଙ୍କର ଏକ ଶାଖା ବୋଲି ଦାବି କରନ୍ତି । ସୁରେନ୍ଦ୍ରଙ୍କ ଉର୍ଦ୍ଧ୍ୱର ପଞ୍ଚମ ପୁରୁଷ ଅନିରୂଦ୍ଧ ସିଂହ ସମ୍ୱଲପୁରର ମହାରାଜା ମଧୁକର ସାଏଙ୍କ ପୁତ୍ର ଓ ମହାରାଜା ବଳିଆର ସିଂହଙ୍କର ଭ୍ରାତା ଥିଲେ । ଅନିରୂଦ୍ଧଙ୍କ ପୁତ୍ର ମାଧ ସାଏ ଖିଣ୍ଡାର ଅଧିକାର ହେଲେ । ତାଙ୍କ ପୁତ୍ର ଦୀପ୍ତ ସିଂହ ଓ ପୌତ୍ରତେଜ ସିଂହ ଏହି ଖିଣ୍ଡାରେ ଜୀବନଯାପନ କରିଥିଲେ । ତେଜ ସିଂହ ପୁତ୍ର ଧର୍ମ ସିଂହ । ଧର୍ମ ସିଂହଙ୍କ ଛଅ ପୁଅ ଭିତରେ ସୁରେନ୍ଦ୍ର ହେଲା ଜ୍ୟେଷ୍ଠ । ଅନ୍ୟାନ୍ୟ ଭାଇମାନଙ୍କ ନାମ କ୍ରମାନ୍ୱୟରେ—ଉଦନ୍ତ, ଧୂରୁପ (ଧ୍ରୁବ), ଛବିଳ, ଉଜ୍ଜ୍ୱଳ ଓ ମେଦିନୀ । ସୁରେନ୍ଦ୍ରଙ୍କ ପୁତ୍ର ମିତ୍ରଭାନୁ ଓ ତାଙ୍କ ପୁତ୍ର ଗିରିଧାରୀ । ଗିରିଧାରୀଙ୍କ ପୁତ୍ର ଫକିର !

 

ଖିଣ୍ଡା ଗ୍ରାମଟି ସମ୍ୱଲପୁର ସହରର ଉତ୍ତରକୁ ୨୧ (ଏକୋଇଶି) ମାଇଲ ଦୂରରେ ଲପଙ୍ଗା ରେଳ ଷ୍ଟେସନ ନିକଟରେ ଅବସ୍ଥିତ । ଗାଁଟି ନିତାନ୍ତ ଛୋଟ ନୁହେଁ । ସମ୍ୱଲପୁରର ରାଜା ମହାରାଜା ନାରାୟଣ ସିଂହ ୧୮୪୪ରେ ସୁରେନ୍ଦ୍ରଙ୍କ କୁଟୁମ୍ୱର ଭରଣପୋଷଣ ସକାଶେ ଏହି ଖିଣ୍ଡା ପ୍ରଗଣାଟି ମଉଫି ରୂପେ ଦାନ କରିଥିଲେ । ସୁରେନ୍ଦ୍ର ଖିଣ୍ଡାରେ ବସବାସ କରୁଥିଲେ । ତାଙ୍କର ଅନ୍ୟାନ୍ୟ ଭାଇମାନେ ସମ୍ୱଲପୁର ଓ ଗାଙ୍ଗପୁରର ବିଭିନ୍ନ ସ୍ଥାନରେ ବାସ କରୁଥିଲେ । ସୁରେନ୍ଦ୍ରଙ୍କ ନିର୍ଭୀକତା, ବୀରତ୍ୱ, ତୀକ୍ଷ୍ଣବୁଦ୍ଧି ଓ ଦାବିର ଯଥାର୍ଥ୍ୟ ତାଙ୍କୁ ଖୁବ୍‌ ଲୋକପ୍ରିୟ କରିଦେଇଥିଲା ।

☆☆☆

 

ଚତୁର୍ଥ ଅଧ୍ୟାୟ

ଖିଣ୍ଡା ଆକ୍ରମଣ

 

ପ୍ରଥମେ ସିପାହୀମାନଙ୍କ ବିଦ୍ରୋହ ଆରମ୍ଭ ବେଳକୁ ସମ୍ୱଲପୁରରେ ରାମଗଡ଼ ବାଟାଲିଆନ୍‌ କମ୍ପାନୀର ୧୫୦ ପଦାତିକ ଓ ୧୨ ଜଣ ଅଶ୍ୱାରୋହୀ ସୈନ୍ୟ ଥିଲେ । ଏମାନେ ଅନ୍ୟାନ୍ୟ ସ୍ଥାନର ସିପାହୀଙ୍କ ପରି ବିଦ୍ରୋହ କରି ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା କରାଯାଉଥିଲା । କିନ୍ତୁ ସେମାନେ ଏହି ବିଦ୍ରୋହରେ ଯୋଗ ଦେଇନାହାନ୍ତି ବିଦ୍ରୋହ ବିରୁଦ୍ଧରେ ଏମାନେ ସରକାରଙ୍କୁ ମୂଳରୁ ଶେଷ ପର୍ଯ୍ୟନ୍ତ ବହୁତ ସାହାଯ୍ୟ କରିଛନ୍ତି । ଏହି ବାଟାଲିଅନର ଶକ୍ତି ଉପରେ ନିର୍ଭର କରି ରହିବା ଉଚିତ ମନେ ନ କରି ଅନ୍ୟାନ୍ୟ ସ୍ଥାନରୁ ସୈନ୍ୟ ଆଣିବା ବ୍ୟବସ୍ଥା ସରକାର କଲେ । ଅକ୍‌ଟୋବର ପ୍ରଥମ ସପ୍ତାହରେ ମାନ୍ଦ୍ରାଜର ଦଳେ ସୈନ୍ୟ କାପ୍‌ଟେନ ନୋକରଙ୍କ ଅଧିନାୟକତ୍ୱରେ କଟକରେ ପହଞ୍ଚିଲେ । ଏହି ସୈନ୍ୟ ଦଳରୁ ଦୁଇଟି କମ୍ପାନୀକୁ ଧରି କାପ୍‌ଟେନ ନୋକର ଅକ୍‌ଟୋବର ୧୦ ତାରିଖରେ କଟକ କମିଶନରଙ୍କ ଅନୁରୋଧ ଅନୁସାରେ ସମ୍ୱଲପୁରକୁ ବାହାରିଲେ । ତାଙ୍କ ସହିତ ଓଡ଼ିଶା ପାଇକ କମ୍ପାନୀର ୫୦ଜଣ ପାଇକ ମଧ୍ୟ ଗଲେ । ଏମାନେ ମାସ ଶେଷ ବେଳକୁ ସମ୍ୱଲପୁରରେ ପହଞ୍ଚିଲେ । ଜେଲଖାନା ଓ ଖଜଣାଖାନା ଜଗିବା ପାଇଁ ଯେଉଁ ସୈନ୍ୟ ନିଯୁକ୍ତ ଥିଲେ ସେମାନଙ୍କ ବଦଳରେ ପାଇକ କମ୍ପାନୀର ଲୋକେ ରହିଲେ ଏବଂ ସେମାନେ ବିଦ୍ରୋହ ଦମନରେ ନିଯୁକ୍ତ ହେଲେ । ଏହାପରେ ମାନ୍ଦ୍ରାଜରୁ ପୁଣି ଦଳେ ଗୋଳନ୍ଦାଜ ସୈନ୍ୟ ଲେଫ୍‌ଟନେଣ୍ଟ ହେଡ଼ୋଙ୍କ ନାୟକତ୍ୱରେ କଟକରେ ପହଞ୍ଚିଲେ । ସେମାନଙ୍କ ପାଖରେ କେତୋଟି ଛୋଟ ତୋପ ଥିଲା । ବଣ ଜଙ୍ଗଲରେ ବ୍ୟବହାର କରିବାପାଇଁ ଏହି ଛୋଟ ତୋପ ଖୁବ୍‌ ଉପଯୁକ୍ତ ଥିବାରୁ କଟକ କମିଶନର କକବର୍ଣ୍ଣଙ୍କ ଅନୁରୋଧ ଅନୁସାରେ କଟକ ସେନାଧ୍ୟକ୍ଷ ମେଜର ବେଟ୍‌ସ ଏହି ଗୋଳନ୍ଦାଜ ସୈନ୍ୟଦଳକୁ ସମ୍ୱଲପୁର ପଠାଇ ଦେଲେ । ଏମାନେ ଖୁବ୍‍ ଦ୍ରୁତଗତିରେ ସମ୍ୱଲପୁରରେ ପହଞ୍ଚିଗଲେ ।

 

ନଭେମ୍ୱର ମାସ ପ୍ରଥମ ସପ୍ତାହରେ ଖିଣ୍ଡା ବିରୁଦ୍ଧରେ ସରକାରୀ ଅଭିଯାନର ସୂତ୍ରପାତ ହେଲା ।

 

ଖିଣ୍ଡାର ଗୌନ୍ତିଆ ସୁରେନ୍ଦ୍ରଙ୍କୁ ସାହଯ୍ୟ କରୁଥିଲେ । ଗୌନ୍ତିଆଙ୍କ କାରଟି ଏକ ପ୍ରକାର ଦୁର୍ଗ ରୂପରେ ପରିଣତ ହୋଇଥିଲା । ଘରର କାନ୍ଥରେ ବନ୍ଧୁକ ରଖିବା ପାଇଁ ବହୁତ ଜଳା ତିଆରି କରାଯାଇଥିଲା । ସେହି ଘର ଭିତରେ ସାଏଙ୍କର ଯୋଦ୍ଧାମାନେ ବନ୍ଧୁକ ଧରି ଜଗି ରହିଥିଲେ । କାପଟେନ ନୋକର ଦଳେ ସୈନ୍ୟଙ୍କୁ ଧରି ନଭେମ୍ୱର ୫ ତାରିଖରେ ଖିଣ୍ଡାରେ ପହଞ୍ଚିଲେ । ପରେ ସେହିଦିନ ଲେଫ୍‌ଟନଣ୍ଟ ହେଡ଼ୋ ମଧ୍ୟ ତାଙ୍କର ଗୋଳନ୍ଦାଜ ସୈନ୍ୟଦଳ ଧରି ତାଙ୍କ ସହ ମିଳିତ ହେଲେ । ଏ ଦୁଇ ଦଳ ସୈନ୍ୟର ସଂଖ୍ୟା ଓ ତୋପ ବନ୍ଧୁକ ଯଥେଷ୍ଟ ପରିମାଣରେ ଥିବା ଦେଖି ସାଏ ପକ୍ଷର ଲୋକେ ଜଙ୍ଗଲ ଭିତରକୁ ଚାଲିଗଲେ । କାପଟେନ ନୋକର ଗଉନ୍ତିଆଙ୍କ ଘରଟିକୁ ସମ୍ପୂର୍ଣ୍ଣରୂପେ ଧ୍ୱଂସ କରିଦେଲେ । ସାଏ ପକ୍ଷରଲୋକେ ଜଙ୍ଗଲ ଭିତରେ ଲୁଚି ରହିଯିବାରୁ ସେମାନଙ୍କ ସଂଖ୍ୟା ଜାଣିବା ମଧ୍ୟ ନୋକରଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ଆଖପାଖରେ ଖୋଜାଖୋଜି କରି ଝାର ଘାଟି ପାଖରେ ସାଏ ଦଳର କେତେକ ଲୋକଙ୍କ ସହିତ ସରକାରୀ ସୈନ୍ୟର ସଂଘର୍ଷ ହେଲା । ସେଥିରେ ସାଏ ଦଳର ପାଞ୍ଚ ଛଅ ଲୋକ ମଲେ । କିନ୍ତୁ ଆଉ ସମସ୍ତେ ଜଙ୍ଗଲ ଭିତରକୁ ଖସି ପଳାଇଲେ । ଖିଣ୍ଡାରୁ ସୁରେନ୍ଦ୍ର, ଉଦନ୍ତ ଓ ତାଙ୍କ ଦଳର ଲୋକେ ଖସି ପଳାଇ ଜଙ୍ଗଲ ବାଟେ ନିରାପଦ ସ୍ଥାନକୁ ଚାଲିଗଲେ । ସାଏ ଭାଇମାନେ ଖସି ପଳାଇବା ପରେ ସମ୍ୱଲପୁର ଓ ଆଖପାଖ ଅଞ୍ଚଳର ପରିସ୍ଥିତି ସଙ୍କଟାପନ୍ନ ହେଲା ।

 

ସରକାରୀ ସୈନ୍ୟବଳ

 

ସେପ୍‌ଟେମ୍ୱର ମାସ ଶେଷ ବେଳେକୁ ସମ୍ୱଲପୁରରେ ସରକାରୀ ସୈନ୍ୟମାନେ ରୁଣ୍ଡ ହେବାକୁ ଆରମ୍ଭ କଲେଣି । କଟକରୁ ୨୨ ତାରିଖ (ସେପ୍‌ଟେମ୍ୱର) ଦିନ ୪୦ ମାନ୍ଦ୍ରାଜ ପଦାତିକ ଦଳର ତିନୋଟି କମ୍ପାନୀ ସୈନ୍ୟ ଓ ଦଳେ ବନ୍ଧୁକଧାରୀ ସୈନ୍ୟ ବାହାରି ସମ୍ୱଲପୁର ଅଭିମୁଖରେ ଯାତ୍ରା କରିଥିଲେ ମାନ୍ଦ୍ରାଜ ସୈନ୍ୟ ବାହିନୀର ଛଅଟି କମ୍ପାନୀ, ଓଡ଼ିଶା ପାଇକ କମ୍ପାନୀର ୫୦ଜଣ ପାଇକ, ୨ଟି ଜଙ୍ଗଲୀ ତୋପ ୪୦ଜଣ ଗୋଲନ୍ଦାଜ ସୈନ୍ୟ ଓ ରାମଗଡ଼ ବାଟାଲିଆନ୍‌ର ଯେଉଁ ସୈନ୍ୟମାନେ ସମ୍ୱଲପୁର ଗଡ଼ରେ ଥିଲେ, ଏ ସମସ୍ତଙ୍କୁ ନେଇ ଆସିଷ୍ଟାଣ୍ଟ କମିଶନର କାପ୍‌ଟେନ ଲେ ବିଦ୍ରୋହ ଦମନ କରିବାକୁ ବଦ୍ଧପରିକର ହୋଇଥିଲେ ।

 

ବଣ ଜଙ୍ଗଲରେ ବିଦ୍ରୋହ ପ୍ରଚାର

 

ହଜାରିବାଗରୁ ଯେଉଁ କଏଦୀମାନେ ସୁରେନ୍ଦ୍ରଙ୍କ ସାଙ୍ଗେ ମୁକ୍ତ ହୋଇଯାଇଥିଲେ ସେମାନଙ୍କ ଭିତରୁ ଗଡ଼ଜାତର ୩୨ଜଣ ଲୋକ ଥିଲେ । ସେମାନେ ବଣ ଜଙ୍ଗଲରେ ବୁଲି ବୁଲି ଲୋକଙ୍କ ଭିତରେ ବିଦ୍ରୋହ ମନୋଭାବ ଜାଗ୍ରତ କରୁଥିଲେ । ବୌଦ ଓ କନ୍ଧମାଳରେ ସେମାନଙ୍କ ଭିତରୁ କେତେଜଣ ଗାଁକୁ ଗାଁ ବୁଲି ଲୋକଙ୍କୁ ମତାଇବାରେ ଲାଗିଲେ । କନ୍ଧମାଳର ତହସିଲଦାର ଦୀନବନ୍ଧୁ ପଟ୍ଟନାୟକ ଏହି ବିଦ୍ରୋହୀମାନଙ୍କୁ ଧରିବା ପାଇଁ ବହୁ ଉପାୟ ଅବଲମ୍ୱନ କରିଥିଲେ । ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଖୋଜାଖୋଜି ହୋଇଥିଲା । ଏହି ୩୨ଜଣଙ୍କ ଭିତରୁ ସେପ୍‌ଟେମ୍ୱର ମାସ ଶେଷ ସୁଦ୍ଧା ୧୬ଜଣ ଧରା ହୋଇଯାଇଥିଲେ । ବଳକା ୧୬ଜଣ ଜଙ୍ଗଲରେ ବୁଲି ବୁଲ ସରକାରଙ୍କୁ ବିବ୍ରତ କରିବାରେ ଲାଗିଲେ ।

 

ଚାରି ଦିଗରେ ଅଶାନ୍ତି

 

ଅକ୍‌ଟୋବର ମାସରେ ଅବସ୍ଥା ବେଳକୁବେଳ ଜଟିଳ ହୋଇପଡ଼ିଲା । ୩୧ତାରିଖ ଦିନ ସୁରେନ୍ଦ୍ର ସାଏ ସମ୍ୱଲପୁରରୁ ସରକାରୀ ନଜରରୁ ଖସି ପଳାଇବା ପରେ ଅବସ୍ଥା ଆହୁରି ସାଂଘାତିକ ହୋଇପଡ଼ିଲା । ନଭେମ୍ୱର ପରେ ଅବସ୍ଥା ଆହୁରି ସାଂଘାତିକ ହୋଇପଡ଼ିଲା । ନଭେମ୍ୱର ମାସର ପ୍ରଥମ ସପ୍ତାହ ବେଳକୁ ସମଗ୍ର ସମ୍ୱଲପୁର ଜିଲ୍ଲାରେ ବିଦ୍ରୋହର ପ୍ରଭାବ ବିସ୍ତାର ଲାଭ କରିଥିବାର ଦେଖାଗଲା ସମ୍ୱଲପୁର ଗଡ଼ର ଆଖପାଖ ଅଞ୍ଚଳରେ କେତେକ ମୁଖିଆ ଲୋକ ବିଦ୍ରୋହରେ ପ୍ରକାଶ୍ୟଭାବରେ ଯୋଗଦେଇ ସୁରେନ୍ଦ୍ରଙ୍କୁ ସାହାଯ୍ୟ କରିବାକୁ ବାହାରିଲେ । ଦଳ ଦଳ ହୋଇ ବିଦ୍ରୋହୀମାନେ ଗଡ଼ର ଚାରି ପାଞ୍ଚ ମାଇଲ ଦୂରରେ ରହି ସରକାରୀ ଘାଟି ଉପରେ ବନ୍ଧୁକ ଫାଏର କରିବାକୁ ମଧ୍ୟ ଆରମ୍ଭ କରିଦେଲେ । ଦିନବେଳେ ଜଙ୍ଗଲରେ ଲୁଚି ରହି ରାତିରେ ଗଡ଼ ନିକଟକୁ ଆସି ଉପଦ୍ରବ ସୃଷ୍ଟି କରିବାର ସାହସ ମଧ୍ୟ ସେମାନଙ୍କର ଦେଖାଗଲା ।

 

ଗଡ଼ଜାତମାନଙ୍କ ମତିଗତି

 

ଗଡ଼ଜାତର ରାଜାମାନଙ୍କ ପ୍ରତି ସରକାର କି ନୀତି ଅବଲମ୍ୱନ କରିବେ ତାହା ସରକାର ସେ ପର୍ଯ୍ୟନ୍ତ ଠିକ୍‌ କରିପାରିନଥିବାରୁ ହଠାତ୍‌ କିଛି କରିବା ଶକ୍ତି ସରକାରଙ୍କର ନ ଥିଲା । ବୋଧହୁଏ, ସମ୍ୱଲପୁରର ଶାସକମାନେ ବିଦ୍ରୋହକୁ ସେତେ ଗୁରୁତ୍ୱ ଦେଉନଥିଲେ । ସେଠାରେ ଯେତିକି ସୈନ୍ୟବଳ ଥିଲା ତାହା ସାହାଯ୍ୟରେ ବିଦ୍ରୋହ ଦମନ କରିପାରିବେ ବୋଲି ସେମାନେ ଭାବୁଥିଲେ । ଏବେତ ହାକିମମାନଙ୍କର ସଂଖ୍ୟା କମ୍‌ ଥିଲା, ସେଥିରେ ପୁଣି ଦକ୍ଷ ସୈନ୍ୟବଳର ଅଭାବ ଥିବାରୁ ପରିସ୍ଥିତି ଅତି ଜଟିଳ ଅବସ୍ଥାକୁ ଆସିଥିଲା ।

 

ବାମଣ୍ଡାର ଶ୍ରୀକୃଷ୍ଣ ବିଦ୍ରୋହୀ ହେଲେ

 

ବାମଣ୍ଡା, ରେଢ଼ାଖୋଲ, ଅନୁଗୁଳ ପ୍ରଭୃତି ଅଞ୍ଚଳରେ ବିଦ୍ରୋହୀମାନଙ୍କର ଆଡ୍‌ଡା ଗଠିତ ହୋଇସାରିଥିବାରୁ କଟକ ସମ୍ୱଲପୁର ବାଟ ବିପଦସଙ୍କୁଳ ହୋଇଥିଲା । ବାମଣ୍ଡା ରାଜାଙ୍କ ଅଧୀନର କେତେକ ଲୋକ ପ୍ରକାଶ୍ୟ ଭାବରେ ବିଦ୍ରୋହରେ ଯୋଗ ଦେଉଥିବା ଖବର ସରକାରଙ୍କଠାରେ ପହଞ୍ଚିଲା । ବାମଣ୍ଡାର ଶ୍ରୀକୃଷ୍ଣ ବୋରା ନାମକ ଜଣେ ପ୍ରତିପତ୍ତଶାଳୀ ଲୋକ ବିଦ୍ରୋହରେ ଯୋଗଦେଇଥିବା ଜଣାଯାଇଥିଲା । ରାଜା ଶ୍ରୀକୃଷ୍ଣଙ୍କୁ ଦବାଇବା ପାଇଁ କୌଣସି ଉପାୟ ଅବଲମ୍ୱନ କରିନଥିବାରୁ ତାଙ୍କ (ରାଜାଙ୍କ) ପ୍ରତି ସରକାରଙ୍କର ଆସ୍ଥା ରହିପାରିଲା ନାହିଁ । ଅକ୍‌ଟୋବର ମାସରେ ସୁରେନ୍ଦ୍ର ସମ୍ୱଲପୁରରେ ପହଞ୍ଚିବା ସମୟରେ ରାଜା ସରକାରଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଦଳେ ପାଇକଙ୍କୁ ଧରି ସମ୍ୱଲପୁରରେ ଉପସ୍ଥିତ ହୋଇଥିଲେ । କିନ୍ତୁ ତାଙ୍କ ମତିଗତି ଭଲଭାବରେ ଜାଣିନପାରିବାରୁ କାପ୍‌ଟେନ ଲେ ତାଙ୍କୁ ବାମଣ୍ଡାକୁ ବାହୁଡ଼ିଯିବା ପାଇଁ ଆଦେଶ ଦେଇଥିଲେ ।

 

ବଉଦରେ ବିଦ୍ରୋହୀ ସିପାହୀଦଳ

 

ସମ୍ୱଲପୁରର ଚାରି ଦିଗରେ ଅଶାନ୍ତି ଲାଗି ଯାଇଥିବାର ସମ୍ୱାଦ ମଧ୍ୟ ସରକାରଙ୍କଠାରେ ପହଞ୍ଚିଲା । ଅଗଷ୍ଟ ମାସରେ କଟକରେ ଖବର ପହଞ୍ଚିଲା ଯେ ପ୍ରାୟ ତିନିଶହ ବିଦ୍ରୋହୀ ପଦାତିକ ସୈନ୍ୟ ସମ୍ୱଲପୁରରୁ ଆସି, ସୋନପୁରରେ ମହାନଦୀ ପାରହୋଇ ଦକ୍ଷିଣକୁ ଯାତ୍ରା କରିଛନ୍ତି । ଏ ଖବର ମଧ୍ୟ କଲିକତାରେ ଛୋଟଲାଟଙ୍କ ପାଖରେ ପହଞ୍ଚିଲା । ଛୋଟଲାଟ କଟକ କମିଶନରଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇ ଏହି ଖବରର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଆଦେଶ ଦେଲେ । କମିଶନର ଜି: ଏ : କକ୍‌ବର୍ଣ୍ଣ ସାହେବ ସରକାରଙ୍କୁ ଜଣାଇଲେ ଯେ ଏହି ଖବରର ସତ୍ୟାସତ୍ୟ ଅନୁସନ୍ଧାନ କରି ଶୀଘ୍ର ଉତ୍ତର ଦେବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । କାରଣ ବୌଦ କଟକଠାରୁ ପ୍ରାୟ ୧୫ଦିନର ବାଟ, ବାଟ ମଧ୍ୟ ଭଲ ନୁହେଁ, ପୁଣି ସେଠାରେ ପୋଲିସ ବୋଲି କିଛି ନାହିଁ । ଏହି ଅସୁବିଧାର ସେ ହଠାତ୍‌ କିଛି କରିପାରୁନାହାନ୍ତି, ତେବେ ଖବର-ଅନ୍ତର ବୁଝିବା ପାଇଁ ଯତ୍ନ କରୁଛନ୍ତି । ଏଥିରୁ ସମ୍ୱଲପୁରର ଦକ୍ଷିଣରେ ଅବସ୍ଥା କେତେ ଜଟିଳ ହୋଇଯାଇଥିଲା ତାହା ସହଜରେ ଜଣାଉଛି । ଏ ଅଞ୍ଚଳରେ କନ୍ଧମାଳ ତହସିଲଦାର ଦୀନବନ୍ଧୁ ପଟ୍ଟନାୟକ ଓ ତାଙ୍କ ସୀବନ୍ଦୀ ପାଇକଦଳ କେବଳ ସରକାରଙ୍କ ଏକମାତ୍ର ସମ୍ୱଳ ହୋଇଥିଲେ କହିଲେ ଚଳେ । ଅବଶ୍ୟ ମାନ୍ଦ୍ରାଜ ଅଧୀନର ଗଞ୍ଜାମ ଜିଲ୍ଲାର ପାର୍ବତ୍ୟ ଅଞ୍ଚଳରେ ଗଣ୍ଡଗୋଳ ବ୍ୟାପିବାର କିଛି ଆଶଙ୍କା ନ ଥିବାରୁ ଏବଂ ମାନ୍ଦ୍ରାଜ ପ୍ରଦେଶ ବିଦ୍ରୋହରୁ ଏକ ପ୍ରକାର ମୁକ୍ତ ଥିବାରୁ ସରକାରଙ୍କୁ ବିଶେଷ ଭାବରେ ଚିନ୍ତିତ ହେବାକୁ ପଡ଼ିନଥିଲା ।

 

ମୟୂରଭଞ୍ଜ ରାଜାଙ୍କ ଅବସ୍ଥା

 

ସମ୍ବଲପୁରର ପୂର୍ବକୁ ମଧ୍ୟ ଅବସ୍ଥା ସେତେ ଭଲ ନଥିଲା । ବିଦ୍ରୋହ ଆରମ୍ଭ ହୋଇଯିବାରେ ଚାଇଁବସାରେ ସରକାରୀ ଖଜଣାଖାନା ଜଗିବାକୁ ମୟୂରଭଞ୍ଜ, କେନ୍ଦୁଝର ଓ ଅନ୍ୟ କେତେକ ରାଜା ସରକାରଙ୍କୁ ସାହାଯ୍ୟ କରୁଥିଲେ ମଧ୍ୟ ସରକାରଙ୍କର ଏହି ରାଜାମାନଙ୍କ ପ୍ରତି ପୂରା ବିଶ୍ୱାସ ଆସିନଥିଲା । ଅଗଷ୍ଟ ମାସ ଶେଷ ଆଡ଼କୁ ମେଦିନିପୁର ଜିଲ୍ଲା ମାଜିଷ୍ଟ୍ରେଟ କମିଶନର କକ୍‌ବର୍ଣ୍ଣଙ୍କୁ ଖବର ଦେଲେ ଯେ, ମୟୂରଭଞ୍ଜ ରାଜା ପାଇକ ସଂଗ୍ରହ କରୁଛନ୍ତି ଏବଂ ଉତ୍ତର ଭାରତର ବହୁ ସଂଖ୍ୟକ ବେପାରୀ ସେ ରାଜ୍ୟରେ ପଶିଛନ୍ତି । କମିଶନରଙ୍କ ଆଦେଶ ଅନୁସାରେ ବାଲେଶ୍ୱର ଜିଲ୍ଲା ମାଜିଷ୍ଟ୍ରେଟ ମାକ୍‌ଟିଆର ଅନୁସନ୍ଧାନ କରି ଜଣାଇଲେ ଯେ, ସେଠାରେ ଆଶଙ୍କାର କାରଣ ନାହିଁ । ରାଜା ଯେଉଁ ପାଇକ ସଂଗ୍ରହ କରୁଛନ୍ତି ତାହା ସରକାରଙ୍କୁ ସାହାଯ୍ୟ କରିବା ପାଇଁ ହେଉଛି । କାନପୁରର ମୁରଟିଆ ଖାଁଙ୍କଠାରୁ ରାଜା କେତେ ଟଙ୍କା ଧାର କରିଥିଲେ । ଋଣ ସୁଝି ନ ପାରି ମୁରଟିଆଖାଁଙ୍କୁ ବାମନଘାଟିର ତହସିଲଦାର ରୂପେ ରାଜା ନିଯୁକ୍ତ କରିଛନ୍ତି । ଏ ଅଞ୍ଚଳରେ ଯେପରି ଅଶାନ୍ତି ନ ହୁଏ ସେଥିପାଇଁ ଖାଁ ଯତ୍ନ କରୁଛନ୍ତି । ଅତଏବ ଆଶଙ୍କାର କାରଣ କିଛି ନାହିଁ । ଚାଇଁବସାରେ ଅବସ୍ଥା ବେଶି ଖରାପ ହେବାର ଆଶଙ୍କା କରି ପୂର୍ବରୁ ଅନ୍ୟ ସ୍ଥାନମାନଙ୍କର ସୈନ୍ୟ ପଠାଇ ସେଠାରେ ପ୍ରତିରକ୍ଷାବ୍ୟୂହ ଗଠନ କରିବା ଉଚିତ ବୋଲି ଭାବି କମିଶନର ବାଲେଶ୍ୱରରେ ଥିବା ୬୪ଜଣ ପାଇକଙ୍କ ସହ ୪୦ଜଣ ନୂଆ ସିପାହୀଙ୍କୁ ଚାଇଁବସାକୁ ପଠାଇବା ପ୍ରସ୍ତାବ କଲେ । କିନ୍ତୁ ବିଦ୍ରୋହୀମାନଙ୍କ ସଂଖ୍ୟା ବେଶି ହୋଇଥିଲେ ଏମାନେ ପ୍ରତିରୋଧ କରିବା ସମ୍ଭବ ହେବ ନାହିଁ ଏବଂ ହାରିଗଲେ ଖରାପ ପ୍ରଭାବ ପଡ଼ିବ, ଏ ଆଶଙ୍କାରେ ଏହି ପାଇକମାନଙ୍କୁ କମିଶନର ଆଉ ପଠାଇଲେ ନାହିଁ ।

 

ଇଂରେଜ ଡାକ୍ତରଙ୍କୁ ହତ୍ୟା

 

ବିଦ୍ରୋହୀମାନେ କିପରି ବିବ୍ରତ କରିବାକୁ ଆରମ୍ଭ କଲେଣି ତାହା ନିମ୍ନ ଘଟଣାରୁ ଭଲଭାବରେ ଜଣାପଡ଼ିବ । ସମ୍ବଲପୁରର ସୈନିକମାନଙ୍କ ଚିକିତ୍ସା ପାଇଁ ଗଞ୍ଜାମରୁ ଡାକ୍ତର ମୁର୍‌ ଓ ଏପୋଥିକାରୀ ହାମସନ୍‌ ନାମକ ଦୁଇଜଣ କର୍ମଚାରୀଙ୍କୁ ଗଞ୍ଜାମ କଲେକ୍ଟର କଟକ ବାଟେ ସମ୍ବଲପୁର ଯିବାକୁ ଆଦେଶ ଦେଇଥିଲେ । ଏ ଦୁଇଜଣ କର୍ମଚାରୀ କଟକରେ ପହଞ୍ଚି ଅନୁଗୋଳ ବାଟେ ସମ୍ବଲପୁର ବାହାରିଲେ । ସେମାନେ ଅନୁଗୋଳରୁ ରେଢ଼ାଖୋଲ ରାଜଧାନୀ ରାମପୁରରେ ପହଞ୍ଚିଲେ । ସେଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଯିବାବାଟ ନିରାପଦ ନ ଥିବାରୁ ସମ୍ବଲପୁରରୁ କେତେ ଜଣ ସୈନିକଙ୍କୁ ପଠାଇବା ନିମନ୍ତେ କାପ୍‌ଟେନ ଲେଙ୍କଠାକୁ ସେମାନେ ଖବର ଦେଲେ । କିନ୍ତୁ ଲେଙ୍କଠାରୁ କିଛି ଖବର ନ ମିଳିବାରୁ ସେମାନେ ବିଚଳିତ ହୋଇପଡ଼ିଲେ । ସମ୍ବଲପୁରର ଅବସ୍ଥା ଜଟିଳ ହୋଇଯାଇଥିବା ଆଶଙ୍କା କରି ଆଉ ଅଟକି ରହିବା ପାଇଁ ସେମାନଙ୍କର ଧୈର୍ଯ୍ୟ ରହିଲା ନାହିଁ । ଦୁହେଁ ସମ୍ବଲପୁର ଯିବାପାଇଁ ବ୍ୟଗ୍ର ହେଲେ । ସେତେବେଳେ ସମ୍ବଲପୁର-ରାମପୁର ରାସ୍ତା (ପ୍ରାୟ ୪୦ମାଇଲ) ବିଦ୍ରୋହୀମାନଙ୍କ ଆଡ୍‌ଡା ଥିବାରୁ ଯଥେଷ୍ଟ ସଂଖ୍ୟାରେ ରକ୍ଷୀ ନ ନେଇ ଯିବା ଉଚିତ ନୁହେଁ ବୋଲି ରେଢ଼ାଖୋଲ ରାଜା ଏ ଦୁହିଁଙ୍କୁ ମନାକଲେ । କିନ୍ତୁ ରାଜାଙ୍କ ପରାମର୍ଶ ନ ମାନି ଦୁହେଁ ୧୬ଜଣ, ବୋଝିଆଙ୍କୁ ସାଙ୍ଗରେ ଧରି ସମ୍ବଲପୁରଆଡ଼କୁ ବାହାରିଲେ । ରାମପୁରର କିଛି ଦୂରରେ ଜଙ୍ଗଲରେ ରେଢ଼ାଖୋଲର ମଧୁଗୌନ୍ତିଆଙ୍କ ଦଳ ଆକ୍ରମଣ କଲେ । ଏ ଦୁଇଜଣ ଇଂରେଜ ଅଫିସର ବିଦ୍ରୋହୀଧାନଙ୍କ ସହିତ ସମ୍ମୁଖ ଲଢ଼େଇ କରି ଆତ୍ମରକ୍ଷା କରୁଥିବା ସମୟର ମଧୁ ଗୌନ୍ତିଆ ଫାରସାରେ ଡାକ୍ତର ମୁଁର୍‌ଙ୍କୁ ହତ୍ୟା କଲେ । ଡାକ୍ତର ହାମସନ୍‌ କୌଣସି ପ୍ରକାରେ ଖସି ପଳାଇ ବଣ ଜଙ୍ଗଲରେ ଲୁଚି ରହିଲେ ।

 

ଦ୍ୱିତୀୟ ଦିନ ସମ୍ବଲପୁରରୁ ସେମାନଙ୍କୁ ନେବାପାଇଁ ଦଳେ ସିବନ୍ଦୀ ପାଇକ ଆସୁଥିଲେ-। ବାଟରେ ଡାକ୍ତର ହାମସନ୍‌ଙ୍କୁ ଦେଖି ତାଙ୍କୁ ନେଇ ରାମପୁରରେ ପହଞ୍ଚିଲେ । ସେତେବେଳକୁ ହାମସନ୍‌ ଭୋକ ଶୋଷରେ ବହୁ ଯନ୍ତ୍ରଣା ଭୋଗକରି ସାରିଥିଲେ ।

 

ସମ୍ବଲପୁରରେ ଏହି ଖବର ପହଞ୍ଚିବା ମାତ୍ରେ ୨୦ତାରିଖ ଦିନ କାପ୍‌ଟେନଦଳ ମାନ୍ଦ୍ରାଜୀ ସୈନ୍ୟଙ୍କୁ ଧରି ରେଢ଼ାଖୋଲ ଦିଗରେ ଅଗ୍ରସର ହେଲେ । ତାଙ୍କ ସଙ୍ଗରେ ଦଳେ ସିବନ୍ଦୀ ପାଇକ ଦଳ ମଧ୍ୟ ଥିଲେ । ବିଦ୍ରୋହୀମାନେ ତାଙ୍କ ଉପରେ ଆକ୍ରମଣ କରି ଜଙ୍ଗଲ ଭିତରେ କେତେ ଜଣଙ୍କୁ ମାରି ପକାଇଲେ; କେତେ ଜଣଙ୍କୁ ଜଖମ ମଧ୍ୟ କରିଦେଲେ । ବିଦ୍ରୋହୀମାନଙ୍କୁ ବଣ ଭିତରେ ଧରିବା ସମ୍ଭବ ହୋଇପାରିନଥିଲା । ପୁଣି ସେମାନଙ୍କର ସାହସ ମଧ୍ୟ ଖୁବ୍‌ ବଢ଼ିଯାଇଥିଲା-। ଡାକ୍ତର ହାମସନ୍‌ଙ୍କୁ ସାଙ୍ଗରେ ନେଇ ସିବନ୍ଦୀମାନେ ସମ୍ବଲପୁରରେ ପହଞ୍ଚିଲେ ।

☆☆☆

 

ପଞ୍ଚମ ଅଧ୍ୟାୟ

ସରକାରୀ ବ୍ୟବସ୍ଥାର ପୁନର୍ଗଠନ

ହାକିମ ହୁକୁମ ପାଇବାରେ ଅସୁବିଧା

 

ଶୀତ ଋତୁ ଆରମ୍ଭ ହୋଇ ସାରିଲାଣି । ଧାନ କଟାକଟି ବେଳ ନିକଟ ହୋଇ ଆସିଲାଣି, ଲୋକଙ୍କ ମନ ସେଆଡ଼େ ଲାଗିଯିବ । ଯଦି ଏତିକିବେଳେ ବିଦ୍ରୋହୀମାନଙ୍କୁ ଦମନ କରାନଯାଏ ତେବେ କାମ ନିକମା ବେଳ ଆସିଗଲେ ଲେଡ଼ିଗୁଡ଼ କହୁଣିକୁ ବୋହିଯିବାର ଆଶଙ୍କା ରହିଛି । ପୁଣି ଭାରତର ବିଭିନ୍ନ ଅଞ୍ଚଳରୁ ଯଦି ଅଶାନ୍ତି ଖବର ସମ୍ବଲପୁରରେ ପହଞ୍ଚେ, ତାହାହେଲେ ବିଦ୍ରୋହୀମାନଙ୍କର ଶକ୍ତି ବୃଦ୍ଧି ପାଇଯିବାର ସମ୍ଭାବନା ମଧ୍ୟ ରହିଛି । ଏକଥା ଜାଣି ବୁଝି ବଡ଼ ହାକିମମାନେ ତନାଘନା ବିଦ୍ରୋହ ଦମନ ବ୍ୟବସ୍ଥା କରିବାକୁ ଆରମ୍ଭ କଲେ ।

 

କିନ୍ତୁ ସରକାରୀ ରାଜଧାନୀରୁ ନିର୍ଦ୍ଦିଷ୍ଟ ଆଦେଶ ମିଳୁନଥିବାରୁ ସ୍ଥାନୀୟ ଅଧିକାରୀମାନେ କଠୋର ବ୍ୟବସ୍ଥା କରିବାକୁ ସାହସ କରୁନଥିଲେ । ଏଥିଯୋଗୁ ବିଦ୍ରୋହର ପ୍ରାଥମିକ ଅବସ୍ଥାରେ ସରକାରୀ ବ୍ୟବସ୍ଥାରେ ସୁଚିନ୍ତିତ ପରିକଳ୍ପନା ସେତେ ଦେଖାଉଯାଉ ନଥିଲା ।

 

ସେତେବେଳେ ସମ୍ବଲପୁର ଉପରେ ଛୋଟନାଗପୁର କମିଶନରଙ୍କ ଅଧିକାର ମଧ୍ୟ ଥିଲା । ଛୋଟନାଗପୁର ଡିଭିଜନର ଅଶାନ୍ତି ଅବସ୍ଥା ଦୃଷ୍ଟିରୁ ସମ୍ବଲପୁରଠାରୁ ସିଧାସଳଖ ଚିଠିପତ୍ର ଛୋଟନାଗପୁରକୁ ପଠାନଯାଇ କଲିକତା ବାଟେ ପଠାଯାଉଥିଲା । ଏହାଦ୍ୱାରା ଉପର ଅଧିକାରୀଙ୍କଠାରୁ ସ୍ଥାନୀୟ ଅଧିକାରୀ ହୁକୁମ ପାଇବାରେ ଅଯଥା ବିଳମ୍ବ ହେଉଥିଲା । ପ୍ରଥମ ଅବସ୍ଥାରେ ଯାହା ବା ବ୍ୟବସ୍ଥା ହୋଇଛି, ତାହା କେବଳ ସ୍ଥାନୀୟ ହାକିମ ନିଜ ଦାୟିତ୍ୱରେ କରିଛନ୍ତି ବୋଲି କହିବାକୁ ହେବ ।

 

ସମ୍ବଲପୁର କଟକ କମିଶନରଙ୍କ ଅଧିନକୁ ଆସିଲା

 

ନଭେମ୍ବର ମାସ ୫ତାରିଖରେ ଖିଣ୍ଡା ଓ କୋଲାବିର ଉପରେ କାପ୍‌ଟେନ୍‌ ନୋକ୍‌ର ଓ ଲେଫ୍‌ଟନାଣ୍ଟ ହେଡ଼ୋଙ୍କ ଅଧିନାୟକତ୍ୱରେ ଯେଉଁ ଆକ୍ରମଣ ହୋଇଥିଲା, ସେଥିରେ ବିଦ୍ରୋହୀମାନେ ସ୍ଥାନ ତ୍ୟାଗ କରି ଜଙ୍ଗଲ ଭିତରକୁ ପଳାଇଯିବାରୁ ଏହି ଅଫିସରମାନଙ୍କ ମନରେ ଧାରଣା ହେଲା ଯେ ବିଦ୍ରୋହୀମାନଙ୍କ ମନବଳ ଏକାବେଳକେ ଭାଙ୍ଗିଗଲା ଏବଂ ସେମାନେ ଯେ ଯାହା ଘରକୁ ବାହୁଡ଼ି ଗଲେଣି । ଏହି ଧାରଣା ବଶବର୍ତ୍ତୀ ହୋଇ କାପ୍‌ଟେନ ନୋକ୍‌ର ସମ୍ବଲପୁରରୁ ନଈ ବାଟରେ କଟକ ଫେରିଆସିଲେ ଏବଂ ସେଠାରୁ ହାଇଦରାବାଦକୁ ନୂତନ ପଦରେ କାର୍ଯ୍ୟକରିବା ପାଇଁ ବାହାରିଗଲେ । ଲେଫଟନାଣ୍ଟ ହେଡ଼ୋ ମଧ୍ୟ ଜ୍ୱର ଯୋଗୁଁ ସମ୍ବଲପୁର ଛାଡ଼ି ବାହାରି ଗଲେ । ସେପ୍‌ଟେମ୍ବର ମାସ ଅଧାଅଧି ବେଳକୁ ସମ୍ବଲପୁରରେ ପୁରୁଣା ଅଫିସର କେହିନଥିଲେ କହିଲେ ଚଳେ । ତିନିଜଣ ଯୁବକ ଲେଫ୍‌ଟନାଣ୍ଟ କେବଳ ସେଠାରେ ଥିଲେ । ସେମାନଙ୍କ ଭିତରୁ କେହିହେଲେ ଓଡ଼ିଆ ଭାଷା ଜାଣି ନଥିଲେ । ସମ୍ବଲପୁର ପ୍ରାୟ ଅରକ୍ଷ ଅବସ୍ଥାରେ ରହିଥିଲା ବୋଲି କହିବାକୁ ହେବ । ଅବସ୍ଥାର ଗୁରୁତ୍ୱ ବୁଝିପାରି କଟକ କମିଶନର କକବର୍ଣ୍ଣ ସାହେବ ସରକାରଙ୍କୁ ତୁରନ୍ତ ସତର୍କ କରାଇଦେଲେ । ପୁଣି ଛୋଟନାଗପୁରର ଅବସ୍ଥା କ୍ରମେ ଜଟିଳ ହୋଇପଡ଼ୁଥିବାରୁ ଏବଂ ସେଠାରେ କମିଶନରଙ୍କ କାମ ଓ ଦାୟିତ୍ୱ ବହୁତ ବଢ଼ିଯାଇଥିବାରୁ ସେ ସମ୍ବଲପୁର ପ୍ରତି ଉପଯୁକ୍ତ ଦୃଷ୍ଟି ଦେଇପାରୁ ନ ଥିଲେ । ଏହି କାରଣରୁ କଟକ କମିଶନର ମୂଳରୁ ଏହି ଅବସ୍ଥାରେ ସମ୍ବଲପୁର ରକ୍ଷା ପାଇଁ ତାଙ୍କ କ୍ଷମତା ଅନୁଯାୟୀ ବ୍ୟବସ୍ଥା ଅବଲମ୍ବନ କରିଥିଲେ ।

 

ଡିସେମ୍ବର ମାସ ଆରମ୍ଭ ବେଳକୁ ବମ୍ବେ ରାସ୍ତାରେ ଡାକ ଆସିବା ପ୍ରାୟ ବନ୍ଦ ହେବାକୁ ବସିଲା । ସ୍ଥାନେ ସ୍ଥାନେ ବିଦ୍ରୋହୀମାନେ ଉଡ଼ାଦାର (ଧାଉଡ଼ିଆ)ମାନଙ୍କ ଉପରେ ଆକ୍ରମଣ କରୁଥିବାରୁ ଏମାନେ ଆଉ ଡାକ ଧରି ଯିବାପାଇଁ ସାହସ କଲେନାହିଁ । ଏହାଦ୍ୱାରା ସରକାରୀ କାମରେ ବହୁତ ବ୍ୟାଘାତ ଘଟିଲା । ଏପରି ଅସୁବିଧା ଯୋଗୁ କଟକ କମିଶନରଙ୍କ ଅଧୀନରେ ସମ୍ବଲପୁରକୁ ରଖିବାକୁ ସରକାର ସ୍ଥିର କଲେ । ଡିସେମ୍ବର ତା ୧୯ରିଖ ଦିନ କଟକ କମିଶନର କକ୍‌ବର୍ଣ୍ଣ ସମ୍ବଲପୁରର ଚାର୍ଯ୍ୟ ନେଲେ ।

 

ସମ୍ବଲପୁରରେ ବିଦ୍ରୋହୀମାନଙ୍କୁ ଦମନ କରିବାପାଇଁ ସରକାରଙ୍କ ପକ୍ଷରୁ ସବୁପ୍ରକାର ଆୟୋଜନ କରାଯିବାର ସୂଚନା ଅକ୍ଟୋବର ମାସଠାରୁ ଦେଖାଦେଇଥିଲେ ମଧ୍ୟ ନଭେମ୍ବର ମାସ ପର୍ଯ୍ୟନ୍ତ ବହୁତ ଅଭାବ ରହିଯାଇଥିଲା । ବଣଜଙ୍ଗଲ, ନଈନାଳ ସୈନ୍ୟ ପରିଚାଳନା ପ୍ରତି ଆଦୌ ଅନୁକୂଳ ନୁହେଁ । ସେଥିରେ ପୁଣି ମାଳ ଅଞ୍ଚଳରେ ମାଳଜ୍ୱର ଯୋଗୁ ବହୁ ସୈନିକ ରୋଗାକ୍ରାନ୍ତ ହୋଇପଡ଼ୁଥିଲେ । ସମତଳ ଅଞ୍ଚଳର ଯେଉଁସବୁ ଲୋକ ସୈନ୍ୟ ବିଭାଗରେ କାମ କରୁଥିଲେ, ସେମାନେ ବଣଜଙ୍ଗଲରେ ପଶିଲାକ୍ଷଣି ମାଳଜ୍ୱରଦ୍ୱାରା ଆକ୍ରାନ୍ତ ହେଉଥିଲେ । କେତେକ ଲୋକ ମୃତ୍ୟୁମୁଖରେ ମଧ୍ୟ ପତିତ ହେଉଥିଲେ । ସରକାରଙ୍କୁ ଏ ଦିଗରୁ ମଧ୍ୟ କେତେକ ପ୍ରତିକାର ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ୁଥିଲା ।

 

ଡଙ୍ଗା, ବଳଦଗାଡ଼ିର ବ୍ୟବସ୍ଥା

 

ନଈନାଳ ପାରିହେବା ପାଇଁ ସରକାର ବହୁତ ଡଙ୍ଗାର ବ୍ୟବସ୍ଥା କରିଥିଲେ । ଘାଟମାନଙ୍କରେ ଯେପରି ଅଯଥା ବିଳମ୍ବ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଥିଲା । ମାଲପତ୍ର ବୋହିବା ପାଇଁ କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ବଳଦଗାଡ଼ିର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଯିବା ଆସିବା ପାଇଁ ପ୍ରାୟ ଏକମାସ ସମୟ ଗାଡ଼ିକୁ ଲାଗୁଥିଲା । ଗାଡ଼ିବାଲାମାନେ ଗାଡ଼ି ପ୍ରତି ଯିବା ଆସିବା ୧୨ଟଙ୍କାଠାରୁ ୧୮ଟଙ୍କା ପର୍ଯ୍ୟନ୍ତ ନେଉଥିଲେ । ଥରକେ ଦୁଇଶହ ତିନିଶହ ବଳଦଗାଡ଼ି, ଦୁଇଶହ ତିନିଶହ ଭାରୁଆ, ଶହ ଶହ ଥୋରିଆ ବଳଦ ମେଳ ବାନ୍ଧି ବାହାରୁଥିଲେ । ବାଟରେ ପ୍ରତ୍ୟେକ ଠଣାରେ ଯେପରି ଫୌଜ ପାଇଁ ଯଥେଷ୍ଟ ପରିମାଣରେ ରସିଦ ମିଳେ, ତାର ବ୍ୟବସ୍ଥା ମଧ୍ୟ ହେଉଥିଲା । ବାଟରେ ଗଡ଼ଜାତ ରାଜା ଓ ଜମିଦାରମାନେ କମିଶନରଙ୍କଠାରୁ ମୂଲ୍ୟ ନେଇ ରସିଦ ଯୋଗାଇବା ପାଇଁ ପରଓ୍ୱାନା ଯାଉଥିଲା । ଜଙ୍ଗଲ ବାଟ ସଫା ରଖିବା ପାଇଁ ମଧ୍ୟ ଆଦେଶ ଯାଉଥିଲା । ଆଠଗଡ଼, ଢେଙ୍କାନାଳ, ରେଢ଼ାଖୋଲ, ବଉଦ, ବାମଣ୍ଡା, ସୋନପୁର ପ୍ରଭୃତି ରାଜାଙ୍କ ଉପରେ ଏ ସମ୍ବନ୍ଧରେ ଘନ ଘନ ପରଓ୍ୱାନା ଜାରି ହେଉଥିଲା । ଆଦେଶ ଅମାନ୍ୟ କଲେ ଅର୍ଥ ଦଣ୍ଡର ଧମକ ଦିଆଯାଉଥିଲା ।

 

ହାତୀ ବ୍ୟବସ୍ଥା

 

ଜଙ୍ଗଲ ଭିତରେ ଯିବା ଆସିବା ପାଇଁ ସରକାର କେତେକ ହାତୀର ବ୍ୟବସ୍ଥା ମଧ୍ୟ କରିଥିଲେ । ସମ୍ବଲପୁର ଓ ସିଂହଭୂମି ଅଞ୍ଚଳ ପାଇ ଅକ୍ଟୋବର ମାସରେ କଟକ କମିଶନରଙ୍କ ପ୍ରସ୍ତାବ ମତେ ବାରଟି ହାତୀ ରଖାଯିବା ସ୍ଥିର ହେଲା । ଗଞ୍ଜାମ ଜିଲା କଲେକ୍ଟରଙ୍କ ଉଦ୍ୟମରେ ଗଞ୍ଜାମ ଆଠଗଡ଼ର ରାଜା ଦୁଇଟି ହାତୀ ଦେବାକୁ ରାଜି ହୋଇଥିଲେ । କଟକ କମିଶନରଙ୍କ ଉଦ୍ୟମରେ ମୟୂରଭଞ୍ଜ ରାଜା ୧, କେଉଁଝର ରାଜା ୧, ନୀଳଗିରି ରାଜା ୧, ଆଳି ରାଜା ୧, ପଟିଆ ରାଜା ୨, ଦର୍ପଣ ରାଜା ୨; ଏପରି ୮ଟି ହାତୀ ମିଳିବା ସମ୍ଭବ ହେଲା । ଦୁଇଟି ହାତୀ କିଣିବା ସ୍ଥିର ହୋଇ ୧୨ଟି ହାତୀ ଉପଦ୍ରୁତ ଅଞ୍ଚଳକୁ ପଠାଇବା ସ୍ଥିର ହେଲା । ହାତୀ ତଳେ ଯାବତୀୟ ଖର୍ଚ୍ଚ ସରକାର ତୁଲାଇବା ଭାର ନେଲେ । ମାହୁନ୍ତଙ୍କ ଦରମା ମଧ୍ୟ ସରକାର ଦେବା ସ୍ଥିର ହେଲା । ଯୁଦ୍ଧରେ ହାତୀ ଲୋକସାନ ହେଲେ ତାର ଦାମ ଦାବି କରିବେ ନାହିଁ ବୋଲି ରାଜାମାନେ ସ୍ୱତଃପ୍ରବୃତ୍ତ ହୋଇ ସରକାରଙ୍କୁ ଜଣାଇ ଦେଲେ । ଏହି ହାତୀସବୁ ଠିକଣା ଜାଗାରେ ପହଞ୍ଚିଯିବାରୁ ସରକାର ପକ୍ଷର ଅଭିଯାନ ଟିକିଏ ସୁଗମ ହୋଇଗଲା ।

 

ଅନୁଗୁଳ ସପକାରୀ ଘାଟୀ

 

ଅନୁଗୁଳର ଅବସ୍ଥା ମଧ୍ୟ ସନ୍ତୋଷଜନକ ନ ଥିଲା । ୧୮୪୭-୪୮ରେ ଅନୁଗୁଳ ରାଜାଙ୍କ ବିଦ୍ରୋହ ଫଳରେ ସେଠାରେ ଲୋକଙ୍କୁ ସହଜରେ ସରକାରୀ କର୍ମଚାରୀମାନେ ବିଶ୍ୱାସ କରୁନଥିଲେ ।

 

ଅନୁଗୁଳ ରାଜା ଧରାହେବା ପରେ ସେଠାରେ ଅବସ୍ଥା ଅବଶ୍ୟ ଶାନ୍ତିପଡ଼ିଲା; କିନ୍ତୁ ସମ୍ବଲପୁରର ଅଶାନ୍ତି ଅନୁଗୁଳ ଉପରେ ଖରାପ ପ୍ରଭାବ ପକାଇବାର ବେଶି ସମ୍ଭାବନାଥିବାରୁ କଟକରୁ କମିଶନର ସାହେବ ତାଙ୍କ ଆସିଷ୍ଟାଣ୍ଟ ବାବୁ ବ୍ରହ୍ମାନନ୍ଦ ଦାସଙ୍କୁ ଅନୁଗୁଳରେ ରଖିଲେ । ତାଙ୍କ ପାଖରେ ୩୦ଜଣ ପାଇକ ଥିଲେ । ତାହା ଯଥେଷ୍ଟ ବୋଲି ଧାରଣା ନ ହେବାରୁ ତାକୁ ବଢ଼େଇ ୮୦ କରିବାକୁ ଏବଂ ଦରକାର ପଡ଼ିଲେ ଆଖପାଖରେ ଗଡ଼ଜାତ ରାଜା ମାନଙ୍କଠାରୁ ପାଇକ ସଂଗ୍ରହ କରିବାକୁ କମିଶନର ସାହେବ ହୁକୁମ ଦେଲେ । ଅନୁଗୁଳ କଟକ-ସମ୍ବଲପୁର ବାଟରେ ଏକ ପ୍ରଧାନ ଘାଟି ହେଲା ।

 

ସରକାରୀ ଖର୍ଚ୍ଚରେ କଷୋଟପଣିଆ

 

ଏବେ ଆୟୋଜନ ଭିତରେ ସରକାରୀ ଖର୍ଚ୍ଚରେ ଯେପରି ଟିକିଏ କଷୋଟପଣିଆ ଦେଖାଯାଉଥିଲା । ଅଧିକ ପାଇକ ରଖିବାକୁ ହେଲେ ଅନ୍ୟ କୌଣସି ଖର୍ଚ୍ଚାନ୍ତ ବ୍ୟବସ୍ଥା କରିବାକୁ ହେଲେ କଲିକତା ଛୋଟଲାଟ ସାହେବଙ୍କଠାରୁ କମିଶନରଙ୍କୁ ହୁକୁମ ଆଣିବାକୁ ପଡ଼ୁଥିଲା । ବାଲେଶ୍ୱରରେ ୬୪ଜଣ ସୈନ୍ୟ ପାଇକ କମ୍ପାନୀରେ ଥିଲେ । ପାଇକ ସଂଖ୍ୟା ବୃଦ୍ଧି ପାଇବା ଦରକାର ପଡ଼ିବାରୁ ଆଉ ୩୬ଜଣ ଅଧିକା ଲୋକଙ୍କୁ କମ୍ପାନୀରେ ନେବା ପାଇଁ କମିଶନର ଇଚ୍ଛା କଲେ । ସେ ବାବଦରେ ମାସିକ ଅଧିକା ୯୮ଟଙ୍କା ପଡ଼ିବାର ହିସାବ ହୋଇଥିଲା ମାସିକ ଦରମା ଜମାଦାର ୧ ଜଣ ୮ ଟଙ୍କା, ଜମାଦାର ୩ ଜଣ ୬ ଟଙ୍କା ହିସାବରେ ୧୮ ଟଙ୍କା, ବରକନ୍ଦାଜ ୧୮ ଜଣ ୪ ଟଙ୍କା ହିସାବରେ ୭୨ ଟଙ୍କା, ଏପରି ମୋଟ ୯୮ ଟଙ୍କା ଖର୍ଚ୍ଚ ହେବା ଦେଖାଇ କମିଶନରଙ୍କୁ ଛୋଟଲାଟଙ୍କଠାରୁ ହୁକୁମ ଆଣିବାକୁ ପିଡ଼ିଥିଲା । ଏହି ପାଇକ କମ୍ପାନୀରୁ ୧୩ ଜଣଙ୍କୁ ସମ୍ବଲପୁର ପଠାଇବାକୁ ପ୍ରସ୍ତାବ ହୋଇଥିଲା । ପାଇକ ସଂଖ୍ୟା ବୃଦ୍ଧି କରାଯାଇଥିଲେ ମଧ୍ୟ ନଭେମ୍ବର ମାସ ସୁଦ୍ଧା ସେମାନଙ୍କୁ ସମ୍ବଲପୁର ପଠାଯିବାର ଆବଶ୍ୟକତା ହାକିମମାନେ ଉପଲବ୍‌ଧି କରିନଥିଲେ ।

 

କାପ୍‌ଟେନ୍‌ ଲେଙ୍କ ଇସ୍ତଫା

 

ଅବସ୍ଥା ସମମ୍ଭାଳ ହୋଇ ଆସୁଥିବାବେଳେ କାପ୍‌ଟେନ୍‌ ଲେ ତାଙ୍କର ପଦତ୍ୟାଗ କରିବାପାଇଁ ଆବେଦନ କଲେ । ସେ ନିଜେ ନିଷ୍ଟାପର ଭାବରେ ବିଦ୍ରୋହର ଦମନ କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟକରିବା ପାଇଁ ତାଙ୍କର ସ୍ୱାସ୍ଥ୍ୟ ତାଙ୍କୁ ସାହାଯ୍ୟ କରୁନଥିଲା । ବିଶେଷତଃ ବିଦ୍ରୋହର ପ୍ରଥମାବସ୍ଥାରେ ସ୍ଥାନୀୟ ଅଫିସରମାନଙ୍କ ଭିତରେ ଅଳ୍ପ ଅଭିଜ୍ଞତା ଥିବା କେତେଜଣ ଯୁବକ ଅଧିକାରୀ ବିଦ୍ରୋହ ଦମନ କରିବା ଦିଗରେ ସମର୍ଥ ହେଲେ ନାହିଁ ବୋଲି କକବର୍ଣ୍ଣ ସାହେବ ଯେଉଁ ରିପୋର୍ଟ ସରକାରଙ୍କୁ ଦେଲେ, ସେଥିରେ କାପଟେନ୍‌ ଲେ ଦୁଃଖିତ ହୋଇଥିଲା ଭଳି ଅନୁମାନ କରାଯାଏ । ତାହାନହେଲେ ସେ ହଠାତ୍‌ କାହିଁକି ବା ଇସ୍ତଫା ଦିଅନ୍ତେ-? ସରକାର ତାଙ୍କର ଇସ୍ତଫା ଗ୍ରହଣ କରି ତାଙ୍କ ସ୍ଥାନରେ କର୍ଣ୍ଣେଲ ଫଷ୍ଟର୍‌ଙ୍କୁ ଆସିଷ୍ଟାଣ୍ଟ କମିଶନର କରି ପଠାଇଲେ । କାପଟେନ୍‌ ଲେ କାର୍ଯ୍ୟରୁ ଇସ୍ତଫା ଦେଇଥିଲେ ମଧ୍ୟ ଫଷ୍ଟେର୍‌ ସାହେବ ସମ୍ବଲପୁରରେ ପହଞ୍ଚି କାର୍ଯ୍ୟଭାର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ସେଠାରେ ରହି କାର୍ଯ୍ୟ ଚଳାଉଥିଲେ । ତାଙ୍କର ଏହି କାମ ଅବଶ୍ୟ ପ୍ରଶଂସନୀୟ ବୋଲି ସରକାର ସ୍ୱୀକାର କରିଛନ୍ତି । କାପ୍‌ଟେନ୍‌ ଲେ ବହୁତ ଥର ସରକାରଙ୍କୁ ଅଧିକ ସାହାଯ୍ୟ ପଠାଇବା ପାଇଁ ଆବେଦନ କରିଥିଲେ, କିନ୍ତୁ ସରକାର ସେ ଦିଗରେ ବେଶ୍‌ ତତ୍ପର ନ ହେବାରୁ ସେଥିରେ ଅସନ୍ତୁଷ୍ଟ ହୋଇ ପଦତ୍ୟାଗ କରିଥିବା ମଧ୍ୟ ଅନ୍ୟ ଏକ କାରଣ ହୋଇପାରେ । ଲେ ଙ୍କ ଅଧୀନରେ ଯେଉଁ ୬୦୦ସୈନିକ ଓ ପାଇକ କାମ କରୁଥିଲେ, ସେମାନଙ୍କ ଭିତରୁ ୧୮୧ଜଣ ବେମାର ହୋଇ ଡାକ୍ତରଖାନାରେ ପଡ଼ି ରହିଲେ ଏବଂ ଆଉ କେତେକ ରୋଗ ପ୍ରଭାବରୁ ଦୁର୍ବଳ ହୋଇପଡ଼ିଲେ । ବାହାରରୁ ଶୀଘ୍ର ସାହାଯ୍ୟ ନ ଆସିଲେ ଅବସ୍ଥା ଶୋଚନୀୟ ହୋଇପଡ଼ିବ- ଏହା ସେତେବେଳକୁ ହାକିମମାନେ ଉପଲବ୍‌ଧି କରିସାରିଥିଲେ ।

 

କଟକରୁ ସୈନ୍ୟ ପଠାଇବା ଅନୁଚିତ

 

କଟକରେ ଯେଉଁ ସାମରିକ ଘାଟି ଥିଲା ସେଠାରୁ ସୈନ୍ୟ ପଠାଇବା ଅତି ଅସୁବିଧା ଥିବା ବିଷୟ ସରକାରଙ୍କୁ କମିଶନର ସାହେବ ଜଣାଇଲେ । କଟକରେ ସେତେବେଳକୁ ମାନ୍ଦ୍ରାଜ ନେଟିଭ ଇନ୍‌ଫଣ୍ଟ୍ରିର ୪୦ ଦଳର ୪ଟି କମ୍ପାନୀ (୨୮୦) ଓ ୫ମ ଦଳର ୫ଟି କମ୍ପାନୀ (୩୫୦) ସୈନ୍ୟ କେବଳ ଥିଲେ । କଟକ, ପୁରୀ, ବାଲେଶ୍ୱର ଓ ୧୮ଟି ଗଡ଼ଜାତର ରକ୍ଷା ପାଇଁ ଏହି ସାମରିକ ବ୍ୟବସ୍ଥା ନିଅଣ୍ଟ ଥିଲା କହିଲେ ଚଳେ । ଯଦି କଟକରୁ ସୈନ୍ୟ ସମ୍ବଲପୁରକୁ ଯାଆନ୍ତି, ତାହାହେଲେ ଅନ୍ୟ ସ୍ଥାନରୁ କଟକକୁ ସୈନ୍ୟ ଆମଦାନୀ ହେବା ନିତାନ୍ତ ଦରକାର ବୋଲି କମିଶନର ସରକାରଙ୍କୁ ଜଣାଇଲେ ।

☆☆☆

 

ଓଡ଼ିଶାରେ ସିପାହୀ ବିଦ୍ରୋହର ଝଲକ

ଷଷ୍ଠ ଅଧ୍ୟାୟ

ପୁଣି ସଂଘର୍ଷ

 

ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ବସିଲା । ନଭେମ୍ବର ୨୫ତାରିଖ ରାତିରେ ଦଳେ ବିଦ୍ରୋହୀ ସମ୍ବଲପୁର ସହର ପାଖରେ ପହଞ୍ଚିବା ଖବର ପାଇ ସରକାରୀ ପକ୍ଷର ଦଳେ ସୈନ୍ୟ ସେମାନଙ୍କୁ ଧରିବାକୁ ବାହାରିଲେ; କିନ୍ତୁ ରାତିରେ ବିଦ୍ରୋହୀମାନଙ୍କୁ ଧରିବା ଆଦୌ ସମ୍ଭବ ହେଲା ନାହିଁ । ବିଦ୍ରୋହୀମାନେ କିଛି ସମୟ ଖଣ୍ଡଯୁଦ୍ଧ କରି ଜଙ୍ଗଲ ଭିତରେ ପଶି କୁଆଡ଼େ ଉଭେଇଗଲେ-। ସରକାରଙ୍କ ତରଫରୁ ଦୁଇଜଣ ମଲେ ଓ ଆଠ ଜଣ ଆହତ ହେଲେ ।

 

ଏ ଘଟଣା ସହିତ ଡାକ୍ତର ମୂରଙ୍କ ହତ୍ୟା ସରକାରୀ ପକ୍ଷକୁ ବେଶି ଚିନ୍ତିତ କରିପକାଇଲା । ହାନ୍‌ ସନ୍‌ ସିନା ରକ୍ଷା ପାଇଗଲେ; କିନ୍ତୁ ତାଙ୍କର ସର୍ବସ୍ୱ ବିଦ୍ରୋହୀମାନେ ଛଡ଼ାଇ ନେଇଯାଇଥିଲେ । ଏହି ଘଟଣା ହାକିମମାନଙ୍କୁ ବଡ଼ ଅପମାନ ବୋଧ ହୋଇଥିବା ସମ୍ଭବ ।

 

କଟକରୁ ନିଜେ ଅଫିସର କମାଣ୍ଡିଂମେଜର ବେଟସ ସମ୍ବଲପୁର ଯିବାକୁ ବାହାରିଲେ । ସାଙ୍ଗରେ କଟକରେ ଥିବା ସୈନ୍ୟ ଓ ୪ଟି ତୋପ ମଧ୍ୟରୁ ୨ଟି ତୋପ ଗୋଳା ବାରୁଦ ପ୍ରଭୃତି ଯୁଦ୍ଧ ସରଞ୍ଜାମ ଧରିଥିଲେ । ସମ୍ବଲପୁରରେ ଡାକ୍ତର ଅଭାବ ଥିବାରୁ ପୁରୀର ଡାକ୍ତର ପ୍ରିଙ୍ଗଲ୍‌ଙ୍କୁ ମଧ୍ୟ ସଙ୍ଗରେ ନେଇଥିଲେ ।

 

କକ୍‌ବର୍ଣ୍ଣ ସାହେବ ଡିସେମ୍ବର ତା ୧୯ରିଖରେ କାର୍ଯ୍ୟଭାର ଗ୍ରହଣକରି କାଳବିଳମ୍ବ ନ କରି ସମ୍ବଲପୁର ଅଭିମୁଖରେ ଯାତ୍ରା କଲେ ।

 

ଡିସେମ୍ବର ତା ୨୯ରିଖରେ ନାଗପୁରରୁ କାପଟେନ ଉଡ଼ ସମ୍ବଲପୁରରେ ଦଳେ ଅଶ୍ୱାରୋହୀ ସୈନ୍ୟଙ୍କୁ ଧରି ପହଞ୍ଚିଲେ ।

 

ସମ୍ବଲପୁର ନିକଟରେ ସଂଘର୍ଷ

 

ଡିସେମ୍ବର ତା୩୦ରିଖ ଦିନ ସକାଳେ କାପ୍‌ଟେନ୍‌ ଉଡ଼ ୭୩ ଜଣ ଅଶ୍ୱାରୋହୀ ସୈନ୍ୟ ଓ ୨୦୦ ସିପାହୀଙ୍କୁ ଧରି ଅତି ସତର୍କ ରହି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କଲେ-। ସେଦିନ ସମ୍ବଲପୁର ନିକଟରେ ଦଳେ ବିଦ୍ରୋହୀଙ୍କୁ ଧରି ସୁରେନ୍ଦ୍ର ଓ ତାଙ୍କ ଭାଇ (ଛଇଳ) ଲୁଚି ରହିଥିବା ଖବର ଉଡ଼୍‌ ପାଇଲେ । ଅତି ଗୋପନରେ ସୈନ୍ୟ ଚାଳନା କରି ଗୋଟିଏ ଆମ୍ବତୋଟା ଭିତରେ ବିଦ୍ରୋହୀମାନଙ୍କୁ ଆକ୍ରମଣ କଲେ । ପ୍ରଥମେ ଅଶ୍ୱାରୋହୀମାନେ ସେଠାରେ ପହଞ୍ଚି ଅତର୍କିତ ଭାବରେ ସୁରେନ୍ଦ୍ରଙ୍କ ଦଳ ଉପରେ ଚଢ଼ାଉ କଲେ । ସଂଘର୍ଷ ଚାଲିଥିବା ସମୟରେ ସିପାହୀମାନେ ମଧ୍ୟ ପହଞ୍ଚିଯିବାରୁ ଯୁଦ୍ଧ ଭୀଷଣ ଆକାର ଧାରଣ କଲା । ବିଦ୍ରୋହୀମାନେ କ୍ଷେତ୍ରରୁ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲିଗଲେ । ବିଦ୍ରୋହୀଙ୍କ ଭିତରୁ ୫୩ଜଣ ପ୍ରାଣ ହରାଇଲେ; ବହୁତ ଲୋକ ଆହତ ହେଲେ ଏବଂ କେତେକ ମଧ୍ୟ ଧରାପଡ଼ିଲେ । ସୁରେନ୍ଦ୍ର ଭାଇ ଛଇଳ ଏହି ଯୁଦ୍ଧରେ ପ୍ରାଣ ତ୍ୟାଗ କଲେ । କିନ୍ତୁ ସୁରେନ୍ଦ୍ର ଖସି ପଳାଇଲେ । ସରକାରୀ ପକ୍ଷରୁ କାହାର କିଛି ବିଶେଷ କ୍ଷତି ହୋଇନାହିଁ । କେବଳ କାପ୍‌ଟେନ ଉଡ଼୍‌ଙ୍କ ଦେହରେ ତୀର ବାଜି ସାମାନ୍ୟ ଆଘାତ ଲାଗିଥିଲା ।

 

ବିଦ୍ରୋହୀମାନେ ବଣ ଭିତରେ ପଶିଯିବା ସେମାନଙ୍କ ପଛରେ ଗୋଡ଼େଇବା ସମ୍ଭବ ନୁହେଁ ମନେକରି କାପଟେନ୍‌ ଉଡ଼୍‌ ସମ୍ବଲପୁର ସହରକୁ ଫେରିଆସିଲେ ।

 

୧୮୫୮ ଜାନୁୟାରୀ ବେଳକୁ ସମ୍ବଲପୁର ଓ ଆଖପାଖ ଗଡ଼ଜାତମାନଙ୍କରେ ବିଦ୍ରୋହ ମନୋଭାବ ପୂରା ମାତ୍ରାରେ ଦେଖାଦେଲା । ଗଡ଼ଜାତ ରାଜାମାନେ ଉପରକୁ ସରକାରଙ୍କ ବଶ୍ୟତା ସ୍ୱୀକାର କରି ହାକିମମାନଙ୍କର ଆଦେଶକୁ ତାଲିମ କରିବାରେ ଲାଗିଥିଲେ ମଧ୍ୟ ବିଦ୍ରୋହୀମାନଙ୍କୁ ଦମନ କରିବା ମନୋଭାବ ସେମାନଙ୍କର ଆଦୌ ନ ଥିଲା କହିଲେ ଚଳେ । ଅତି ନିରାଶ ଅବସ୍ଥା ଆସିଗଲା ପରେ ଅବଶ୍ୟ କେତେଜଣ ରାଜା ଭବିଷ୍ୟତରେ ଅକାରଣ ଦଣ୍ଡରୁ ଅବ୍ୟାହତି ପାଇବା ପାଇଁ ଭଲଲୋକ ପାଲଟି ଯାଇଥିଲେ ।

 

ମଧୁ ଗୌନ୍ତିଆ ଧରାହେଲେ

 

ରେଢ଼ାଖୋଲ ଅନୁଗୁଳର ନିକଟରେ ଥିବାରୁ ଏବଂ ସମ୍ବଲପୁର-କଟକ ରାସ୍ତାରେ ଏହା ଏକ ସରକାରୀ ଘାଟି ଥିବାରୁ ସରକାରଙ୍କ ବିରୁଦ୍ଧରେ ପ୍ରକାଶ୍ୟ ଭାବରେ କିଛି କରିବାର ଉପାୟ ନ ଥିଲା । ତା ଛଡ଼ା ଡାକ୍ତର ମୁର୍‌ଙ୍କ ହତ୍ୟା ପରେ ସେଠାରେ ରାଜାଙ୍କୁ ସରକାରଙ୍କଠାରୁ ଯେଉଁ କଡ଼ା ତାଗିଦ ମିଳିଲା ସେଥିରେ ସେ ବିଚଳିତ ହୋଇପଡ଼ିଲେ । ହେମ୍‌ସନ୍‌ ସାହେବଙ୍କୁ ଆଶ୍ରା ଦେଇ ରକ୍ଷା କରିଥିବାରୁ ଏବଂ ତା’ପରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଦଳେ ପାଇକ ଯୋଗାଇ ଦେବାକୁ ତାଙ୍କ ପ୍ରତି ସରକାରଙ୍କର କୋପଦୃଷ୍ଟି ଆଉ ପଡ଼ିନଥିଲା । ରାଜା ମଧ୍ୟ ସରକାରଙ୍କ ଧମକରେ ଭୟ ପାଇଯାଇ ଡାକ୍ତର ମୁର୍‌ଙ୍କୁ ଯେଉଁମାନେ ହତ୍ୟା କରିଥିଲେ ସେମାନଙ୍କୁ ଧରିବାରେ ସରକାରଙ୍କୁ ସାହାଯ୍ୟ କରିଥିଲେ । ହତ୍ୟାକାରୀମାନଙ୍କ ନେତା ମଧୁ ଗୌନ୍ତିଆ ଓ ତାଙ୍କର ଆଉ ତିନି ଜଣ ସହକର୍ମୀଙ୍କୁ ରେଢ଼ାଖୋଲ ରାଜା ଧରିନେଇ ସରକାରୀ ହାକିମମାନଙ୍କ ହାତରେ ସମର୍ପଣ କରିଦେଲେ । ରାଜାଙ୍କର ଏହି କାର୍ଯ୍ୟକୁ ଲୋକେ ଅତି ଘୃଣ୍ୟକର୍ମ ବୋଲି ମନେକଲେ । ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଲା । ଫଳରେ କଟକ-ସମ୍ବଲପୁର, ସମ୍ବଲପୁର-କଲିକତା, ସମ୍ବଲପୁର, ରାୟପୁର ରାସ୍ତା ବିପଦଜନକ ହୋଇପଡ଼ିଲା ।

 

ସରକାରୀ ସୈନ୍ୟ ଝାରଘାଟୀ ଧ୍ୱଂସ କଲେ

 

୧୮୫୮ ଖ୍ରୀଷ୍ଟାବ୍ଦ ଜାନୁଆରୀ ପ୍ରଥମାର୍ଦ୍ଧରେ କଟକରୁ ମେଜର ବେଟ୍‌ସ ସୈନ୍ୟସାମନ୍ତ ଧରି ସମ୍ବଲପୁରରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ୭ତାରିଖରେ ସମ୍ବଲପୁରରେ ଥିବା ସମସ୍ତ ସୈନ୍ୟବାହିନୀର କର୍ତ୍ତୃତ୍ୱ ଗ୍ରହଣ କଲେ । ସେତେବେଳକୁ ସମ୍ବଲପୁର ନିକଟସ୍ଥ ଝାରଘାଟୀଠାରେ ସୁରେନ୍ଦ୍ରଙ୍କ ଭାଇ ଉଦନ୍ତସାଏ ଯୁଦ୍ଧ ଆୟୋଜନ କରୁଥିଲେ । ଏହି ଖବର ପାଇବାମାତ୍ରେ ମେଜର ବେଟସ କାଳ ବିଳମ୍ବ ନ କରି ଉକ୍ତ ଘାଟିକୁ ଆକ୍ରମଣ କଲେ । ଉଦନ୍ତ ଯେଉଁ ଛୋଟିଆ ଆଡ଼ି ତିଆରି କରିଥିଲେ ତାକୁ ଧ୍ୱଂସ କରିଦେଲେ । ଉଦନ୍ତଦଳର ୪ଜଣଙ୍କୁ ମାରିଦେଲେ ଏବଂ କେତେକ ଯୁଦ୍ଧସରଞ୍ଜାମ ଓ ଗୋଳା ବାରୁଦ ହାତକରି ନେଲେ । କିନ୍ତୁ ଉଦନ୍ତ ସେଠାରୁ ଖସି ପଳାଇଥିଲେ ।

 

ବେଟସ୍‌ଙ୍କ କୋଲାବିରା ଆକ୍ରମଣ

 

ମେଜର ବେଟସ୍ ଝାରଘାଟୀଠାରୁ କୋଲାବିରା ଅଭିମୁଖରେ ଯାତ୍ରାକଲେ । ଏହି ସ୍ଥାନଟି ବିଦ୍ରୋହୀମାନଙ୍କର ପ୍ରଧାନ ଦୁର୍ଗ ଥିଲା । ଏହିଠାରେ ସବୁ ପ୍ରକାର ମନ୍ତ୍ରଣା ହୋଇ ବିଦ୍ରୋହର ଆନ୍ଦୋଳନ ଚାଳିତ ହେଉଥିଲା ।

 

କୋଲାବିରା ଗୌନ୍ତିଆ ସୁରେନ୍ଦ୍ର ସାଏଙ୍କୁ ପ୍ରକାଶ୍ୟ ଭାବରେ ସାହାଯ୍ୟ କରୁଥିଲେ । ସେଠାରେ ଲୋକେ ମଧ୍ୟ ବିଦ୍ରୋହରେ ଯୋଗଦେଇଥିଲେ । ବେଟସ୍ କୋଲାବିରା ଆକ୍ରମଣ କରି ଦୁର୍ଗ ସହିତ ଗ୍ରାମଟିକୁ ଧ୍ୱଂସ କରିଦେଲେ । ଏହାପରେ କୋଲାବିରା ଗୌନ୍ତିଆ ଓ ଅନ୍ୟ ୧୩ (ତେର) ଜଣ ମୁଖିଆ ବିଦ୍ରୋହୀ ଆପେ ବେଟସ୍‍ଙ୍କଠାରେ ଆତ୍ମସମର୍ପଣ କଲେ । କୋଲାବିରା ଗୌନ୍ତିଆ ଆତ୍ମସମର୍ପଣ କରିଯିବାପରେ କୋଲାବିରାରେ ବିଦ୍ରୋହୀମାନଙ୍କ ଭିତରେ ଟିକିଏ ହତାଶାଭାବ ଦେଖାଦେଇଥିଲା । କିନ୍ତୁ ଗ୍ରାମର ଦୁର୍ଗ ଅପେକ୍ଷା ଦୁର୍ଭେଦ୍ୟ ବନଜଙ୍ଗଲ ଯୁଦ୍ଧପକ୍ଷରେ ସୁବିଧାଜନକ ଦେଖି ସେମାନେ ଏହି ବନଦୁର୍ଗକୁ ଆଶ୍ରୟ କରି ସରକାରଙ୍କୁ ବିବ୍ରତ କରିବାରେ ଲାଗିଲେ ।

 

କାପ୍‌ଟେନ ଲେଙ୍କ ଅଭିଯାନ

 

ସମ୍ବଲପୁରର ଆଖପାଖ ଜଙ୍ଗଲ ଅଞ୍ଚଳରେ ବିଦ୍ରୋହୀମାନେ ଘାଟିକରି ରହିଥିବାରୁ ସେମାନଙ୍କୁ ଧ୍ୱଂସ କରିବାପାଇଁ ସରକାରୀ ଉଦ୍ୟମ ଆରମ୍ଭ ହୋଇଯାଇଥିଲା । ବେଟସ୍ ଝାରଘାଟି ଓ କୋଲାବିରା ଆଡ଼େ ଦୃଷ୍ଟି ଦେଇଥିଲାବେଳେ କାପ୍‌ଟେନ ଲେ ୧୮୫୮ ଜାନୁଆରୀ ୧୪ ତାରିଖରେ ସମ୍ବଲପୁର ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ଏକ ବିଦ୍ରୋହୀ ଘାଟି ଉପରେ ଆକ୍ରମଣ ଚଳାଇଲେ । ମାନ୍ଦ୍ରାଜ ନେଟିଭ୍‌ ଇନ୍‌ଫଣ୍ଟ୍ରର ୧୦୦ଜଣ ସୈନ୍ୟ ଓ ରାମଗଡ଼ ବାଟାଲିୟନର ୩୦ଜଣ ସୈନ୍ୟଙ୍କୁ ସେ ସାଙ୍ଗରେ ନେଇ ଅଭିଯାନ ଆରମ୍ଭ କଲେ । ଜଙ୍ଗଲ ଭିତରେ ପଥରର ଗଡ଼କାନ୍ଥ ନିର୍ମାଣ କରି ବିଦ୍ରୋହୀମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲେ; ଦୂରରୁ ସରକାରୀ ସୈନ୍ୟବାହିନୀକୁ ଦେଖିଲେ । ସେମାନଙ୍କୁ ଜଙ୍ଗଲ ଭିତରେ ପୂରେଇ ଧ୍ୱଂସ କରିଦେବା ଉଦ୍ଦେଶ୍ୟରେ ବିଦ୍ରୋହୀମାନ ପାହାଡ଼ ଉପରକୁ ଚାଲିଗଲେ । କାପ୍‌ଟେନ୍‌ ଲେ ପାହାଡ଼ ତଳେ ପହଞ୍ଚି ବିଦ୍ରୋହୀମାନଙ୍କ ଗତିବିଧି ଲକ୍ଷ୍ୟ କଲେ । ସେ ବୁଝିପାରିଲେ ଯେ ଏହି ଘୋର ଜଙ୍ଗଲ ଭିତରେ ପଶି ପଥରକାନ୍ଥକୁ ଧ୍ୱଂସ କରି ବିଦ୍ରୋହୀମାନଙ୍କୁ ଆକ୍ରମଣ କରିବା ସହଜ ହେବ ନାହିଁ । ବିଶେଷତଃ ବିଦ୍ରୋହୀମାନଙ୍କ ସଂଖ୍ୟା ସେମାନଙ୍କ ଅପେକ୍ଷା ବେଶି ଥିଲା । ସେଥିଯୋଗୁ ଆକ୍ରମଣ ଆଶା ଛାଡ଼ି ସେ ଧୀରେ ଧୀରେ ପଛଘୁଞ୍ଚା ଦେଇ ସମ୍ବଲପୁରଆଡ଼କୁ ଫେରିଯିବା ଉଦ୍ୟମ କଲେ । ପାହାଡ଼ ଉପରୁ ବିଦ୍ରୋହୀମାନେ ଲେଙ୍କ ଏହି ଗତିକୁ ଲକ୍ଷ୍ୟକରି ପ୍ରତିଆକ୍ରମଣ କରିବା ପାଇଁ ପାହାଡ଼ ତଳକୁ ମାଡ଼ି ଆସିଲେ । ସେମାନେ ଭାବିଲେ ଲେ ନିଜକୁ ବଞ୍ଚାଇ ରଖିବାକୁ ପଛଘୁଞ୍ଚା ଦେଉଛନ୍ତି । ଏତିକିବେଳେ ତାଙ୍କ ଉପରେ ଆକ୍ରମଣ ଚଳାଇଲେ ସେ ଧ୍ୱଂସ ପାଇଯିବେ । ବିଦ୍ରୋହୀମାନେ ପାହାଡ଼ ତଳକୁ ଖସିଆସୁଥିବାର ଦେଖିଲେ ତାଙ୍କ ସୈନ୍ୟମାନଙ୍କୁ ଏକତ୍ରିତ କରି ପ୍ରତିଆକ୍ରମଣର ପ୍ରତିରୋଧ କରିବାକୁ ସଜବାଜ ହେଲେ ଏବଂ ଜଙ୍ଗଲ ନିକଟରୁ ଘୁଞ୍ଚିଆସି ଖୋଲା ମଇଦାନରେ ଠିଆହେଲେ । ବିଦ୍ରୋହୀମାନେ ତାଙ୍କୁ ଗୋଡ଼ାଇ ମଇଦାନରେ ଆକ୍ରମଣ କଲେ । ବିଦ୍ରୋହୀମାନଙ୍କର ସଂଖ୍ୟା ପ୍ରାୟ ୧୫୦୦ ଥିବା ସରକାରୀ ହିସାବରୁ ଜଣାଯାଏ । ଲେଙ୍କର ମୋଟେ ୧୩୦ ସୈନ୍ୟ ଥିଲେ । କିନ୍ତୁ ସେମାନଙ୍କ ହାତରେ ଭଲ ହାତ ହତିଆର ଥିବାରୁ ବିଦ୍ରୋହୀମାନେ ସଂଖ୍ୟାରେ ପ୍ରାୟ ୧୨ ଗୁଣା ଥିଲେ ମଧ୍ୟ ବିଶେଷ କିଛି କରିପାରିଲେ ନାହିଁ । ପୁରୁଣା ଭଙ୍ଗା ଦଦରା ନଳୀ ଓ ଧନୁଶର ଧରି ବିଦ୍ରୋହୀମାନେ ବା କି ଯୁଦ୍ଧ କରିବେ ? ଲଢ଼େଇରେ ବିଦ୍ରୋହୀମାନଙ୍କ ଭିତରୁ ୪ଜଣ ଓ ସରକାରୀ ପକ୍ଷର ଜଣେ ମଲେ । ବିଦ୍ରୋହୀମାନେ ଖୋଲା ମଇଦାନରେ ବେଶୀ ସମୟ ଯୁଦ୍ଧ କରିବାକୁ ଇଚ୍ଛା ନ କରି ସ୍ୱଶକ୍ତିର ଅପଚୟରୁ ରକ୍ଷା ପାଇବା ପାଇଁ ପୁଣି ଜଙ୍ଗଲ ଭିତରକୁ ଲେଉଟିଗଲେ । ଲେ ବିଦ୍ରୋହୀମାନଙ୍କ ଉପରେ ଆଉ ଆକ୍ରମଣ ନ କରି ସମ୍ବଲପୁରକୁ ଫେରିଆସିଲେ । ବନଜଙ୍ଗଲ ଯୁଦ୍ଧରେ ବନଜଙ୍ଗଲ ସହିତ ସଂପୃକ୍ତ ଥିବାଲୋକେ ଯେପରି କୃତିତ୍ୱ ଦେଖାଇପାରିବେ ଅନ୍ୟ ଲୋକ ସେପରି କରିପାରିବେ ନାହିଁ । ବିଶେଷତଃ ଜଙ୍ଗଲ ଭିତରେ ଲୁଚି କେତେବେଳେ କି ରୂପରେ ବିଦ୍ରୋହୀମାନେ ମାଡ଼ି ଆସିବେ ତାହା କହିବା କଷ୍ଟସାଧ୍ୟ-। ସେହିହେତୁ ସରକାର ପକ୍ଷ ଖୁବ୍‌ ସତର୍କତାର ସହିତ କାର୍ଯ୍ୟାନୁଷ୍ଠାନ କରୁଥିଲେ ।

☆☆☆

 

ସପ୍ତମ ଅଧ୍ୟାୟ

ସମ୍ବଲପୁରରେ ଓଡ଼ିଶା କମିଶନର

 

ଓଡ଼ିଶାର କମିଶନର ଜି: ଏଫ.; କକବର୍ଣ୍ଣ ସାହେବ ଜାନୁଆରୀ ତା ୨୦ରିଖ ଦିନ ସମ୍ବଲପୁରରେ ପହଞ୍ଚିଲେ । ତାଙ୍କ ସାଙ୍ଗରେ ମେଜର ଉଇଣ୍ଡହୋମ୍‌ଙ୍କ ନେତୃତ୍ୱରେ ୫ମ ମାନ୍ଦ୍ରାଜ ନେଟିଭ ଇନ୍‌ଫଣ୍ଟରୀର ଦଳେ ସୈନ୍ୟ ଯାଇଥିଲେ । ମାନ୍ଦ୍ରାଜ ଗୋଲନ୍ଦାଜ ବାହିନୀର କାପଟେନ୍ ଏଲ୍‌ ଉଇନଙ୍କ ନେତୃତ୍ଵରେ କେତୋଟି ତୋପ ମଧ୍ୟ ନିଆଯାଇଥିଲା । କକବର୍ଣ୍ଣ ସାହେବ ବହୁ କଷ୍ଟ ସହ୍ୟକରି କଟକଠାରୁ ଅନୁଗୁଳ ବାଟେ ସମ୍ବଲପୁରରେ ପହଞ୍ଚିଲେ । ସ୍ଥାନେ ସ୍ଥାନେ ବିଦ୍ରୋହୀମାନେ ତାଙ୍କ ଶିବିର ଉପରେ ଆକ୍ରମଣକରି ଜିନିଷପତ୍ର ନେଇ ଚାଲିଯିବାର ଉଦ୍ୟମ କରିଥିଲେ । ଗୋଟିଏ ଘାଟିରେ ଯେତେ ଖାଦ୍ୟଜିନିଷ ଥିଲା ସେସବୁ ବିଦ୍ରୋହୀମାନେ ଲୁଟ୍‍କରି ନେଇଯାଇଥିଲେ । ବିଦ୍ରୋହୀମାନଙ୍କ ଦାଉରେ କମିଶନର ସାହେବ ସିଧା ବାଟରେ ନ ଯାଇ ବୁଲା ବାଟରେ ସମ୍ବଲପୁରରେ ପହଞ୍ଚିଲେ । ସମୟ ସମୟରେ ସୈନ୍ୟମାନଙ୍କ ପାଖରେ ଓଳିକର ଖାଦ୍ୟଜିନିଷ ମଧ୍ୟ ରହୁନଥିଲା । ଏତେ ଅସୁବିଧା ଭିତରେ ମଧ୍ୟ ମାନ୍ଦ୍ରାଜ ସୈନିକମାନେ ବିନା ଆପତ୍ତିରେ ଠିକଣା ଜାଗାରେ ଯାଇ ପହଞ୍ଚିଥିଲେ । ବାଟରେ ଗଡ଼ଜାତର ରାଜାମାନେ ଦାମ ନେଇ ସୈନ୍ୟମାନଙ୍କୁ ରସିଦ ଯୋଗାଇବାପାଇଁ ସରକାରଙ୍କଠାରୁ ପରୁଆନା ପାଇଥିଲେ । ଏହି ପରଓ୍ୱାନା ବଳରେ ସମ୍ବଲପୁର ଯିବା ପର୍ଯ୍ୟନ୍ତ କମିଶନରଙ୍କ ଦଳ ବହୁ ସ୍ଥାନରେ ସୁବିଧାରେ ରସିଦ ପାଇଥିଲେ-

 

ସିଂଘୋରା ଲଢ଼େଇ

 

ସମ୍ବଲପୁରର ପଶ୍ଚିମକୁ ପ୍ରାୟ ଷାଠିଏ ମାଇଲ ଦୂରରେ ସଂଘୋରା ଘାଟି । ରାୟପୁର ଯିବା ବାଟରେ ଏହି ଘାଟିଟି ଥିବାରୁ ବିଦ୍ରୋହୀମାନେ ଏଠାରେ ନାନାପ୍ରକାର ଅସୁବିଧା କରୁଥିଲେ । ଡାକ ଛଡ଼ାଇବା ଏବଂ ସରକାରୀ ପକ୍ଷର ମାଲପତ୍ର ଲୁଟିକରିବା ପ୍ରଭୃତି କାମ ଏମାନେ ସହଜରେ କରୁଥିଲେ । କାପ୍ତାନ ସେକ୍‌ସପିଅରଙ୍କୁ ସମ୍ବଲପୁରଠାରୁ ରାୟପୁର ଯିବାପାଇଁ ଜରୁରୀ ଆଦେଶ ଦେବାରୁ ସେ ଦଳ ସୈନ୍ୟ ଧରି ରାୟପୁରଆଡ଼େ ଚାଲିଲେ । ସିଂଘୋରା ଘାଟି ପାଖରେ ବିଦ୍ରୋହୀମାନଙ୍କ ସହିତ ସରକାରୀ ସୈନ୍ୟଙ୍କର ଲଢ଼େଇ ହେଲା । ନାଗପୁର ଅଶ୍ୱାରୋହୀ ଦଳର କେତେଜଣ ସୈନ୍ୟଙ୍କୁ ନେଇ ସେକ୍‌ସପିଅର ବିଦ୍ରୋହୀମାନଙ୍କୁ ଆକ୍ରମଣ କଲେ । ଘାଟିସ୍ଥଳରୁ ବିଦ୍ରୋହୀମାନେ ଏହାର ପ୍ରତିରୋଧ କଲେ । ଟାଣ ଲଢ଼େଇ ପରେ ବିଦ୍ରୋହୀଦଳର ୧୧ (ଏଗାର ଜଣ ମଲେ, ୧୫ (ପନ୍ଦର) ଜଣ ଘାଏଲ ହେଲେ ଏବଂ ୩ (ତିନି) ଜଣ ଧରାପଡ଼ିଲେ । ସରକାରୀ ପକ୍ଷର କି କ୍ଷତି ହୋଇଥିଲା ତାର ପରିମାଣ ଜଣାଯାଇ ନାହିଁ । ସିଂଘୋରା ଆକ୍ରମଣର ଫଳାଫଳ ଶେଷ ହେବା ପୂର୍ବରୁ ସେକ୍‌ସପିଅର ନାଗପୁର ଚାଲିଗଲେ । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ସମ୍ବଲପୁରରୁ କାପ୍‌ଟେନ ଉଡ଼୍ ବ୍ରିଡ଼ଜ୍‌ ଓ କାପ୍‌ଟେନ ଉଡ଼୍ ଦଳେ ମାନ୍ଦ୍ରାଜୀ ସୈନ୍ୟଙ୍କୁ ଧରି ସଂଘୋରା ଆଡ଼େ ଯାତ୍ରା କଲେ ।

 

ପାହାଡ଼ ସିରିଗିରିଆ ଲଢ଼େଇ

 

କାପ୍‌ଟେନ୍‌ ଉଡ଼୍ ଓ କାପ୍‌ଟେନ୍‌ ଉଡ଼୍ ବ୍ରିଡ଼ଜ୍‌ ସମ୍ବଲପୁରଠାରୁ ପ୍ରାୟ ୨୦ (କୋଡ଼ିଏ) ମାଇଲ ଦୂରରେ ଥିବା ବରପାହାଡ଼ ପର୍ବତମାଳାର ପାଦଦେଶରେ ଥିବା ପାହାଡ଼ ସିରିଗିରିଆ ନାମକ ଘାଟିଠାରେ ପହଞ୍ଚିଲେ । ସେଠାରେ ବିଦ୍ରୋହୀମାନେ ଆଡ଼ା ଜମାଇଥିବାରୁ ତାକୁ ଧ୍ୱଂସ କରିବାପାଇଁ ଫେବୃୟାରି ୧୨ତାରିଖ ଦିନ କାପ୍‌ଟେନ୍‌ ଉଡ଼୍ ବ୍ରିଡ଼ଜ୍‌ ବିଦ୍ରୋହୀମାନଙ୍କ ଉପରେ ହଠାତ୍‌ ଆକ୍ରମଣ କଲେ । ଉଭୟ ପକ୍ଷରୁ ଜୋରରେ ଲଢ଼େଇ ଚାଲିଲା । କାପ୍‌ଟେନ୍‌ଙ୍କ ସହ ତାଙ୍କ ନିକଟରେ ଥିବା ଦୁଇଜଣ ମାନ୍ଦ୍ରାଜୀ ସିପାହୀ ଏହି ଲଢ଼େଇରେ ସେଠାରେ ପ୍ରାଣ ହରାଇଲେ । କାପ୍‌ଟେନ୍‌ଙ୍କ ମୃତ୍ୟୁପରେ ସରକାରୀ ସିପାହୀମାନଙ୍କ ଭିତରେ ଭୟ ସଞ୍ଚାର ହୋଇଥିଲା । କିଏ କୁଆଡ଼େ ଛିନ୍‌ଛତର ହୋଇ ପଳେଇଲେ । କାପ୍‌ଟେନ୍‌ଙ୍କ ମୃତଦେହ ଯୁଦ୍ଧଭୂମିରେ ପଡ଼ିରହିଲା । ରାମଗଡ଼ ବାଟାଲିଅନ୍‌ର ସିପାହୀ ମଥୁରା ପାଣ୍ଡେ ଓ ମାରବତ୍‌ ଖାଁ କାପ୍‌ଟେନ୍‌ଙ୍କ ଶବକୁ ନେଇ ଆସିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କଲେ । ବିଦ୍ରୋହୀମାନେ ସେ ଦୁହିଙ୍କ ଉପରେ ଆକ୍ରମଣ କରି ଅସ୍ତବ୍ୟସ୍ତ କରିପକାଇଲେ । ସେମାନେ ଏଥିରେ ଆଘାତ ମଧ୍ୟ ପାଇଲେ । ଶେଷରେ ନିରୁପାୟ ହୋଇ ଫେରିଆସିଲେ । କାପ୍‌ଟେନ୍‌ଙ୍କ ଶବ ସେଠାରେ ପଡ଼ିରହିଲା । ସମ୍ବଲପୁରରେ ଏ ଖବର ପହଞ୍ଚିବା ମାତ୍ରେ କମିଶନର କକ୍‌ବର୍ଣ୍ଣ ସାହେବ ବିଚଳିତ ହୋଇପଡ଼ିଲେ । ସାଙ୍ଗେ ସାଙ୍ଗେ କାପ୍‌ଟେନ ଲେଙ୍କ ଅଧିନାୟକତ୍ୱରେ ଦଳେ ଟାଣୁଆ ସୈନ୍ୟଙ୍କୁ ପାହାଡ଼ ଶିରଗିରିଆକୁ ପଠାଇଲେ-। ସେଠାରେ ଅତି ଭୀଷଣ ଲଢ଼େଇ ହେଲା ।

 

ବିଦ୍ରୋହୀମାନେ ନିବିଡ଼ ଜଙ୍ଗଲ ଭିତରେ ଦୁଇଟି ପାହାଡ଼ ମଧ୍ୟରେ ଥିବା ଖୋଲରେ ଛାଉଣି କରି ରହିଥିଲେ । ଖୋଲ ମୁହଁରେ ୭ (ସାତ) ଫୁଟ ଉଚ୍ଚର ଗୋଟିଏ ଟାଣୁଆ ପଥର କାନ୍ଥ ଗଢ଼ିଥିଲେ । କାନ୍ଥର ଲମ୍ବ ପ୍ରାୟ ୩୦ (ତିରିଶ) ଫୁଟ ହେବ । ଦକ୍ଷିଣଆଡ଼କୁ ପାହାଡ଼ ଉପରେ ଆଉ ଗୋଟିଏ ପଥର କାନ୍ଥ କରିଥିଲେ । ଏଠାରେ ତଳ କାନ୍ଥ ପାଖର ଘଟଣା ସବୁ ଦେଖାଯାଉଥିଲା । ପାହାଡ଼ଶିଖର ଥଳିଉପରେ ପଶି ଏକ କାନ୍ଥ ଗଢ଼ିଥିଲେ । ତଳର ଦ୍ୱାରକାନ୍ଥ ଆଗରେ ଥିବା ଜଙ୍ଗଲକୁ କାଟି ପରିଷ୍କାର ସଡ଼କଟିଏ କରିଥିଲେ । ଯଦି ବିପକ୍ଷ ଦଳର ସୈନ୍ୟମାନେ ସେ ବାଟରେ ଆସନ୍ତି, ତାହାହେଲେ ସେମାନଙ୍କୁ ଉପରୁ ସୁନ୍ଦର ଭାବରେ ଦେଖିହେବ ଏବଂ ଅକାଶରେ ଗୁଳି ବର୍ଷଣ କରି ଧ୍ୱଂସ କରିହେବ । ଶତ୍ରୁ ପକ୍ଷକୁ ଗଛ ଆଢ଼ୁଆଳରେ ରହିବା ସୁବିଧା ସେଠାରେ ମିଳିବା ସମ୍ଭବ ନ ଥିଲା ।

 

ୱାରଲୋ ନାମକ ଜଣେ ସୈନିକ ହାକିମ ଫେବୃୟାରୀ ୧୪ତାରିଖ ଦିନ ଏହି ଘାଟିଉପରେ ଆକ୍ରମଣ କଲେ । ବିଦ୍ରୋହୀମାନଙ୍କ କୌଶଳକୁ ପଣ୍ଡ କରିଦେବା ପାଇଁ ସାହେବ ଏକ ପନ୍ଥା ଉଦ୍ଭାବନ କଲେ । ସୈନ୍ୟମାନଙ୍କୁ ତିନି ଦଳରେ ବିଭକ୍ତ କରିଦେଲେ । ଦଳେ ବାମ ପଟରେ, ଦଳେ ଡାହାଣ ପଟରେ, ଦଳେ ସାମନା ପଟରେ ରହି ପାହାଡ଼ ଉପରକୁ ଉଠିଲେ । ଦୁଇ କଡ଼ର ଦୁଇ ଦଳ ପାହଡ଼ ଚଢ଼ିବା ସମୟ ଭିତରେ ସାମନା ଦଳ ବିଦ୍ରୋହୀମାନଙ୍କୁ ଯୁଦ୍ଧରେ ଲିପ୍ତ ରଖିବା, ଯୁଦ୍ଧ ଚାଲୁଥିଲାବେଳେ ପାହାଡ଼ ଉପରୁ ଏହି ଦୁଇ ଦଳ ମାଡ଼ିଆସି ଶତ୍ରୁକୁ ଆକ୍ରମଣ କରିବା ସ୍ଥିର ହେଲା ।

 

ବିଦ୍ରୋହୀମାନେ ସରକାରୀ ସୈନ୍ୟବାହିନୀର ଗତିବିଧି ପାହାଡ଼ ଉପରୁ ଲକ୍ଷ୍ୟ କରୁଥିଲେ । ସୈନ୍ୟଚାଳନାର କୌଶଳଟିକୁ ବିଦ୍ରୋହୀମାନେ ବୁଝିପାରି ନିଜବଳକୁ କଳିନେଲେ । ସେଠାରେ ରହିଲେ ବୃଥା କ୍ଷୟ ଛଡ଼ା ଅନ୍ୟ ଲାଭ ନାହିଁ ବୋଲି ଜାଣିପାରି ବିଦ୍ରୋହୀମାନେ ଲଢ଼େଇ ନ କରି ଘାଟି ଛାଡ଼ି ପଳେଇଲେ । ସେମାନଙ୍କର ବହୁତ ଜିନିଷପତ୍ର, ଗୋଳାବାରୁଦ ସରକାରୀ ସୈନ୍ୟବାହିନୀ ହାତରେ ପଡ଼ିଲା । କାପଟେନ୍ ଉଡ଼୍ ବ୍ରିଡ଼ଜ୍‌ଙ୍କ ଶବକୁ ସରକାରୀ ସୈନ୍ୟମାନେ ଉଦ୍ଧାର କରିନେଲେ ।

 

୧୮୫୮ ଫେବୃଆରୀ ଆରମ୍ଭ ବେଳକୁ ଅବସ୍ଥା

 

୧୮୫୮ ଆରମ୍ଭ ବେଳକୁ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳର ମୁଖିଆ ମୁଖିଆ ଲୋକେ ସୁରେନ୍ଦ୍ରଙ୍କୁ ପ୍ରକାଶ୍ୟଭାବରେ ସାହାଯ୍ୟ କରିବା ପାଇଁ ବାହାରିଲେଣି । ଭେରନର ଜମିଦାର ବିଦ୍ରୋହରେ ଯୋଗଦେଲେଣି । ଘେସର ଜମିଦାର ହାତୀ ସିଂହ ସୁରେନ୍ଦ୍ରଙ୍କୁ ସବୁପ୍ରକାର ସାହାଯ୍ୟ କରୁଥିଲେ । ନିଜେ ସେମାନେ ବିଦ୍ରୋହରେ ନେତୃତ୍ୱ ନେଇ ସରକାରୀ ପକ୍ଷକୁ ହଇରାଣ କରୁଥିଲେ । ଲକ୍ଷଣପୁରର ଜମିଦାର କମଳ ସିଂହ ଦାଓ ଓ ତାଙ୍କ ଭାଇ ଗଣେଶ୍ୱର ଦାଓ ସୁରେନ୍ଦ୍ରଙ୍କ ପ୍ରଧାନ ସହକର୍ମୀ ଭିତରେ ଗଣ୍ୟ ହେଉଥିଲେ । ଖରସାଲର ଜମିଦାର ପୂର୍ଣ୍ଣପ୍ରାଣରେ ବିଦ୍ରୋହରେ ଲିପ୍ତ ଥିଲେ । କୋଲାବିଚାର ଜମିଦାର ବିଦ୍ରୋହର ସ୍ତମ୍ଭ ସ୍ୱରୂପ ଥିଲେ । ଲୋଇସିଙ୍ଗା ଜମିଦାରୀର ଲୋକେ ଜମିଦାରଙ୍କ ନେତୃତ୍ୱରେ ସରକାରଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ଲଢ଼େଇରେ ଯୋଗ ଦେଉଥିଲେ । (ଏହି ଜମିଦାରବଂଶର ମଧୁ ଗଉନ୍ତିଆ ରେଢ଼ାଖୋଲ ଜଙ୍ଗଲ ଭିତରେ ଡାକ୍ତର ମୁରକୁ ହତ୍ୟା କରିଥିଲେ ବୋଲି ସରକାର ଅଭିଯୋଗ କରିଥିଲେ) ଗଡ଼ଜାତ ରାଜାମାନଙ୍କ ଭିତରେ ସମ୍ବଲପୁର ଜିଲାର ପୂର୍ବଦିଗରେ ଥିବା ଗଡ଼ଜାତର ରାଜାମାନେ ସୁରେନ୍ଦ୍ରଙ୍କୁ ପ୍ରାୟ ନିରପେକ୍ଷ ରହି ବିଶେଷ କିଛି ସାହାଯ୍ୟ କରିନାହାନ୍ତି । ପଶ୍ଚିମ ଅଞ୍ଚଳର ରାଜାମାନେ ଊଣା ଅଧିକେ ବିଦ୍ରୋହୀମାନଙ୍କୁ ସାହାଯ୍ୟ କରୁଥିଲେ । ସମ୍ବଲପୁର ରାୟପୁର ମଧ୍ୟସ୍ଥ ଗଡ଼ଜାତର ରାଜାମାନେ ବିଦ୍ରୋହୀମାନଙ୍କୁ ଆଶ୍ରୟ ଦେଉଥିଲେ ।

 

ବାର ପାହାଡ଼ ଆକ୍ରମଣ

 

ବିଦ୍ରୋହୀମାନଙ୍କୁ ଦମନ କରିବା ପାଇଁ ସରକାର ତରଫରୁ ଅତି ଜରୁରୀ ବ୍ୟବସ୍ଥା ଅବଲମ୍ବନ କରାଗଲା । ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବିଭିନ୍ନ ସେନାନାୟକମାନଙ୍କ ଅଧୀନରେ ଦଳେ ଦଳେ ସୈନ୍ୟ ପଠାଗଲା । ଯେ କୌଣସି ପ୍ରକାରେ ବିଦ୍ରୋହୀମାନଙ୍କୁ ପରାଜୟକରି ତାଙ୍କୁ ଧରିଆଣିବା ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ଘାଟି ପ୍ରସ୍ତୁତ କରି ସୈନ୍ୟ ମୁତୟନ କରାଗଲା-। ବିଦ୍ରୋହୀମାନେ ବଣ ଜଙ୍ଗଲରେ ଲୁଚିରହି ଯୁଦ୍ଧ କରୁଥିବାରୁ ସରକାରୀ ସୈନ୍ୟଦଳ ସେମାନଙ୍କ ବିରୁଦ୍ଧରେ ଅଭିଯାନ କଲାବେଳକୁ ବହୁତ ଅସୁବିଧା ଭୋଗ କରିବାକୁ ହେଉଥିଲା । ବିଦ୍ରୋହୀମାନେ ବଣ ଜଙ୍ଗଲରେ ଆଶ୍ରୟ ନେଇ ସରକାରୀ ପକ୍ଷ ଉପରେ ଆକ୍ରମଣ କରି ବହୁତ କ୍ଷତି କରୁଥିଲେ । ବାର ପାହାଡ଼ ଅଞ୍ଚଳ ବିଦ୍ରୋହୀମାନଙ୍କର ଏକ ପ୍ରଧାନ ଆଡ୍‌ଡା ଥିଲା ।

 

ଫେବୃଆରୀ ମାସରେ କାପଟେନ ଭାକୋଲ୍‍ସ ଦଳେ ମାନ୍ଦ୍ରାଜୀ ସୈନ୍ୟଙ୍କୁ ଧରି ବର ପାହାଡ଼ ଭିତରେ ପଶି ବିଦ୍ରୋହୀମାନଙ୍କ ଉପରେ ଆକ୍ରମଣ କଲେ । ବିଦ୍ରୋହୀମାନେ ଦଳ ଦଳ ହୋଇ ପାହାଡ଼ ଜଙ୍ଗଲ ଭିତରେ ଲୁଚିରହି ଅତର୍କିତଭାବରେ ଶତ୍ରୁ ଉପରକୁ ବନ୍ଧୁକ ଛାଡ଼ୁଥିଲେ । ସମତଳ ଭୂମିରୁ ଉଠାଣି ଉପରକୁ ଗଲାବେଳକୁ ସରକାରୀ ସୈନ୍ୟ ବିଦ୍ରୋହୀମାନଙ୍କ ତୀର ବନ୍ଧୁକରେ ତିନିଆଡ଼ୁ ଆକ୍ରମଣର ସମ୍ମୁଖୀନ ହେଉଥିଲେ । ବର ପାହାଡ଼ ଜଙ୍ଗଲ ଅଞ୍ଚଳରେ କିଛିଦିନ ଯୁଦ୍ଧ ଲାଗିବାପରେ ବିଦ୍ରୋହୀମାନେ ପଛକୁ ହଟି ଯାଇଥିଲେ । ସେମାନଙ୍କର ବହୁତ ଜିନିଷପତ୍ର, ଗୋଳାବାରୁଦ ସରକାରୀ ପକ୍ଷଙ୍କ ହାତରେ ପଡ଼ିଥିଲା ।

 

ବାମଣ୍ଡା ଅଭିଯାନ

 

ବାରପାହାଡ଼ରୁ ବିଦ୍ରୋହୀମାନଙ୍କୁ ତଡ଼ିବାପରେ ସରକାରୀ ପକ୍ଷଙ୍କ ମନରେ ଟିକିଏ ସାହସ ଜନ୍ମିଲା । ସେମାନେ ସମ୍ବଲପୁର ଜିଲା ଓ ଆଖପାଖର ଗଡ଼ଜାତ ଭିତରେ ବିଦ୍ରୋହୀମାନଙ୍କୁ ଶିକାର କରିବା ଉଦ୍ଦେଶ୍ୟରେ ଦୃଢ଼ ବ୍ୟବସ୍ଥା ଅବଲମ୍ବନ କଲେ । ବାମଣ୍ଡାର ଶ୍ରୀକୃଷ୍ଣ ବେହେରା ବିଦ୍ରୋହୀମାନଙ୍କର ନେତୃତ୍ୱ ନେଇଥିଲେ । ରାଜା ତାଙ୍କୁ ଭିତିରି ସାହାଯ୍ୟ କରୁଛନ୍ତି ବୋଲି ସରକାରୀ ହାକିମମାନେ ଖବରପାଇଲେ । କମିଶନର ସାହେବ ରାଜାଙ୍କ ପାଖକୁ ଚିଠି ଲେଖି ଜଣାଇଦେଲେ ଯେ ରାଜା ଯଦି ବିଦ୍ରୋହୀମାନଙ୍କୁ କୌଣସିପ୍ରକାର ସାହାଯ୍ୟ କରନ୍ତି ତାହାହେଲେ ଅନୁଗୋଳ ରାଜାଙ୍କ ଅବସ୍ଥା ଭଳି ତାଙ୍କ ଅବସ୍ଥା ହେବ । ପ୍ରାୟ ଆଠ ନଅବର୍ଷ ତଳେ ଅନୁଗୋଳ ରାଜା ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଠିଆହେବାରୁ ତାଙ୍କ ଗଡ଼କୁ ଧ୍ୱଂସ କରି ତାଙ୍କୁ ଧରିନେଇ ବନ୍ଦୀ କରି ତାଙ୍କ ରାଜ୍ୟକୁ ଖାସ କରି ଦେଇଥିଲେ । ଅତି ଅଳ୍ପ ସମୟ ପୂର୍ବରୁ ଏହି ଘଟଣା ଘଟିଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ଧମକବାଣୀ ଶୁଣିବା ପରେ ବାମଣ୍ଡା ରାଜା ଦବିଗଲେ । ସରକାରୀ ଉପାଧି ଓ ପ୍ରଶଂସାପତ୍ର ଲାଭର ଲୋଭ ମଧ୍ୟ ତାଙ୍କୁ ଦେଖା ହୋଇଥିଲା । ରାଜା କେବଳ ସୁବିଧା ଅପେକ୍ଷାରେ ବସିଥିଲେ । ଯଦି ସୁରେନ୍ଦ୍ରଙ୍କ ବଳ ବେଶୀ ହୋଇଯାଏ ତାହାହେଲେ ତାଙ୍କ ସହିତ ଯୋଗନଦେଲେ ଭବିଷ୍ୟତରେ ବିପଦ ଆଶଙ୍କା କରିବା ସ୍ୱାଭାବିକ । ଯଦି ସୁରେନ୍ଦ୍ର ହାରିଯାଆନ୍ତି ତାହାହେଲେ ତାଙ୍କର (ରାଜାଙ୍କର) ଅସ୍ତିତ୍ୱ ସରକାର ସ୍ୱୀକାର କରିବେ କି ନାହିଁ ତାହା ମଧ୍ୟ ତାଙ୍କୁ ଚିନ୍ତା କରିବାକୁ ପଡ଼ିଥିଲା ଦି ନାହାରେ ଗୋଡ଼ ଦେବା ଅବସ୍ଥା ତାଙ୍କର ଉପସ୍ଥିତ ହୋଇଥିଲା । ସେ ସରକାରଙ୍କୁ ପ୍ରତିଶ୍ରୁତି ଦେଲେ ଯେ ଶ୍ରୀକୃଷ୍ଣ ଓ ତାଙ୍କ ଦଳକୁ ସେ ଧରାଇ ଦେବେ । ଯଦି ସରକାରୀ ସୈନ୍ୟ ବାମଣ୍ଡାକୁ ଆସନ୍ତି ତାହାହେଲେ ରାଜା ପୁରାପୁରୀ ସରକାରଙ୍କୁ ସାହାଯ୍ୟ କରି ବିଦ୍ରୋହ ଦମନରେ ଅଂଶଗ୍ରହଣ କରିବେ ବୋଲି ସରକାରଙ୍କୁ ଜଣାଇଲେ । ମେଜର ଉଇଣ୍ଡହାମ୍ ସାହେବ ଦଳେ ସୈନ୍ୟ ଧରି ବାମଣ୍ଡା ଭିତରେ ପଶି ବିଦ୍ରୋହୀମାନଙ୍କ ଘାଟିସ୍ଥାନଗୁଡ଼ିକୁ ଆକ୍ରମଣ କଲେ । ବହୁତ ଗାଁଗଣ୍ଡା ପୋଡ଼ିଦେଇ ଧ୍ୱଂସ କରିଦେଲେ । ବିଦ୍ରୋହୀ ପ୍ରଜାମାନଙ୍କ ଭିତରୁ କେତେଜଣ ପ୍ରାଣ ହରାଇଲେ । କଲିକତା-ବମ୍ବେ ଡାକ ରାସ୍ତାକୁ ବିଦ୍ରୋହୀମାନେ ବନ୍ଦ କରିଦେବାରେ ଆଗରୁ ସମର୍ଥ ହୋଇଥିଲେ । ମେଜର ଉଇଣ୍ଡହାମ୍ ସେହି ରାସ୍ତାକୁ ନିରାପଦ କରିଦେଇ ଡାକ ଚାଲୁର ବ୍ୟବସ୍ଥା କଲେ । ବିଦ୍ରୋହୀମାନଙ୍କ ଭିତରୁ କେତେଜଣ ମୁଖିଆ ଲୋକ ଧରାପଡ଼ିଲେ । ପରେ ବିଚାର ହୋଇ ଏମାନଙ୍କ ଭିତରୁ କେତେଜଣ ଫାସୀ ଦଣ୍ଡ ପାଇଲେ ।

 

ବାମଣ୍ଡା ଅଭିଯାନରେ ରୂପ୍ ସିଂ ନାମକ ଜଣେ ସରକାରୀ ଡିପୋଟୀ ହାକିମ ସରକାରଙ୍କ ପକ୍ଷରୁ ଖୁବ୍ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ । ପରେ ତାଙ୍କୁ ସରକାର ଉପାଧି ଓ ଜାଗିର ଦେଇଥିଲେ । ବାମଣ୍ଡାର ରାଜା ମଧ୍ୟ ତାଙ୍କୁ କେତେଖଣ୍ଡ ଗ୍ରାମ ଜାଗିର ଦେଇଥିଲେ । ଏହି ଘଟଣାର କେତେବର୍ଷ (ତିନି ଚାରି ବର୍ଷ) ପରେ ସରକାର ଖବର ପାଇଲେ ଯେ ରୂପ ସିଂ ବାମଣ୍ଡା ରାଜାଙ୍କଠାରୁ ଘୁସ୍ ସ୍ୱରୂପ । ଏହି ଗ୍ରାମଗୁଡ଼ିକ ଜାଗିର ପାଇଛନ୍ତି । ବିଦ୍ରୋହୀମାନଙ୍କ ସହିତ ବାମଣ୍ଡା ରାଜା ବିଦ୍ରୋହରେ ଲିପ୍ତଥିବା କଥାକୁ ଘୋଡ଼ାଇ ରଖିବାପାଇଁ ରାଜା କୁଆଡ଼େ ଡେପୁଟି ସାହେବଙ୍କୁ ଏହି ଲାଞ୍ଚ ଦେଇଥିଲେ । ସରକାରଙ୍କ ତରଫରୁ ଏହାର ଅନୁସନ୍ଧାନ ମଧ୍ୟ ହୋଇଥିଲା । ରୂପ ସିଂହଠାରୁ କୈଫିୟତ ମଧ୍ୟ ତଲବ ହୋଇଥିଲା । ରାଜା ମଧ୍ୟ ଏହି ବିଷୟରେ ସରକାରଙ୍କୁ ଏହି ଜାଗିର ଦେବାର କାରଣ ଜଣାଇଥିଲେ ।

 

ବିଭିନ୍ନ ଅଞ୍ଚଳରେ ଅଭିଯାନ

 

କାପ୍ତନ ନୂକର ଓ ଲେଫ୍ଟନାଣ୍ଟ ରବିନସନଙ୍କ ମାନ୍ଦ୍ରାଜ ସୈନ୍ୟଦଳ ବହୁ ସ୍ଥାନରେ ବିଦ୍ରୋହୀମାନଙ୍କୁ ପରାସ୍ତ କରିଥିଲେ ।

 

ବର୍ତ୍ତମାନ ସରକାରଙ୍କ ଦମନ ବ୍ୟବସ୍ଥା ଟିକିଏ କଠୋର ଆକାର ଧାରଣ କଲା । ଗାଁ ଗଣ୍ଡା ଧ୍ୱଂସ କରିବାରେ ସୈନ୍ୟମାନେ ପଛେଇଲେ ନାହିଁ । ଯାହାକୁ ପାଇଲେ ତାକୁ ଗୁଳିକରି ମାରିଲେ । ଗାଁ ଗଣ୍ଡାରେ ରାସ୍ତା ଘାଟରେ ଯାହାକୁ ବିଦ୍ରୋହୀ ବୋଲି ସନ୍ଦେହ କଲେ ତାକୁ ମାଇଲେ-। କେତେକ ସ୍ଥାନରେ ରାସ୍ତାକଡ଼ ଗଛ ଉପରେ ଶବକୁ ଟାଙ୍ଗିଦେଇ ମଧ୍ୟ ଆସିଥିଲେ ।

 

ଏ ଭିତରେ ଜିଲ୍ଲାର ସେନାଧ୍ୟକ୍ଷ ମେଜର ବେଟ୍‍ସଙ୍କ ମୃତ୍ୟୁ ହୋଇଯିବାରୁ ସରକାରୀ କଳରେ ଟିକିଏ ଅଦଳ ବଦଳ ହେଲା । ବେଟ୍‍ସଙ୍କ ସ୍ଥାନରେ ମେଜର ଉଇଣ୍ଡହାମ୍ ନିଯୁକ୍ତ ହେଲେ ଏବଂ ଉଇଣ୍ଡହାମ୍‍ଙ୍କ ସ୍ଥାନରେ ନଂ ୪୦ ମାନ୍ଦ୍ରାଜୀ ସୈନ୍ୟ ଦଳର ଅଧ୍ୟକ୍ଷ ମେଜର ଟାଇଲର ନିଯୁକ୍ତ ହେଲେ ।

 

ସମ୍ବଲପୁର, ଘୁମୁସର, ବୌଦ ଓ ଅନ୍ୟାନ୍ୟ ନିକଟସ୍ଥ ଗଡ଼ଜାତମାନଙ୍କରୁ ପାଇକ ସଂଗ୍ରହ କରି ସମ୍ବଲପୁରଠାରେ ଏକତ୍ର କରାଗଲା । ସେମାନଙ୍କୁ ସରକାରୀ ଖଜଣାଖାନା ଜଗିବା, ସାଧାରଣ ପୋଲିସ କାମ କରିବା, ରାସ୍ତା ଜଗିବା ପ୍ରଭୃତି କାମରେ ଲଗେଇ ଦିଆଗଲା । ଯେଉଁ ସୈନିକମାନେ ଏହି ସବୁ କାମରେ ଲାଗିଯାଇଥିବା ହେତୁ ଯୁଦ୍ଧପାଇଁ ବାହାରିପାରୁ ନ ଥିଲେ ସେମାନେ ଏବେ ପାଇକମାନେ ଆସିଯିବା ପରେ ଅଭିଯାନ କାର୍ଯ୍ୟ ନିମନ୍ତେ ମୁକ୍ତ ହେଲେ ।

 

ଡାଏର୍‌ସାହେବ ଦଳେ ପାଇକ ସୈନ୍ୟଙ୍କୁ ଧରି ବିଦ୍ରୋହୀମାନଙ୍କ ଜାଗା ଭିତରେ ପଶିବାକୁ ଆରମ୍ଭ କଲେ । ସେ କେତେକ ଗାଁ ପୋଡ଼ି ଧ୍ୱଂସ କରିଦେଇ କେତେକ ବିଦ୍ରୋହୀଙ୍କୁ ଧରିଲେ ।

 

ଦେଓଗାଁ ନିକଟରେ ନଦୀ ରାସ୍ତାଟିକୁ ବିଦ୍ରୋହୀମାନେ ଦଖଲ କରିଯାଇଥିଲେ । ଡାକ ଓ ଲୋକ ଯିବା ଆସିବା ଏ ବାଟରେ ପ୍ରାୟ ବନ୍ଦ ହୋଇଯାଇଥିଲା । ଦଳେ ସୈନ୍ୟ ଦେଓଗାଁ ଆକ୍ରମଣ କରି ବିଦ୍ରୋହୀମାନଙ୍କୁ ତଡ଼ି ରାସ୍ତାଟିକୁ ନିରାପଦ କରିଦେଲେ ।

 

ରାମଗଡ଼ ବାଟାଲିଆନ୍‍ର ଜମାଦାର ହରନାଥ ସିଂ ଏହି ବିଦ୍ରୋହ ଦମନରେ ବହୁତ ଉତ୍ସାହ ଦେଖାଇଥିଲେ । ଦେଶୀ ପାଇକ ଓ ସୈନିକଙ୍କୁ ପୂରାପୂରି କାମରେ ଲଗେଇ ନିଜେ ଖୁବ୍ ଉତ୍ସାହରେ କାମ କରିଥିଲେ । ସରକାର ସେଥିରେ ସନ୍ତୁଷ୍ଟ ହୋଇ ତାଙ୍କୁ ପୁରସ୍କାର ମଧ୍ୟ ଦେଇଥିଲେ ।

 

ଫେବୃଆରୀ (୧୮୫୮) ମାସ ଶେଷଆଡ଼କୁ ସମ୍ବଲପୁରର ଅବସ୍ଥା ଟିକିଏ ଶାନ୍ତି ପଡ଼ିଥିବାର ଅନୁମାନ ହୁଏ । ସରକାରୀ ସୈନ୍ୟମାନେ ବିଭିନ୍ନ ସ୍ଥାନରେ ବିଦ୍ରୋହୀମାନଙ୍କୁ ଆକ୍ରମଣ କରି ଜବତ କରିଥିବା ଖବର ସରକାରୀ ହାକିମମାନଙ୍କ ପାଖରେ ପହଞ୍ଚୁଥିଲା । ଓଡ଼ିଶା କମିଶନର ମିଃ କକ୍‍ବର୍ଣ୍ଣ ନିଜେ ସମ୍ବଲପୁରରେ ରହି ସବୁ ପ୍ରକାର ବ୍ୟବସ୍ଥା କରୁଥିଲେ । ଗଡ଼ଜାତ ଅଞ୍ଚଳରୁ ପାଇକ ସଂଗ୍ରହ କରିବା, ରାଜାମାନଙ୍କୁ ତାକିତ କରିବା, ଉପର ହାକିମମାନଙ୍କ ସହିତ ଯଥାସମୟରେ ପତ୍ରବିନିମୟ କରିବା ପ୍ରଭୃତି ବିଷୟରେ କମିଶନର ବଡ଼ ତତ୍ପର ଥିବାରୁ ବିଦ୍ରୋହ ଦମନ କାର୍ଯ୍ୟ ଶୃଙ୍ଖଳିତ ଭାବରେ ଚାଲିଲା ।

 

ବିଦ୍ରୋହର ମୁଖିଆମାନଙ୍କ ଭିତରୁ ଅନେକ ୧୮୫୮ଫେବୃଆରୀ ଶେଷ ସୁଦ୍ଧା ସମ୍ବଲପୁର ଜିଲ୍ଲା ଓ ନିକଟ ଗଡ଼ଜାତ ଅଞ୍ଚଳରେ ନିଜର ସଂଗଠନକୁ ଦୃଢ଼ କରିବାରେ ଲାଗିଲେ ।

☆☆☆

 

ଅଷ୍ଟମ ଅଧ୍ୟାୟ

କମିଶନର-କକ୍‍ବର୍ଣ୍ଣଙ୍କ ରାଜ୍ୟରକ୍ଷା ବ୍ୟବସ୍ଥା ଓ ସିପାହୀଙ୍କ ସ୍ୱାସ୍ଥ୍ୟ

 

କମିଶନର କକ୍‍ବର୍ଣ୍ଣ ସାହେବ ସମ୍ବଲପୁରରେ ରହି ବିଦ୍ରୋହ ଦମନର ଯେଉଁ ବ୍ୟବସ୍ଥା ଅବଲମ୍ବନ କରିଥିଲେ, ସେଥିରେ ତାଙ୍କର କର୍ମକୁଶଳତାର ପରିଚୟହିଁ ମିଳେ । ରାୟପୁର, କଟକ ଓ ବ୍ରହ୍ମପୁରଆଡ଼ୁ ଯେଉଁ ସୈନ୍ୟ ସମ୍ବଲପୁରକୁ ଆସୁଥିଲେ ସେମାନେ ବଣ ଜଙ୍ଗଲ ବାଟରେ ସହଜରେ ଆସିପାରୁନଥିଲେ । ପନ୍ଦର କୋଡ଼ିଏ ଦିନ ଲେଖାଏଁ ବାଟରେ ରହିବାକୁ ପଡ଼ୁଥିଲା । ବାଟରେ ଶହ ଶହ ଲୋକ ରହିବା ନିମନ୍ତେ ଚଟିଘର ଯଥେଷ୍ଟ ନଥିବାରୁ ସୈନିକମାନେ ଖୋଲା ଜାଗାରେ ଆଶ୍ରୟ ନେଉଥିଲେ । ଏହାଦ୍ୱାରା ବହୁ ଲୋକ ବେମାର ପଡ଼ିଯାଉଥିଲେ । ଏତେକ ବଣ ଜଙ୍ଗଲ ପାହାଡ଼ ଜାଗା; ସେଥିରେ ପୁଣି ଖୋଲା ଜାଗାରେ ଶୋଇବାକୁ ହେଉଥିବାରୁ ସୈନିକମାନଙ୍କର ସ୍ୱାସ୍ଥ୍ୟ ଏକାବେଳକେ ନଷ୍ଟ ହୋଇଯାଉଥିଲା । ଚିକିତ୍ସାର ବ୍ୟବସ୍ଥା ମଧ୍ୟ ସନ୍ତୋଷଜନକ ନ ଥିଲା କହିଲେ ଚଳେ । ବଟୁଆଧାରୀ କବିରାଜମାନଙ୍କ ସାହାଯ୍ୟ ସେତେବେଳେ ବେଶୀ ଦରକାର ପଡ଼ୁଥିଲା । କାରଣ ଡାକ୍ତରୀ ବିଦ୍ୟାର ପ୍ରସାର ଓଡ଼ିଶାରେ ଆଦୌ ନ ଥିଲା କହିଲେ ଚଳେ । କଲିକତାରେ କମ୍ପାଉଣ୍ଡରୀ ପଢ଼ି ଡାକ୍ତରୀ ଉପାଧି ପାଇ କେତେକ ଲୋକ ସରକାରଙ୍କ ଅଧିନରେ କାମ କରୁଥିଲେ । ଏମାନଙ୍କ ମଧ୍ୟରୁ କେତେଜଣଙ୍କୁ ସରକାରୀ ସୈନ୍ୟ ବିଭାଗରେ ଚିକିତ୍ସକ ରୂପେ ନିଯୁକ୍ତ କରାଯାଇଥିଲା । ଅବଶ୍ୟ କେତେଜଣ ଗୋରା ଡାକ୍ତର ଥିଲେ; କିନ୍ତୁ ସେମାନଙ୍କ ସଂଖ୍ୟା ଖୁବ୍ କମ୍ ଥିଲା । ଗୋରା ହାକିମମାନେ କଳା ଡାକ୍ତରମାନଙ୍କଠାରୁ ଔଷଧ ଖାଇବାକୁ ସେତେ ପସନ୍ଦ କରୁ ନ ଥିଲେ । କିନ୍ତୁ କଳା ଡାକ୍ତର ଯୋଦ୍ଧାଙ୍କ ବିଶେଷ ଉପକାରରେ ଆସୁଥିଲେ । ବାଟରେ ଡାକ୍ତରଙ୍କୁ ବେମାର ହେଲେ ଆଉ ଅନ୍ୟ କିଛି ଆଶ୍ରା ନ ଥିଲା-

 

ରାସ୍ତା ସଫା ବ୍ୟବସ୍ଥା

 

ଏହିସବୁ ଅବସ୍ଥା ଦୂର କରିବା ପାଇଁ କମିଶନର ସାହେବ ସୈନ୍ୟ ଗମନାଗମନର ଯେପରି ଅସୁବିଧା ନ ହୁଏ, ତାର ବ୍ୟବସ୍ଥା କରିଥିଲେ । ଯେଉଁ ଯେଉଁ ଗଡ଼ଜାତ ଭିତରେ ପଶି ସୈନ୍ୟବାହିନୀ ଯାଉଥିଲେ, ସେହିସବୁ ଗଡ଼ଜାତର ରାଜାମାନଙ୍କ ଉପରେ ପରୁଆନା ଜାରିହେଲା ଯେ ସେମାନେ ସୈନ୍ୟ ଯାଇପାରିଲା ଭଳି ରାସ୍ତାକୁ ଚଉଡ଼ା କରି, ଗଛପତ୍ର ହାଣି, ସଫାକରି ରଖିବେ, ୫ କି ୬ ମାଇଲ ଦୂରରେ ଚଟିଘର ତିଆରି କରିବେ; ଏଥିରେ ଯେପରି ଶହ ଶହ ସୈନିକ ରହିପାରିବେ, ସେଥିପ୍ରତି ଦୃଷ୍ଟି ଦେବେ । ପାଟଣା, ବୌଦ, ସୋନପୁର, ବାମଣ୍ଡା, ରେଢ଼ାଖୋଲ ପ୍ରଭୃତି ରାଜାମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ୧୮୫୮ ସାଲର ପ୍ରଥମ ପାଦରେ ସବୁଆଡ଼ର ବାଟ ପରିଷ୍କାର ହୋଇଯାଇଥିଲା । ବିଶେଷତଃ ଘୁମୁସରର ସିବନ୍ଦୀମାନେ ଏ ଦିଗରେ ବହୁତ ସାହାଯ୍ୟ କରିଥିଲେ ।

 

ଘୁମୁସର ସିବନ୍ଦୀ ଦଳ

 

ଘୁମୁସର ସିବନ୍ଦୀ ଦଳ ବଣ ଜଙ୍ଗଲର ଲୋକଙ୍କୁ ନେଇ ଗଠିତ ହୋଇଥିବାରୁ ଗଡ଼ଜାତ କି ସମ୍ବଲପୁରରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେଉନଥିଲା । ସେମାନେ ମଧ୍ୟ ପାହାଡ଼, ଜଙ୍ଗଲ ଭିତରେ ସ୍ୱଚ୍ଛନ୍ଦରେ ବୁଲି ଲଢ଼େଇ କରିପାରୁଥିଲେ । ଗୋରା ଓ ଅନ୍ୟ ପ୍ରଦେଶର ସିପାହୀମାନଙ୍କ ତୁଳନାରେ ଏମାନଙ୍କର ଦରମା ମଧ୍ୟ ଖୁବ୍ କମ୍ ଥିଲା ।

 

ଘୁମୁସର ସିବନ୍ଦୀ ଦଳରେ ପ୍ରଥମେ ୫୮୧ (ପାଞ୍ଚ ଶହ ଏକାଅଶି ଜଣ) ସିବନ୍ଦୀ ଥିଲେ-

 

ସୁବାଦାର - ଜ ୩୦ ଦରମା ମାସକୁ

ଟ ୩୦୧

ଜମାଦାର - ଜ ୧୫

ଟ ୧୫୧

ହାବିଲଦାର – ୫୦

ଟ ୧୦୧

ନାୟକ - ଜ ୪୦

ଟ ୮୧

ବ୍ୟୁଗଲ୍ ବାଲା(ତୁରୀବାଲା) ଜ ୧ଣ

ଟ ୬୧

ପାଇକ - ଜ ୪୪୦

ଟ ୫୪

 

ଓଡ଼ିଶା ପାଇକ କମ୍ପାନୀର ପାଇକମାନଙ୍କର ଦରମା ମଧ୍ୟ ଏହି ହାରରେ ଦିଆଯାଇଥିବାର ଜଣାଯାଏ ।

 

ଘୁମୁସରର ସରକାରୀ ତହସିଲଦାର ଦୀନବନ୍ଧୁ ମହାନ୍ତି (ପଟ୍ଟନାୟକ) ଏହି ସିବନ୍ଦୀମାନଙ୍କ ଚର୍ଚ୍ଚା ଓ ସେବାରେ ନିଯୁକ୍ତ ହୋଇଥିଲେ । ଘୁମୁସର-ବୌଦ ସୀମା ପାରିହେବା ପର୍ଯ୍ୟନ୍ତ ଦୀନବନ୍ଧୁ ମହାନ୍ତି ସିବନ୍ଦୀମାନଙ୍କୁ ଭଲଭାବରେ ଚର୍ଚ୍ଚାକରି ଛାଡ଼ୁଥିଲେ । ଏହି ତହସିଲଦାର ଘୁମୁସରରେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିବାରୁ ଓ ସିପାହୀ ବିଦ୍ରୋହ ଦମନରେ ବେଶି ସାହାଯ୍ୟ କରିଥିବାରୁ ସରକାର ତାଙ୍କୁ ଡେପୁଟି କଲେକ୍ଟକର କରିଦେଇଥିଲେ ଏବଂ ଖଣ୍ଡିଏ ଗାଁ ନିସ୍କର ଜାଗିରି ସ୍ୱରୂପ ଦେଇଥିଲେ ।

 

ଘୁମୁସର ସିବନ୍ଦୀ ଦଳ, ଗଡ଼ଜାତ ରାଜାମାନଙ୍କ ପାଇକ ଦଳ, ଓଡ଼ିଶା ପାଇକ କମ୍ପାନୀ, ରାମଗଡ଼ ବାଟାଲିଆନର ଦଳ, ମାନ୍ଦ୍ରାଜ ଦେଶୀ ପଦାତିକ ଦଳ, ନାଗପୁର ଘୋଡ଼ାସବାର ଦଳ— ଏମାନେ ସମ୍ବଲପୁରରେ ରୁଣ୍ଡ ହୋଇ ଜିଲ୍ଳାର ବିଭିନ୍ନ ଦିଗକୁ ଖେଦିଗଲେ ।

 

ବିଭିନ୍ନ ସ୍ଥାନରେ ସାମରିକ ଘାଟି

 

ଜିଲ୍ଲାର ବିଭିନ୍ନ ସ୍ଥାନରେ କମିଶନର ସାହେବ ସୈନ୍ୟ ଦଳକୁ ରଖାଇଲେ । ଉପଦ୍ରୁତ ଅଞ୍ଚଳର ତିନିଟା ଜାଗାରେ ପ୍ରଧାନ ଘାଟି କରାଗଲା । ଏହାଛଡ଼ା ଆଉ ୧୧ଟି ସ୍ଥାନରେ ୧୧ଟି ଫାଣ୍ଡି ସ୍ଥାପିତ ହେଲା । ପ୍ରତ୍ୟେକ ଫାଣ୍ଡିରେ ରାମଗଡ଼ ବାଟାଲିଆନର ୨୫ଜଣ ବଛା ବଛା ସିପାହୀ ରହିଲେ । ରାୟପୁର-ସମ୍ବଲପୁର, ନାଗପୁର-ସମ୍ବଲପୁର, କଲିକତା-ସମ୍ବଲପୁର, କଟକ-ସମ୍ବଲପୁର–ଏହି ଚାରି ପ୍ରଧାନ ରାସ୍ତା ଯେପରି ବିଦ୍ରୋହୀମାନଙ୍କ ଉପଦ୍ରବରୁ ମୁକ୍ତ ରହେ, ସେ ଦିଗରେ ମଧ୍ୟ କମିଶନର ବ୍ୟବସ୍ଥା କରିଥିଲେ ।

 

ମେଜର ଉଇଣ୍ଡହାମ୍ ମୃତ ମେଜର ବେଟ୍‍ସଙ୍କ ସ୍ଥାନ ପୂରଣ କରିବା ପରେ ପରେ ବିଦ୍ରୋହୀମାନଙ୍କର ପ୍ରଧାନ ଘାଟିଗୁଡ଼ିକ ଉପରେ ସେ ଆକ୍ରମଣ କରିଥିଲେ ଏବଂ ରାସ୍ତାଗୁଡ଼ିକୁ ଖୋଲାରଖିବା ପାଇଁ ସୈନ୍ୟ ମୁତୟନ କରିଥିଲେ ।

 

ବିଦ୍ରୋହୀ ଜମିଦାରଙ୍କ ଜମିଦାରୀ ବାଜ୍ୟାପ୍ତି

 

କକ୍‌ବର୍ଣ୍ଣ ସାହେବ ମାର୍ଚ୍ଚ ମାସ ବେଳକୁ ସମ୍ବଲପୁର ଅବସ୍ତାକୁ ପ୍ରାୟ ନିଜ ଆୟତ୍ତକୁ ନେଇ ଆସିଥିଲେ । ଯେଉଁ ଜମିଦାରମାନେ ସୁରେନ୍ଦ୍ରଙ୍କୁ ସାହାଯ୍ୟ କରୁଥିଲେ, ସେମାନଙ୍କ ଜମିଦାରୀ ବାଜ୍ୟାପ୍ତ କରି ଖାସ କରିଦେବା ଆଦେଶ ଘୋଷଣା କଲେ । ଏଥିରେ ଜମିଦାର ଓ ଗୌନ୍ତିଆମାନଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା । ଗଡ଼ଜାତର ରାଜାମାନେ ମଧ୍ୟ ଭବିଷ୍ୟତରେ ପ୍ରମାଦ ଥିବାର ଆଶଙ୍କା କଲେ ।

 

ଏହିସବୁ ଜମିଦାରୀ ଓ ଗୌନ୍ତିଆଇ ଉପରେ ସରକାରଙ୍କର କୋପଦୃଷ୍ଟି ପଡ଼ିଲା । ଭେଡ଼େନ୍, ଲକ୍ଷ୍ମଣପୁର, ଘେସ, ଖରସାଲ, କୋଡ଼ବଗା, ଖିଣ୍ଡା, କୋଲାବିରା, ଲୋଇସିଙ୍ଗା ପ୍ରଭୃତି ଜମିଦାରୀ ବାଜ୍ୟାପ୍ତି ହୋଇଥିବାର ଘୋଷଣା ହେଲା ।

 

କର୍ଣ୍ଣେଲ ଫଷ୍ଟେର୍‌ଙ୍କ କାର୍ଯ୍ୟଭାର ଗ୍ରହଣ

 

ଏହାପରେ ସମ୍ବଲପୁରର ଅବସ୍ଥା ଉପରକୁ ଟିକିଏ ଥଣ୍ଡା ପଡ଼ିଲାପରି ଦେଖାଗଲା । ସରକାରୀ ପରିଚାଳନାରେ ମଧ୍ୟ ଟିକିଏ ପରିବର୍ତ୍ତନ ଆସିଲା । ମେଜର ବେଟ୍‍ସଙ୍କ ମୃତ୍ୟୁ ପରେ ମେଜର ଉଇଣ୍ଡହାମ୍ ଅସ୍ଥାୟୀ ଭାବରେ ଜିଲାର ପ୍ରଧାନ ସେନାଧ୍ୟକ୍ଷ ହୋଇଥିଲେ । କର୍ଣ୍ଣେଲ ଫଷ୍ଟେର ସ୍ଥାୟୀଭାବରେ ଜିଲ୍ଲା ସେନାଧ୍ୟକ୍ଷ ନିଯୁକ୍ତ ହେଲେ । ତାଙ୍କୁ ଅଧିକ କ୍ଷମତା ଦିଆଗଲା । ଜିଲ୍ଲାର ସାଧାରଣ ଶାସନଭାର ମଧ୍ୟ ତାଙ୍କ ହାତରେ ରହିଲା । ଫଷ୍ଟେର ମାର୍ଚ୍ଚ ମାସ ୨୯ତାରିଖରେ ସମ୍ବଲପୁରରେ କାର୍ଯ୍ୟଭାର ଗ୍ରହଣ କରିବାକୁ ପହଞ୍ଚିଲା । ସେ ଆସିଯିବା ପରେ କମିଶନର ସାହେବ ଟିକିଏ ନିଶ୍ଚିନ୍ତ ହେଲେ ଏବଂ ସମ୍ବଲପୁରରେ ତାଙ୍କର ଆଉ ଦରକାର ନ ଥିବା ଅନୁଭବ କରି କଟକକୁ ଫେରିଗଲେ । ଫଷ୍ଟେର କମିଶନର-କ୍ଷମତା ପାଇଲେ ।

 

କର୍ଣ୍ଣେଲ ଫଷ୍ଟେରଙ୍କ ତତ୍ପରତା

 

ଫଷ୍ଟେର ଓଡ଼ିଶା ବାହାରେ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟକରି ବିଶେଷ ଦକ୍ଷତା ଅର୍ଜନ କରିଥିଲେ । ପୁଣି ଏ ଦେଶର ଲୋକଙ୍କର ମତିଗତି ଭଲଭାବରେ ବୁଝି ନେଇଥିଲେ । କ’ଣ କଲେ ଲୋକେ ସରକାରଙ୍କୁ ମାନିବେ, ସେକଥା ତାଙ୍କୁ ଭଲ ଜଣାଥିଲା ।

 

ଦରବାର

 

ସମ୍ବଲପୁର ଅଞ୍ଚଳର ଆଖପାଖରେ ଥିବା ଗଡ଼ଜାତ ରାଜାମାନେ ଏହି ବିଦ୍ରୋହରେ, ସପକ୍ଷରେ ହେଉ କି ବିପକ୍ଷରେ ହେଉ, ବିଶେଷ ଭାବରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ନିଜ ଆୟତ୍ତରେ ଆଣିବା ପାଇଁ ସେ ପ୍ରଥମେ ଉଦ୍ୟମ କଲେ । ସେ ସମ୍ବଲପୁରରେ ଦରବାର କରିବାରୁ ସେଥିରେ ରାଜାମାନେ ଯୋଗଦେଇ ସରକାରଙ୍କ ପ୍ରତି ଅନୁରକ୍ତି ଜ୍ଞାପନ କଲେ । ଯେଉଁମାନେ ଆସିପାରିଲେ ନାହିଁ, ସେମାନଙ୍କୁ ତାକିତ୍ କରିଦିଆଗଲା । ଏହି ଦରବାର ପରେ ରାଜାମାନେ ସରକାରଙ୍କୁ ବିଦ୍ରୋହ ଦମନରେ ବିଶେଷ ଭାବରେ ସାହାଯ୍ୟ କରିବେ ବୋଲି ଅନୁମାନ କରାଗଲା-। କେତେକ ରାଜା ନିଜର ପାଇକଦଳ ମଧ୍ୟ ସମ୍ବଲପୁର କମିଶନରଙ୍କ ଅଧୀନରେ କାର୍ଯ୍ୟକରିବା ପାଇଁ ପଠାଇଲେ । ଗଡ଼ଜାତ ରାଜାମାନଙ୍କ ଆନୁଗତ୍ୟର ପୁଣି ଅଧିକା କିଛି ନୂତନ ନମୁନା ମିଳିଲା-

 

ଭଜଲ ସାଏ ଧରା ହେଲେ

 

ସୁରେନ୍ଦ୍ରଙ୍କ ଭାଇ ଭଜଲ ସାଏ ପାଟଣା ଜମିଦାରୀ ଭିତରେ ରହି ବିଦ୍ରୋହୀଦଳ ସଂଗଠନ କରୁଥିଲେ । ପାଟଣାରାଜା କୁଆଡ଼େ ତାଙ୍କୁ ସାହାଯ୍ୟ କରୁଥିଲେ । କମିଶନର କର୍ଣ୍ଣେଲ୍ ଫଷ୍ଟେର ଭଜଲ୍ ସାଏଙ୍କୁ ଆଶ୍ରା ଓ ସାହାଯ୍ୟ ଦେଉଥିବା ଅଭିଯୋଗରେ ପାଟଣା ରାଜାଙ୍କୁ ଶହେ ଟଙ୍କା ଜୋରିମାନା ଧାର୍ଯ୍ୟ କଲେ । ପାଟଣାରାଜା ଭୟରେ ଭଜଲ୍ ସାଏଙ୍କୁ ଧରିଆଣି କମିଶନରଙ୍କ ହାତରେ ସମର୍ପଣ କରିଦେଲେ ।

 

ପାଟଣାରାଜାଙ୍କ ଏହି ରାଜଭକ୍ତି ହାକିମଙ୍କ ମନରେ ବହୁତ ଆନନ୍ଦ ଜାତ କରିଥିଲା । ପୂର୍ବେ ଧାର୍ଯ୍ୟ କରିଥିବା ଜୋରିମାନା ମାଫ କରିଦେବାକୁ କମିଶନର ଫଷ୍ଟେର ସରକାରଙ୍କଠାରୁ ଲେଖିଲେ । ଲାଟସାହେବ ଖୁସିହୋଇ ଜୋରିମାନା ମାଫ କରିଦେଲେ ଏବଂ ରାଜାଙ୍କ ପ୍ରତି ସରକାରଙ୍କର ସୌହାର୍ଦ୍ଦ୍ୟ ଓ କୃତଜ୍ଞତା ଜଣାଇଲେ ।

 

ପାଟଣା, କେଉଁଝର, ରେଢ଼ାଖୋଲ, ସୋନପୁରଙ୍କ ଅନୁଗତ୍ୟ ଆଚରଣ ଦେଖି ଅନ୍ୟ ରାଜାମାନେ ଡରିଗଲେ । ପୂର୍ବରୁ ଅନୁଗୁଳ ରାଜା ତ ରାଜ୍ୟ ହରେଇଥିଲେ, ବାମଣ୍ଡା ତ ସାବଧାନୀ ପାଇଥିଲେ, ପାଟଣାରାଜାଙ୍କ ଉପରେ ଜୋରିମାନାଧାର୍ଯ୍ୟ ଗଡ଼ଜାତ ରାଜାମାନଙ୍କୁ ବିଚଳିତ କରିଦେଲା ।

 

ବିଦ୍ରୋହୀଙ୍କ ଲୁଟପାଟ

 

ଉପରକୁ ବିଦ୍ରୋହବହ୍ନି ଶାନ୍ତ ପଡ଼ିଥିଲା ପରି ଜଣାଯାଇଥିଲେ ମଧ୍ୟ ତାହା ଏକାବେଳକେ ନିର୍ବାପିତ ହୋଇନଥିଲା । ସୁରେନ୍ଦ୍ର ଓ ତାଙ୍କ ସାନ ଭାଇ ଉଦନ୍ତଙ୍କୁ ଧରିବା ସହଜ ହୋଇନଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରେନ୍ଦ୍ରଙ୍କ ଦଳକୁ ଲୋକେ ଲୁଟପାଟ ଆରମ୍ଭ କରି ଗାଁଗଣ୍ଡା ପୋଡ଼ି ଦେଇଥିଲେ ।

 

ସରକାରୀ ସୈନ୍ୟ ଭିତରେ ବିଦ୍ରୋହ ?

 

କର୍ଣ୍ଣେଲ ଫଷ୍ଟେର କାର୍ଯ୍ୟଭାର ଗ୍ରହଣ କରିବା ପରେ ଦରବାର ଡକାଇ ଯେଉଁ ସବୁ କାର୍ଯ୍ୟାନୁଷ୍ଠାନ କଲେ ତାର ଫଳ ସ୍ୱରୂପ ବିଦ୍ରୋହ ଦମନର ବିଶିଷ୍ଟ ଭାଗ ସମ୍ପାଦିତ ହୋଇ ସାରିଲାଣି ବୋଲି ସେ ଭାବିଲେ । ଏହି ହେତୁ ସମ୍ବଲପୁରରେ ଯେତେ ସଂଖ୍ୟାରେ ସିପାହୀ ଥିଲେ, ସେତେ ଆଉ ରହିବା ଦରକାର ନାହିଁ ବୋଲି ମତ ବ୍ୟକ୍ତ କଲେ । ସେ ଆସିଲାବେଳେ ସେଖାବତ ବାଟାଲିଆନକୁ ସାଙ୍ଗରେ ଆଣିଥିଲେ । ରାମଗଡ଼ ବାଟାଲିଆନ ଦଳ ଆଗରୁ ସମ୍ବଲପୁରରେ ଥିଲେ-। ଘୁମୁସର ସିବନ୍ଦୀ ଦଳ ମଧ୍ୟ ଭଲ କାମ କରୁଥିଲେ । ଗଡ଼ଜାତ ରାଜାମାନେ ମଧ୍ୟ ନିଜର ଦଳ ପଠାଇଥିଲେ । ସେଖାବତି ଦଳ, ରାମଗଡ଼ ଦଳ, ସିବନ୍ଦୀଦଳ ଓ ଗଡ଼ଜାତ ପାଇକଦଳ ଛଡ଼ା ଅନ୍ୟ ସମସ୍ତଙ୍କୁ ସମ୍ବଲପୁରରୁ ପଠାଇ ଦେବାପାଇଁ ସେ ବ୍ୟବସ୍ଥା କଲେ । ଓଡ଼ିଶା ପାଇକ କମ୍ପାନୀ, ମାନ୍ଦ୍ରାଜ୍ ପଦାତିକ ଦଳ ଓ ରାୟପୁର ଦଳ ଭିତରେ ଏଥିଯୋଗୁଁ ଅସନ୍ତୋଷ ଦେଖାଦେଇଥିଲା । ଅବସ୍ଥା ଏପରି ହୋଇଥିଲା ଯେ ଟିକିଏ ଅସାବଧାନତା ଘଟିଥିଲେ ଯେ କୌଣସି ମୁହୂର୍ତ୍ତରେ ଏମାନେ ମଧ୍ୟ ବିଦ୍ରୋହ କରିଥାଆନ୍ତେ । ବିଶେଷତଃ ଯେଉଁମାନେ ବହୁତଦିନ ଧରି ବଣ ଜଙ୍ଗଲରେ ବୁଲି ବେମାର ହୋଇଗଲେ, ସେମାନେ ଏଥିରେ ବିଶେଷ ଅସନ୍ତୁଷ୍ଟ ହେଲେ । କିନ୍ତୁ ପରେ ଏମାନଙ୍କ ସଂଖ୍ୟା ହଠାତ୍ ହ୍ରାସ ନ କରି କ୍ରମେ ହ୍ରାସ କରିବା ବ୍ୟବସ୍ଥା ଅବଲମ୍ବନ କରିବାରୁ ଏହି ଅସନ୍ତୋଷ ମନୋଭାବ ଦୂର ହୋଇଥିଲା ।

 

ବିଦ୍ରୋହର ତୀବ୍ରତା ହ୍ରାସ

ସୁରେନ୍ଦ୍ରଙ୍କୁ ହାତ କରିବା ଉପାୟ

 

ସୁରେନ୍ଦ୍ର ସାଏଙ୍କ ଦଳ ବିରୁଦ୍ଧରେ ସରକାରୀ ଅଭିଯାନର ତୀବ୍ରତା ବୃଦ୍ଧି ପାଇବାରୁ ସୁରେନ୍ଦ୍ର ସାଏଙ୍କୁ ସମ୍ବଲପୁର ଜିଲ୍ଲା ଓ ଗଡ଼ଜାତର ବଣଜଙ୍ଗଲ ଭିତରେ ବୁଲି ଆତ୍ମରକ୍ଷା କରିବାକୁ ପଡ଼ୁଥିଲା । ୧୮୬୧ ବେଳକୁ ସୁରେନ୍ଦ୍ରଙ୍କର ଶକ୍ତି ବହୁ ପରିମାଣରେ କମିଯାଇଥିଲା । ତାଙ୍କର ବ୍ୟକ୍ତିଗତ ପ୍ରଭାବ ଯେ ବୃଦ୍ଧି ପାଇଥିଲା ଏଥିରେ ସନ୍ଦେହ ନାହିଁ । କିନ୍ତୁ ଗୋଟିଏ ବିଦ୍ରୋହକୁ ସଂଗଠିତ ଭାବରେ ଚଳାଇବାପାଇଁ ଯେତିକି ଆର୍ଥିକ ଶକ୍ତି ପ୍ରୟୋଜନ ତାହା ତାଙ୍କ ପାଖରେ ଯଥେଷ୍ଟ ଭାବରେ ନ ଥିଲା । ଯେଉଁ ଗଡ଼ଜାତ ରାଜାମାନେ ତାଙ୍କୁ ସାହାଯ୍ୟ କରୁଥିଲେ ସେମାନେ ପୁଣି ସମୟ ସୁବିଧା ଦେଖି ସରକାରଙ୍କ ପକ୍ଷକୁ ପ୍ରକାଶ୍ୟ ଭାବରେ ଆଉଜିଲେ । ଯେଉଁ ଗୌନ୍ତିଆମାନେ ତାଙ୍କ ପକ୍ଷରେ ଥିଲେ ସେମାନଙ୍କର ସମ୍ପତ୍ତିବାଡ଼ି ସରକାର ବାଜ୍ୟାପ୍ତ କରି ନେବାରୁ ସେମାନଙ୍କର ମନର ଦମ୍ଭ ମଧ୍ୟ କେତେକାଂଶରେ କମିଗଲା । ଏହି କାରଣରୁ ସୁରେନ୍ଦ୍ରଙ୍କର ଲୋକଶକ୍ତି ମଧ୍ୟ କମିଯିବା ଦେଖାଗଲା । ଯେଉଁମାନେ ବା ସଙ୍ଗରେ ରହିଲେ ସେମାନଙ୍କୁ ପୋଷିବା ସୁରେନ୍ଦ୍ରଙ୍କ ପକ୍ଷରେ ଗୋଟିଏ ପ୍ରଧାନ ସମସ୍ୟା ହେଲା ।

 

ବିଦ୍ରୋହୀଙ୍କ ଦ୍ୱାରା ଲୁଟତରାଜ

 

ବିଦ୍ରୋହୀମାନେ ଅନ୍ୟ ଉପାୟ ନ ଦେଖି ଜିଲ୍ଲାର କେତେକ ସ୍ଥାନରେ ଗାଁଗଣ୍ଡା ପୋଡ଼ି ଲୁଟପାଟ କଲେ । ଯେଉଁ ଗୌନ୍ତିଆ ଓ ମୁଖିଆମାନେ ସରକାରଙ୍କୁ ସାହାଯ୍ୟ କରୁଥିଲେ ସେମାନଙ୍କର ସମ୍ପତ୍ତି ଲୁଟ କଲେ । କେତେକ ସ୍ଥାନରେ ସରକାର ପକ୍ଷର ଲୋକଙ୍କୁ ହତ୍ୟା ମଧ୍ୟ କଲେ । ଏହିସବୁ କାଁ ଭାଁ ଲୁଟତରାଜ ଓ ହତ୍ୟାକାଣ୍ଡ ଛଡ଼ା ବିଦ୍ରୋହୀମାନେ ୧୮୬୧ର ଶେଷଭାଗରେ ଆଉ ବେଶୀ କିଛି କରିପାରି ନାହାନ୍ତି । ସେ ସମୟକୁ ସମ୍ବଲପୁର ଜିଲ୍ଲା ପ୍ରାୟ ଶାନ୍ତ ପଡ଼ିଯାଇଥିଲା କହିଲେ ଚଳେ ।

 

ସରକାରଙ୍କ କୋହଳ ନୀତି

 

୧୮୬୧ରେ ମେଜର ଏଚ୍. ବି. ଇମ୍ପି ସମ୍ବଲପୁରରେ ଡେପୁଟି କମିଶନର ପଦରେ ନିଯୁକ୍ତ ହେଲେ । ତାଙ୍କୁ କଟକର କମିଶନରଙ୍କ ଅଧୀନରେ କାମ କରିବାକୁ ପଡ଼ୁଥିଲା । ଜିଲ୍ଲାର ଅବସ୍ଥା ଟିକିଏ ଶାନ୍ତ ପଡ଼ିବାରୁ ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଯୁଦ୍ଧ ଅଭିଯାନ ଆଉ ଚଳାଇବା ବୁଦ୍ଧିମତ୍ତାର କାର୍ଯ୍ୟ ହେବ ନାହିଁ ବୋଲି ସରକାରୀ ମହଲରେ ବିଚାର ହେଲା । ଯୁଦ୍ଧ ହେଲେ ସରକାରଙ୍କର ବହୁତ କ୍ଷତି ତ ନିଶ୍ଚୟ ହେବ, ପୁଣି ଏହାଦ୍ୱାରା ଲୋକଙ୍କ ଆନୁଗତ୍ୟ ସହଜରେ ପାଇବା ମଧ୍ୟ ସମ୍ଭବ ହେବ ନାହିଁ । ବୃଥା କ୍ଷୟରୁ ରକ୍ଷା ପାଇବା ପାଇଁ ସରକାର ବିଦ୍ରୋହୀମାନଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିବା ନୀତି ଅବଲମ୍ବନ କଲେ । ମେଜର ଇମ୍ପି ସମ୍ବଲପୁରର କର୍ତ୍ତୃତ୍ୱ ହାତକୁ ନେବା ପରେ ପରେ ବିଦ୍ରୋହୀମାନଙ୍କ ସହିତ ସଂଯୋଗ ସ୍ଥାପନ କରିବା ଉଦ୍ୟମ କଲେ ।

 

କ୍ଷମା ଘୋଷଣା

 

ସରକାରୀ ମନୋଭାବ ଉଦାର ହେବାର ଦେଖାଯିବାରୁ ବିଦ୍ରୋହୀମାନଙ୍କ ଭିତରୁ କେତେ ଜଣ ବିଦ୍ରୋହ ପନ୍ଥାରୁ ଅଲଗା ହୋଇଯିବାକୁ ଇଚ୍ଛା ପ୍ରକାଶ କଲେ । ୧୮୬୧ର ଶେଷ ପାଦଆଡ଼କୁ ସରକାର ଘୋଷଣା କଲେ ଯେ ଯେଉଁମାନେ ସରକାରଙ୍କଠାରେ ବିନାସର୍ତ୍ତରେ ଆତ୍ମସମର୍ପଣ କରିବେ ସେମାନେ ଦଣ୍ଡରୁ ଅବ୍ୟାହତ ପାଇବେ ଏବଂ ଯେଉଁମାନଙ୍କର ସମ୍ପତ୍ତି ବାଜ୍ୟାପ୍ତ ହୋଇଛି ସେମାନଙ୍କୁ ସମ୍ପତ୍ତି ଫେରାଇ ଦିଆଯିବାର ପ୍ରତିଶ୍ରୁତି ମଧ୍ୟ ଦିଆଗଲା । କେବଳ ସୁରେନ୍ଦ୍ର, ତାଙ୍କ ପୁଅ ମିତ୍ରଭାନୁ ଓ ତାଙ୍କ ଭାଇ ଉଦ୍ଦନ୍ତ ଏହି ଘୋଷଣାର ସୁବିଧା ଭୋଗ କରିପାରିବେ ନାହିଁ ବୋଲି ସ୍ପଷ୍ଟଭାବରେ ଜଣାଇ ଦିଆଗଲା ।

 

ସରକାରଙ୍କ ମିଳାମିଶା ନୀତିକୁ ବିଦ୍ରୋହୀମାନଙ୍କ ମଧ୍ୟରୁ ଘେସର ଜମିଦାର କୁଞ୍ଜର (କୁଞ୍ଜଳ)ସିଂହ ଓ ତାଙ୍କ ଭାଇ ହାତୀ ସିଂହ, ଲକ୍ଷ୍ମଣପୁରର ଜମିଦାର କମଳ ସିଂଦା ଓ ଓ ତାଙ୍କ ଭାଇ ଖଗେଶ୍ୱର ସିଂଦା ଓ କମ୍ପି ଦୂତ ପଠାଇଥିଲେ । କିନ୍ତୁ ସେମାନେ ଉତ୍ତରରେ କହିଲେ ଯେ ସୁରେନ୍ଦ୍ରଙ୍କୁ ସମ୍ବଲପୁରର ରାଜା ବୋଲି ସ୍ୱୀକାର କଲେ କେବଳ ସେମାନେ ସରକାରଙ୍କ କଥା ଶୁଣିବେ । ଏମାନେ ସୁରେନ୍ଦ୍ରଙ୍କ ଅନ୍ତରଙ୍ଗ ସହକର୍ମୀ ଥିବାରୁ ସରକାର ସୁରେନ୍ଦ୍ରଙ୍କ ମନୋଭାବ ମଧ୍ୟ ଏଥିରୁ ସହଜରେ ବୁଝିପାରିଲେ-

 

୧୮୬୧ ଶେଷ ବେଳକୁ ସମ୍ବଲପୁରରେ ଯେତେ ସରକାରୀ ସୈନ୍ୟ ଜିଲ୍ଲାତମାମ ବିଞ୍ଚି ହୋଇଥିଲେ, ସେଥିରେ ଯୁଦ୍ଧ ଅଭିଯାନ ଯେ ସହଜରେ ଚ ଳିପାରନ୍ତା ଏଥିରେ ସନ୍ଦେହ ନାହିଁ । କିନ୍ତୁ କ୍ଷତି ମଧ୍ୟ କମ୍ ହୁଅନ୍ତା ନାହିଁ । ମେଜର ଇମ୍ପି ସରକାରଙ୍କଠାରେ ଏହି ଅବସ୍ଥାଟିକୁ ସ୍ପଷ୍ଟ ଭାବରେ ଉପସ୍ଥାପିତ କରିବାରୁ ସରକାର ତାଙ୍କୁ ଉଦାର-ନୀତି କାର୍ଯ୍ୟରେ ପରିଣତ କରିବାକୁ ଉତ୍ସାହ ଦେଲେ-

 

୧୮୬୧ର ଶେଷ ଅଂଶକୁ ବିଦ୍ରୋହୀମାନଙ୍କ ଭିତରୁ କେତେଜଣ ମୁଖିଆ ଆତ୍ମସମର୍ପଣ କଲେ ।

 

ମେଜର ଇମ୍ପି ସୁରେନ୍ଦ୍ରଙ୍କ ଭାଇ ଓ ପୁଅଙ୍କୁ ଜଣାଇଲେ ଯେ ଯଦି ସେମାନେ ଆତ୍ମସମର୍ପଣ କରନ୍ତି ତାହାହେଲେ ସେମାନେ ସରକାରୀ କ୍ଷମା ପାଇବେ ଏବଂ ସେମାନଙ୍କର ଭରଣ ପୋଷଣ ପାଇଁ ସରକାର ବ୍ୟବସ୍ଥା କରିବେ । ସରକାରଙ୍କଠାରୁ ଏହି ପ୍ରତିଶ୍ରୁତି ପାଇବାରୁ ଉଦ୍‍ଦନ୍ତ ସାଏ ଓ ଧୂରୁପ ସାଏ (ସୁରେନ୍ଦ୍ରଙ୍କ ଭାଇମାନେ) ୧୮୬୨ ଜାନୁଆରୀ ତା ୧୮ରିଖ ଦିନ ଆତ୍ମସମର୍ପଣ କଲେ ।

 

ଏ ଦୁଇ ଭାଇଙ୍କ ଆତ୍ମସମର୍ପଣ ଯୋଗୁଁ ସରକାରୀ ମହଲରେ ସନ୍ତୋଷଭାବ ଦେଖାଗଲା । ବିଦ୍ରୋହୀମାନଙ୍କ ଆତ୍ମସମର୍ପଣ କାର୍ଯ୍ୟରେ ସ୍ୱୟଂ ଉଦ୍‍ବନ୍ତଙ୍କୁ ମେଜର ଇମ୍ପି ନିଯୁକ୍ତ କଲେ । ଉଦ୍‍ଦନ୍ତଙ୍କୁ ସରକାରୀ ଦୂତ ରୂପେ ବିଦ୍ରୋହୀମାନଙ୍କଠାକୁ ପଠାଇଲେ ଏବଂ ସରକାରୀ କ୍ଷମାନୀତିକୁ ଗ୍ରହଣ କରିବାଦ୍ୱାରା ସେମାନଙ୍କର ମଙ୍ଗଳ ହେବ ବୋଲି ବୁଝାଇବାକୁ ତାଙ୍କୁ କୁହାଗଲା-

 

ସେତେବେଳକୁ ସମ୍ବଲପୁର ଜିଲ୍ଲାର ଦକ୍ଷିଣତୀରରେ ସୁରେନ୍ଦ୍ର ଥିଲେ ।

 

୧୮୬୨ ମସିହା ମଇ ମାସର ତା ୪ରିଖରେ ସୁରେନ୍ଦ୍ର ଗୋଟିଏ ଚିଠି ମେଜର ଇମ୍ପିଙ୍କଠାକୁ ପଠାଇଲେ । ସେଥିରେ ସେ ନିଜର ଅବସ୍ଥା, ତାଙ୍କରି ଦାବି ଓ ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ଅଭିଯୋଗ ବର୍ଣ୍ଣନା କରିଥିଲେ । ଡେପୁଟି କମିସନର ଇମ୍ପି ସାହେବ ତାର ଉତ୍ତରରେ ତାଙ୍କର (ସୁରେନ୍ଦ୍ରଙ୍କର) ଦାବିର ଭବିଷ୍ୟତ କଥା ଉଲ୍ଲେଖ କରି ନିଜ ସ୍ୱାର୍ଥ ଦୃଷ୍ଟିରୁ ଆତ୍ମସମର୍ପଣ କରିବା ପାଇଁ ଅନୁରୋଧ କଲେ । ଜମାଦାର ରାଜକୁମାର ମିଶ୍ରଙ୍କ ଜରିଆରେ ଏହି ଉତ୍ତର ଗଲା । ଜମାଦାରଙ୍କୁ ଇମ୍ପି ସାହେବ ଯେଉଁ ଚିଠି ଦେଇଥିଲେ ତାହା ଏଠାରେ ଦିଆଗଲା ।

 

ଡେପୁଟି କମିଶନରଙ୍କ ଜମାଦାରଙ୍କୁ ଚିଠି

 

‘‘ଈଓତଲାସାର ରାଜକୁମାର ମିଶ୍ର ଜମାଦାର ପୁଲିସ ମୁତଇନେ ଲେଖନପୁର ବଳୀସିଂ ଅତବାସନ୍ଦ-:–

 

ଆଗେ ଅରଯି ତୁମ୍ଭରି ମାଏ ଅରଯି ବାବୁ ସୁରେନ୍ଦଂର ସାଏକଂର ପହୁଞ୍ଚି ହାଲମାଲୁମ ହେଲା କି, ସୁରନ୍ଦଂର ସାହେଙ୍କର ଇରାଦା ଅଛି ମିଲୀବାର ମାତ୍ରକ ବସବବେକୁପିଂ ଦହ ସଦର ଏ ଆଡ଼େର ସେ ଆଡ଼ର କଥା ନାହାକ ଆପଣ ଖିଆଲରେ ଆଣୁ ଅଛନ୍ତି କି ଯହିଁରେ ତ ହକୁପଂନା ମୟୁଂରିର ହେଉଅଛି । ଅତଏବ ତୁମ୍ଭଙ୍କୁ ଲେଖାଯାଉଅଛି କି । ଫୌରନ୍ ବେଲା ଦେରି ତାଙ୍କୁ ସମଝ୍ୟଂ କରି ମିଲାଈ ଦିଅ । ଆର ତାଙ୍କୁ ମଧ୍ୟ ଏହି କଥା ସମୁଝ୍ୟଂଈ ଦେବାର ଚାହି କି । ସିବାଏ ହଜୁରଙ୍କ କହିବାର ଆଉ କାହାରି କଥା । ନ ଶୁଣିବେ । ସେ ଖିଆଲ କରିବେ କି କଣ୍ୱସ ପ୍ରକାରେ ସେ ମନିସ୍ୱ ହେଉକି ଯେ ବେଲା ହଯୁରର ହୁକୁମ ତୁମ୍ଭଠାରେ କହିବ ଅଥବା ଇହି ଭେଯିବ ମାତ୍ରକ ଶୁଣିବାରେ ଆସୁଅଛି କି । ଭଗବାନ ନାଏକ ଗୌଟିଆ ଆପଣା ଖଈର ଖାହିରୁ ଯାଇଅଛି । ଯେବେ ଫିଲ ହକୀରାତ ସେ ତୁମ୍ଭର ପାସକୁ ଅଥବା ବାବୁ ସୁରେନ୍ଦଂର ସାଏକଂର ପାସକୁ ପହୁଞ୍ଚିବ ତ । ଯାଣିବ କି ଏ କଥାରେ ହଜୁରକୁ ସାମପୁର ନାହିଁ ଶିମୁଯାକା ନାହିଁ । ଆଉର ମଧ୍ୟ ସୁରେନ୍ଦର ସାଏକୁଂ ସାଫ୍ ଓ୍ୟାକିଫ୍ କରି ଦେବକି ସେ ଏବେ ଆସିବେ କି ନାହିଁ । ଆଉର ଏପରି ଯବାବ ତୁମ୍ଭେ ଫଉରନ୍ ଭେଯିବ କିନ୍ତୁ ଫେର ଏ ଦଫେ ଯବାବର ସିବାଏ ଆଉ କେଭେ କିଛି ତାଂକର ପାସକୁ ଲେଖାଯିବ ନାହିଁ । ମେହେରବାନଗିଂ ତମାମ ହେଲା । ମାତ୍ରକ ଏହା ୟେ ଦଫା ଏପରି ମେହେରବାନଗିଂର ସମୁଝାବେ ତ ତାଙ୍କର କିସମତେ ଅଟେ । ପଂକ୍ତ ତା ୫ ରିଖ ମଈ ସ୍ନ ୧୮୬୨ ମସିହା ।

 

ଈଜିଲାସରୁ ମେଯଂର ହେସଟିଙ୍ଗ ଯୁବରାଟିନ ଈମ୍ପି ସାହେବ ଡିପୋଟି କମିସ୍ନର ବାହାଦୂର ସମ୍ବଲପୁର ।

 

ମୁଁ । କୃଷ୍ଣଚରଣ ଦାସ ଓ ନାରାୟଣ ପଟ୍ଟନାଏକ ମୋହରରାଏ ।’’

 

ସୁରେନ୍ଦ୍ର ସାଏଙ୍କୁ କହିପୋଛି ସରକାରଙ୍କ ଉଦାର ନୀତିକୁ ମାନିନେବା ପାଇଁ ପ୍ରବର୍ତ୍ତାଇବାକୁ ତାଙ୍କ ଭାଇ ଉଦନ୍ତଙ୍କୁ ଦକ୍ଷିଣ ତୀର ଆଡ଼େ ଇମ୍ପି ସାହେବ ପଠାଇଲେ । ଲକ୍ଷ୍ମଣପୁରର ଜମିଦାର କମଳ ସିଂହ ଦାଓ ତ ଆତ୍ମସମର୍ପଣ ସପକ୍ଷରେ ନ ଥିଲେ । ସୁରେନ୍ଦ୍ର ସାଏ ଏହି ଅବସ୍ଥା ଦେଖି ବୃଥା କ୍ଷୟରୁ ନିଜକୁ ଓ ସହକର୍ମୀମାନଙ୍କୁ ରକ୍ଷାକରିବା ନିମନ୍ତେ ଆତ୍ମସମର୍ପଣ କରିବା ଇଚ୍ଛାପ୍ରକାଶ କରିବାରୁ କମଳ ସିଂହ ଆପତ୍ତି କଲେ । ବହୁ ପରାମର୍ଶ ପରେ ସୁରେନ୍ଦ୍ର ସାଏ କମିଶନରଙ୍କୁ ଜଣାଇଲେ ଯେ ସରକାର ଯଦି ତାଙ୍କର ସମ୍ବଲପୁର ଗାଦିର ଦାବି ସ୍ୱୀକାର କରିନେବେ, ତାହାହେଲେ ଦଳବଳ ସହିତ ସେ ଆତ୍ମସମର୍ପଣ କରିବେ । ଇମ୍ପି ସାହେବ ସୁରେନ୍ଦ୍ରଙ୍କ ଏହି ପ୍ରସ୍ତାବରେ ଆଦୌ ରାଜିହେଲେ ନାହିଁ ଏବଂ ସ୍ୱ ସ୍ୱାର୍ଥରେ ଆତ୍ମସମର୍ପଣ କରିବା ସୁରେନ୍ଦ୍ରଙ୍କ କର୍ତ୍ତବ୍ୟ ବୋଲି ଉତ୍ତର ଦେଲେ । ଲଖନପୁରର ଜମାଦାରଙ୍କ ଜରିଆରେ ସେ ଯେଉଁ ପରୁଆନା ସୁରେନ୍ଦ୍ରଙ୍କଠାକୁ ପଠାଇଲେ ସେଥିରୁ ସ୍ପଷ୍ଟ ଜଣାଯାଉଛି ଯେ ସରକାର ସୁରେନ୍ଦ୍ରଙ୍କ ସମ୍ବଲପୁର ରାଜଗାଦି ପାଇବା ଦାବିକୁ ସଂପୂର୍ଣ୍ଣ ରୂପେ ଅଗ୍ରାହ୍ୟ କରିଛନ୍ତି । ବିଭିନ୍ନ ଦିଗରେ ସୈନ୍ୟ ପ୍ରେରଣ କରି ବିଦ୍ରୋହୀମାନଙ୍କୁ ଧ୍ୱଂସ କରିବା ଆୟୋଜନ ମଧ୍ୟ ସରକାର ସେତେବେଳକୁ କରିସାରିଥିଲେ । ଏ ଅବସ୍ଥାରେ ଆତ୍ମସମର୍ପଣ ଛଡ଼ା ସୁରେନ୍ଦ୍ର ସାଏଙ୍କ ଅନ୍ୟ ଉପାୟ ନ ଥିଲା ।

 

ସୁରେନ୍ଦ୍ରଙ୍କୁ ଡେପୁଟି କମିଶନରଙ୍କ ଉତ୍ତର

 

‘‘ରଫିଅତ ପତ୍ନ୍ୟା ବାବୁ ଶୁରନ୍ଦ୍ୱର ସାଏ ବାଫି ଅତବାସନ୍ଦ । ଆଜ ଦିନ ତୁମ୍ଭ ଅରଯି ଲେଖିତ ଚଳିତ ମାସ ତା ୩ ରିଖର ହଯୁରରେ ପହୁଞ୍ଚି ମୁଲାହିଯା ବାଦ ଶକଳ ହାଲ ମାଲୁମ ହେଲା ତୁମ୍ଭେ ଯେ ଲେଖିଅଛ ରଜା ଓ ଜମିଦାରମାନଙ୍କୁ ପଠାଇବା ନିମନ୍ତେ ସେ କେଭେ ହେବାର ନୁହେଁ କାରଣ କଉଣସି ବଗି ଲୋକଙ୍କୁ ମିଳାଇବା ନିମନ୍ତେ କଉଣସି ରଜା ଓ ଜମିଦାରମାନଙ୍କୁ ସରକାର ପଠାଇବେ ନାହିଁ କି ନ ପଠାଇବେ ଓ ହଯୁରଙ୍କୁ ନାରାଯିଗି ହେଲା ତୁମ୍ଭେ ଯେ ସରକାରର ଗୁତ୍ନ୍ୟାଗାର ଥିଲ ଏପରି ଧୁମଧାମ ପାଇ ଅରଯି କଲ ଗୁତ୍ନ୍ୟାଗାରକୁ ଲାହିଂ ଭାବନା କରି ହଯୁରର ଗୋଡ଼ତଳେ ପଡ଼େ ଓ ୟାର ମାଦ କବି ରଖେ ଓ ପରକଥା ହଯୁରର ମେହରବାନଙ୍ଗି ଉପରେ ଓ ଏଥିପୂର୍ବ ପରୁଓ୍ୟାନା ଯେ ତୁମ୍ଭଙ୍କୁ ଲେଖା ହୋଇଥିଲା କି ରାଜଗିରି କଥା ଖିଆଲ ଛାଡ଼ିକରି ମୟରି ମେହବାନଗିଂ ସରକାର ଉପରେ କି ଯଉଂପରି ସରକାର ହୁକୁମ କରେ ନୀଧଡକ ହୋଈ ଆଶି ମିଳିବା ପାଈକି ଯେମନ୍ତେ ଗୁତ୍ନ୍ୟା ଲୋକଙ୍କୁ ଚାହିଂ ଜଦି ଏପରି ତୁମ୍ଭେ ଆସି ମିଳ ତେବେ ହଯୁରର ଓ୍ୟାଦାବ ନା ରହିଲା କି ତୁମ୍ଭର କଉଣସି ପରିତ ଗଲିଫ ହେବ ନାହିଂ ମାତ୍ରକ ଯାଣିବାର ଚାହି କି ଅଜ ଦୀନ ତୁମ୍ଭର ଅରଯି ପହୁଞ୍ଚିବାରୁ ତୁମ୍ଭର ମିଳିବାର ମିଆଦ ଗଣାଯାଉଛି କି ଯେ ପୂର୍ବରେ ପରୁଓ୍ୟାନା ଲେଖାଯାଇଥିଲା ଅଗର ପାଣି କରଶି ବା ଅଥବା କୌଣସି ଶବାବରୁ ଦେର ପାୟା ଯାଏ ତେବେ ମୁପାନା ନାହି ଏବେ ତୁମ୍ଭେ ଆରକଥା ଶବୁ ଛାଡ଼ିକରି ସାଫ ଜବାବରେ ଲେଖକି ଆମ୍ଭେ ସମଲପୁର ମୁକାମରେ ମିଳିବା ପାଇଁ ହାଜର ହେବା କି ନାହିଁ ଆର ଯାଣିବ କି ଏ ପରଓ୍ୟାନା ସିବାଏ ଆର ପରୁଓ୍ୟାନା ଯିବ ନାହିଁ ପଶ ତୁମ୍ଭର ନେକ କିସିମତ ତୁମ୍ଭ ଆଖତିଆର ଅଛି ଏ ଶିଧା କଥା ଆର ଅବିଶୋଶର କଥା ତୁମ୍ଭର ଭାଇ ଓ ପୁଅ ସବୁ ଆସି ହଯୁରରେ ମିଳିଲେ ଓ ରାତିଦିନ ହଯୁରର କଦମରେ ଥାଈ ଶଲାମବନ୍ଦଗି କରୁଅଛନ୍ତି ତୁମ୍ଭେ ଜଙ୍ଗଲ ପାହାଡ଼ ଫେରୁ ଅଛ ତା ୪ ରିଖ ମାହେ ମଈ ସ୍ମ ୧୮୬୨ ମସିହା ଈଜିଲାଶ ମେଜର ହେଶଟୀଙ୍ଗ ବଚରାଟନ ଈମ୍ପି ସାହେବ ଡିପୋଟୀ କମିସନର ବାହାଦୂର । ମୁ ଶମଲପୁର । ମୁ କୃଷ୍ଣଚନ୍ଦ୍ର ଦାସ ଓ ନାରାଏଣ ପଟ୍ଟନାଏକ ମୋହରାନ ।’

☆☆☆

 

ନବମ ଅଧ୍ୟାୟ

ସୁରେନ୍ଦ୍ରଙ୍କ ଆତ୍ମସମର୍ପଣ

 

ଇମ୍ପି ସାହେବଙ୍କ ପରୁଓ୍ୟାନାରେ କ୍ଷମା ଓ ଜାଗିର ପୁନଃ ପ୍ରାପ୍ତିର ଆଶାଥିବାରୁ ବିଦ୍ରୋହୀ ସରଦାର ତାକୁ ଏକାବେଳକେ ପ୍ରତ୍ୟାଖ୍ୟାନ ନ କରିବାକୁ ମନ ବଳାଇଲେ ନାହିଁ । ସେ ସମୟର ଅବସ୍ଥାରେ ମଧ୍ୟ ସେ ଏହା ପ୍ରତ୍ୟାଖ୍ୟାନ କରିଦେଇଥାନ୍ତେ ବୋଲି ମନେହୁଏ ନାହିଁ । ଉତ୍ତର-ଭାରତରେ, ବିହାରରେ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସିପାହୀ ବିଦ୍ରୋହ ପୂରା ଦମନ ହୋଇସାରିଥିଲା । ସରକାର ସେଦିଗରୁ ନିଶ୍ଚିନ୍ତ ହୋଇଯାଇଥିବାରୁ ଚାରିଆଡ଼ୁ ସୈନ୍ୟ ଆଣି ସମ୍ବଲପୁରରେ ଠୁଳ କରିବା ମଧ୍ୟ ସହଜ ହୋଇଯାଇଥିଲା । ଏସବୁ ଅବସ୍ଥା ଦେଖି ସୁରେନ୍ଦ୍ର ଆତ୍ମସମର୍ପଣ କରିବା ପାଇଁ ପୁଣି ଇଚ୍ଛାପ୍ରକାଶ କଲେ । ଏତିକିବେଳେ କମଳ ସିଂହ ପୁଣି ଆପତ୍ତି ଉଠାଇ ନିଜର କ୍ଷତି ହୋଇଥିବା କଥା ବଖାଣିଲେ । ସୁରେନ୍ଦ୍ର ଇମ୍ପି ସାହେବଙ୍କୁ ଖବରଦେଲେ ଯେ କମଳ ସିଂହଙ୍କର ଅନୁଚରମାନେ ଆତ୍ମସମର୍ପଣ କରିବା ସପକ୍ଷରେ ନାହାନ୍ତି । ସେଥିପାଇଁ ସେମାନେ ତାଙ୍କୁ ଛାଡ଼ୁ ନାହାନ୍ତି । କିନ୍ତୁ ଯଦି ସେମାନଙ୍କ ହାତଖର୍ଚ୍ଚ ବାବଦ କିଛି ଦିଆଯାଏ, ତାହାହେଲେ ସେମାନେ ସନ୍ତୁଷ୍ଟ ହୋଇଯିବେ । ଇମ୍ପି ସାହେବ ସୁରେନ୍ଦ୍ରଙ୍କ କଥା ଅନୁସାରେ ପାଞ୍ଚଶହ ଟଙ୍କା ପଠାଇଲେ । ସୁରେନ୍ଦ୍ର ସେ ଟଙ୍କା କମଳ ସିଂହଙ୍କ ଅନୁଚରମାନଙ୍କ ଭିତରେ ବାଣ୍ଟିଦେଇ ସେମାନଙ୍କୁ ବୁଝାବୁଝି କରି ୧୮୬୨ ମେ ମାସରେ ଆତ୍ମସମର୍ପଣ କଲେ ।

 

ସୁରେନ୍ଦ୍ରଙ୍କ କୁଟୁମ୍ବ ପାଇଁ ବ୍ୟବସ୍ଥା

 

ସରକାର ‘‘ବିଦ୍ରୋହୀ’’ମାନଙ୍କୁ ସନ୍ତୁଷ୍ଟ ରଖି ସମ୍ବଲପୁର ଓ ଗଡ଼ଜାତ ଅଞ୍ଚଳରେ ଶାନ୍ତି ସ୍ଥାପନ କରିବା ପାଇଁ ଉଦ୍ୟମ କଲେ । ଯୁଦ୍ଧ ପରିଚାଳନାରେ ଯେତେ ଖର୍ଚ୍ଚ ହେବ ଓ ଯେତେ ମାନସିକ ଅଶାନ୍ତି ସୃଷ୍ଟି ହେବ ତା ତୁଳନାରେ ଶାନ୍ତି ପ୍ରତିଷ୍ଠା ଦିଗରେ ଯାହା ଖର୍ଚ୍ଚହେବ ତାହା ନିଶ୍ଚୟ କମ ହେବ ବୋଲି ଆସିଷ୍ଟାଣ୍ଟ କମିଶନର ଇମ୍ପି ସାହେବଙ୍କ ଦୃଢ଼ ଧାରଣା ହେଲା । ମୁଖ୍ୟ ବିଦ୍ରୋହୀମାନଙ୍କ ଭିତରୁ ଅଧିକାଂଶ ଜମିଦାର ଶ୍ରେଣୀର । ସେମାନଙ୍କ ନିଜ ନିଜର ସ୍ୱାର୍ଥ ନେଇ ଅସନ୍ତୋଷ ଥିଲା । ଯଦି ସେହି ଅସନ୍ତୋଷର କାରଣକୁ ନିର୍ମୂଳ କରି ଦିଆଯାଏ ତାହା ହେଲେ ସମ୍ବଲପୁରରେ ଶାନ୍ତି ସ୍ଥାପନ ହେବା ସମ୍ଭବ ହେବ । ଏହି କଥା ଇମ୍ପି ସରକାରଙ୍କୁ ଜଣାଇଲେ ।

 

ସୁରେନ୍ଦ୍ର ସାଏଙ୍କ ବଂଶ ପୂର୍ବରୁ ଖିଣ୍ଡାକୁ ମିଶାଇ ଦୁଇଖଣ୍ଡି ବଡ଼ ଗ୍ରାମ ସମ୍ବଲପୁର ରାଜାଙ୍କଠାରୁ ଖୋରାକ ପୋଷାକ ବାବଦ ପାଇଲେ । ସୁରେନ୍ଦ୍ରଙ୍କ ସମ୍ବଲପୁର ରାଜଗାଦି ଦାବିକୁ ସରକାର ସ୍ୱୀକାର ନ କରିବାରୁ ସେ ବିଦ୍ରୋହ କରିଥିଲେ । ଯଦି ତାଙ୍କୁ ଅଧିକା କିଛି ଆର୍ଥିକ ସାହାଯ୍ୟ ଦିଆଯାଏ ତାହାହେଲେ ସେ ଶାନ୍ତ ରହିବାର ସମ୍ଭାବନା ଥିବାର ବିଚାର ମଧ୍ୟ ଅସ୍ୱାଭାବିକ ନୁହେଁ ।

 

ସୁରେନ୍ଦ୍ରଙ୍କୁ ବିସ୍ତୃତ ଜମି ନଦେଇ କିଛି ଦେଲେ ଚଳିବ ଏହି ଧାରଣା ସରକାରୀ ମହଲରେ ହେବା ଅସମ୍ଭବ ନୁହେଁ । ବିଦ୍ରୋହୀମାନଙ୍କୁ ସରକାର ପୁରସ୍କାର ଦେଉଛନ୍ତି ଏହି ଧାରଣା ମଧ୍ୟ ଲୋକଙ୍କ ମନରେ ଜାଗ୍ରତ ହେବା ଉଚିତ ନୁହେଁ ବୋଲି ଭାବି ସରକାର ମଝି ମଝିଆ ନୀତିରେ ସୁରେନ୍ଦ୍ରଙ୍କ କୁଟୁମ୍ବଙ୍କୁ କିଛି ସାହାଯ୍ୟ ଦେବାକୁ ସ୍ଥିର କଲେ ।

 

ସୁରେନ୍ଦ୍ରଙ୍କ ପୁତ୍ର ମିତ୍ରଭାନୁଙ୍କୁ ଜାଗିରି ସ୍ୱରୂପ ଦୁଇଖଣ୍ଡ ଗ୍ରାମର ଗୌନ୍ତାଇ ସତ୍ୱ ଦେଲେ-। ସେ ଜଣେ ଗଡ଼ଜାତ (ବଣେଇ) ରାଜାଙ୍କ କନ୍ୟାଙ୍କୁ ବିବାହ କରିଥିବାରୁ ତାଙ୍କର ଚଳାଚଳ ପାଇଁ ବାର୍ଷିକ ଟ ୧୦୦୦ (ଏକ ହଜାର ଟଙ୍କା) ପେନସନ ଦେବାକୁ ସରକାର ସ୍ଥିର କଲେ । ଦୁଇଖଣ୍ଡ ଗ୍ରାମର ଆୟ ବାର୍ଷିକ ପ୍ରାୟ ଟ ୫୮ ଏବଂ ମାସିକ ଟ ୪୦ କି ଟ ୩୫ ଦେଲେ ବାର୍ଷିକ ପେନସନ ଟ ୧୦୦କୁ ଆସିଯିବ ବୋଲି ସରକାରୀ ସିନ୍ଧାନ୍ତ ହେଲା ।

 

ସୁରେନ୍ଦ୍ରଙ୍କୁ ମଧ୍ୟ ବାର୍ଷିକ ଏକ ହଜାର ଟଙ୍କା ପେନସନ ଦେବା ସ୍ଥିର ହେଲା ।

 

ସୁରେନ୍ଦ୍ରଙ୍କ ଭାଇ ଉଦନ୍ତ ଜିଲ୍ଲାରେ ଶାନ୍ତି ସ୍ଥାପନ କରିବାରେ ସରକାରଙ୍କୁ ସାହାଯ୍ୟ କରିବା ପ୍ରତିଶ୍ରୁତି ଦେଲେ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ବିଦ୍ରୋହୀମାନଙ୍କୁ ବୁଝେଇବାରେ ଲାଗିଲେ । ତାଙ୍କୁ ସରକାର ଏହି କାର୍ଯ୍ୟରେ ନିଯୁକ୍ତ ମଧ୍ୟ କଲେ ।

 

ବିଦ୍ରୋହୀମାନଙ୍କୁ ଆତ୍ମ ସମର୍ପଣ କରିବା ନିମନ୍ତେ ପ୍ରବର୍ତ୍ତାଇବାକୁ କେତେଜଣ ବିଶିଷ୍ଟ ଲୋକ ମଧ୍ୟ ବାହାରିଲେ । ସେ ମାନଙ୍କ ମଧ୍ୟରୁ କେତେଜଣ ବିଦ୍ରୋହୀମାନଙ୍କୁ ଭିତିରି ସାହାଯ୍ୟ ଦେଉଥିଲେ । ସେମାନଙ୍କ ଭିତରେ ରମ୍ପେଲାର ଶ୍ରୀଲୋକନାଥ ପଣ୍ଡା ପ୍ରଧାନ । ସେ ବିଦ୍ରୋହୀମାନଙ୍କୁ ସାହାଯ୍ୟ କରିଥିଲେ ଏବଂ ନିଜେ ସେଥିରେ ଲିପ୍ତ ଥାଇ ଲୁଟତରାଜ, ନରହତ୍ୟା ପ୍ରଭୃତି କରିଥିବା ଅଭିଯୋଗରେ ଅଭିଯୁକ୍ତ ହୋଇଥିଲେ । ସେ ଆତ୍ମସମର୍ପଣ କରି ସରକାରଙ୍କଠାରେ ଆନୁଗତ୍ୟ ସ୍ୱୀକାର କଲେ । ତାଙ୍କୁ ପୂର୍ଣ୍ଣ କ୍ଷମା ମିଳିଲା । ସେ କେତେଜଣ ବିଦ୍ରୋହୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିପୋଛି ଆଣିଥିବାରୁ ସରକାର ତାଙ୍କୁ ପୁରସ୍କାର ଦେଇଥିଲେ । ପୂର୍ବରୁ ତାଙ୍କର ମୋଟେ ଦୁଇଖଣ୍ଡ ଗ୍ରାମ ଥିଲା । ତାଙ୍କୁ ଜମିଦାର କରିଦେଇ ୪୦ବର୍ଷ ପାଇଁ ଅଧା ଜମାରେ ୧୯ (ଊଣେଇଶ) ଖଣ୍ଡ ଖାଲସା ଗ୍ରାମ ସରକାର ଦେଲେ । ଅରଦାର ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କୁ ମଧ୍ୟ ସେହିଭଳି ପୁରସ୍କାର ମିଳିଲା ।

 

ଦୀର୍ଘ ପାଞ୍ଚବର୍ଷ (୧୮୫୭ ଠାରୁ ୧୮୬୨) ଭିତରେ ବିଦ୍ରୋହ ଯୋଗୁଁ ସମ୍ବଲପୁର ଜିଲ୍ଲାର ବହୁତ କ୍ଷତି ହୋଇଯାଇଥିଲା । ବହୁତ ଗ୍ରାମ ପୋଡ଼ି ଧ୍ୱଂସ ହୋଇଯାଇଥିଲା । କି ବଡ଼ କି ସାନ ସମସ୍ତେ ଭୀତତ୍ରସ୍ତ ହୋଇ ରହିଥିଲେ । ବିଦ୍ରୋହି ଓ ସରକାର ଉଭୟ ପକ୍ଷର ଧକ୍‌କା ସାଧାରଣ ଲୋକଙ୍କୁ ସହ୍ୟକରିବାକୁ ପଡ଼ୁଥିଲା । ସରକାରଙ୍କର ପୋଡ଼ା-ଜଳା ନୀତି ଲୋକଙ୍କ ଭିତରେ ବେଶି ଆତଙ୍କ ସୃଷ୍ଟି କରିଥିଲା । ଏଥିରେ ବେଶି ଉତ୍ତ୍ୟକ୍ତ ହୋଇ ବିଦ୍ରୋହୀମାନଙ୍କୁ ଲୋକେ ସାହାଯ୍ୟ କରିଥିଲେ ।

 

ବିଦ୍ରୋହୀଙ୍କ କୌଶଳ ? ଶାନ୍ତି ନା ଅଶାନ୍ତି ?

 

ସୁରେନ୍ଦ୍ର ଓ ତାଙ୍କର ଭାଇମାନେ ସରକାରଙ୍କ ହାତରେ ଆତ୍ମସମର୍ପଣ କରିବା ଭିତରେ କିଛି ଉଦ୍ଦେଶ୍ୟ ଥିବା ମଧ୍ୟ ସମ୍ଭବ ହୋଇପାରେ । ମୁଖ୍ୟ ବିଦ୍ରୋହୀମାନଙ୍କର ଅସନ୍ତୋଷର କାରଣ ଦୂରକରିବା ଦିଗରେ ସରକାର ଯେଉଁ ନୀତି ପୋଷଣ କଲେ ତାର ସୁବିଧା ନେଇ ପୋଡ଼ାଘରୁ ‘‘କୁଟା କେରାଏ ମିଳିଲେ ମଧ୍ୟ ଲାଭ’’ ନ୍ୟାୟରେ ସେମାନେ ସରକାରଙ୍କ ସହିତ ସହଯୋଗ କଲେ-। କିନ୍ତୁ ଭିତରେ ଭିତରେ ବିଦ୍ରୋହବହ୍ନିକୁ ଉଜ୍ଜୀବୀତ ରଖାଯାଇଥିଲା । ସୁରେନ୍ଦ୍ର ତାଙ୍କ ଭାଇମାନେ ଓ ଅନ୍ୟାନ୍ୟ କେତେକ ଜମିଦାର ଆତ୍ମସମର୍ପଣ କରିଥିଲେ ମଧ୍ୟ ଲକ୍ଷଣପୁରର ଜମିଦାର ବଂଶର କମଳ ସିଂହ ଆତ୍ମସମର୍ପଣ କରିନଥିଲେ । ତାଙ୍କୁ ଆଳ କରି ଆତ୍ମସମର୍ପଣ କରିଥିବା ବିଦ୍ରୋହୀମାନେ ସରକାରଙ୍କଠାରୁ ଅଧିକା କିଛି ସୁବିଧା ଟାଣିଆଣିବା ଉପାୟ କଲେ ।

 

କିନ୍ତୁ ଆସିଷ୍ଟାଣ୍ଟ କମିଶନର ଇମ୍ପି ସାହେବଙ୍କ ଦୃଢ଼ ଧାରଣା ହୋଇଥିଲା ଯେ ବିଦ୍ରୋହୀମାନଙ୍କ ପିଠିରେ ଟିକିଏ ହାତ ବୁଲାଇ ଆଶ୍ୱାସନା ଦେଲେ ସେମାନେ ଆଉ ଗଣ୍ଡଗୋଳ କରିବେ ନାହିଁ । କିନ୍ତୁ ପରେ ସୁରେନ୍ଦ୍ର ପୁନର୍ବାର ଅଶାନ୍ତି ସୃଷ୍ଟି କରିବାରୁ ତାଙ୍କର ଧାରଣା ଠିକ୍ ନୁହେଁ ବୋଲି ସେ ସରକାରୀ ମହଲରେ ସମାଲୋଚିତ ହୋଇଥିଲେ ।

☆☆☆

 

ଦଶମ ଅଧ୍ୟାୟ

ବିଦ୍ରୋହର ଅବସାନ

 

୧୮୬୨ ଖ୍ରୀଷ୍ଟାବ୍ଦର ଶେଷ ପର୍ଯ୍ୟନ୍ତ କମଳ ସିଂଙ୍କ ଛଡ଼ା ଅନ୍ୟ ମୁଖିଆ ବିଦ୍ରୋହୀମାନେ ଆତ୍ମସମର୍ପଣ କରି ସାରିଥିଲେ । ଜିଲ୍ଲାରେ ଶାନ୍ତି ବିରାଜୁଥିବାର ଆଭାସ ପାଇ ସରକାର ପକ୍ଷ ଟିକିଏ ଖୁସି ହୋଇଥିଲେ ।

 

୧୮୬୩ ଅପ୍ରେଲ ତା ୩୦ରିଖରେ ସମ୍ବଲପୁର ଜିଲ୍ଲାକୁ ନିକଟରେ ଗଠିତ ହୋଇଥିବା ମଧ୍ୟପ୍ରଦେଶ ସହିତ ମିଶାଇ ଦିଆଗଲା । ଏହି ଘଟଣା ନେଇ ସମ୍ବଲପୁର ଓ ଆଖପାଖ ଗଡ଼ଜାତମାନଙ୍କର ରାଜା, ଜମିଦାର ଓ ପ୍ରଜାମାନେ ବିଚଳିତ ହୋଇପଡ଼ିଲେ । ସରକାରଙ୍କ ଏହି ବ୍ୟବସ୍ଥାର ପ୍ରତିବାଦ ମଧ୍ୟ ହେଲା । ଲୋକଙ୍କ ମନରେ ଅଶାନ୍ତିଭାବ ଜାଗ୍ରତ ହେଲା । ସରକାର ଲୋକଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି ଧାରଣା ହେଲା । ଜିଲ୍ଲାରେ ପୁଣି ଅଶାନ୍ତି ମୁଣ୍ଡ ଟେକିଉଠିଲା ।

 

ସୁରେନ୍ଦ୍ରଙ୍କର ପୁନର୍ବାର ରାଜଗାଦି ଦାବି

 

ସମ୍ବଲପୁର ଜିଲ୍ଲାରେ ଅଶାନ୍ତି ଲାଗିରହିଥିବାରୁ ଅନ୍ତତଃ ପକ୍ଷେ ସ୍ଥାୟୀ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ସମ୍ବଲପୁର ରାଜଗାଦି ସୁରେନ୍ଦ୍ର ସାଏଙ୍କୁ ଦିଆଯାଉ ଏହି ମର୍ମରେ ଜିଲାର ବିଭିନ୍ନ ସ୍ଥାନରୁ ସରକାରଙ୍କଠାରେ ଦାବି ହେଲା । ବହୁ ଜମିଦାର, ଗୌନ୍ତିଆ ଓ ସାଧାରଣ ଲୋକ ସରକାରଙ୍କୁ ଏହି ବିଷୟରେ ଆବେଦନ ମଧ୍ୟ କଲେ । ମଧ୍ୟ ପ୍ରଦେଶର ଗଡ଼ଜାତ ବିଭାଗର ଚିଫ୍ କମିଶନର ସାର୍ ରିଚାର୍ଡ଼ ଟେମ୍ପଲ ଜିଲ୍ଲାର ଅବସ୍ଥା ଦେଖିବା ପାଇଁ ଆସିଲେ । ସେହି ସୁବିଧାରେ ଲୋକେ ତାଙ୍କଠାରେ ଦରଖାସ୍ତ କଲେ ଯେ ସରକାରଙ୍କ ଷ୍ଟାମ୍ପ, ଟିକସ ପ୍ରଭୃତି ସେମାନଙ୍କୁ ବାଧୁଛି ଏବଂ ସରକାରୀ ପରିଚାଳନାରେ ସେମାନେ ସନ୍ତୁଷ୍ଟ ହୋଇପାରୁନାହାନ୍ତି । ଜିଲ୍ଲାରେ ଶାନ୍ତି ସ୍ଥାପନ କରିବା ଦିଗରେ ସରକାର ମଧ୍ୟ ସମର୍ଥ ହୋଇପାରୁନଥିବାରୁ ପ୍ରଜାଙ୍କର ବହୁତ କ୍ଷତିହେଉଛି । ଯଦି ସୁରେନ୍ଦ୍ରଙ୍କୁ ସମ୍ବଲପୁର ରାଜଗାଦିରେ ବସାଇ ଦିଆଯାଏ, ତାହାହେଲେ ଜିଲ୍ଲାରେ ଅଶାନ୍ତିର କାରଣ ଆଉ ରହିବ ନାହିଁ; ତାଙ୍କର ପ୍ରଭାବରେ ଶାନ୍ତି ପୁନର୍ବାର ସ୍ଥାପିତ ହୋଇଯିବ, ଲୋକେ ସୁଖଶାନ୍ତିରେ ରହିବେ ।

 

ଏହି ଦରଖାସ୍ତ ଓ ଅନ୍ୟାନ୍ୟ ନିବେଦନର ସରକାରୀ ଅନୁସନ୍ଧାନ ସାର୍‌ ଟେମ୍ପଲ କଲେ-। ସରକାର ଭାବିଲେ, ସୁରେନ୍ଦ୍ରଙ୍କୁ ସମ୍ବଲପୁର ରାଜଗାଦିରେ ବସାଇବା ପାଇଁ ଏବଂ ସରକାରଙ୍କ ରାଜ୍ୟ ପରିଚାଳନା ନୀତିର ବିରୋଧ କରି ଯେଉଁ ଦାବି ସବୁ ହେଉଛି, ତା ପଛରେ ସୁରେନ୍ଦ୍ରଙ୍କ ହାତ ରହିଛି । ଡରେଇ ଥରେଇ ସରକାରଙ୍କଠାରୁ ନିଜ ଦାବି ହାସଲ କରିବା ପାଇଁ ସୁରେନ୍ଦ୍ର ସାଏ କୌଶଳ ଅବଲମ୍ବନ କରିଛନ୍ତି ଏବଂ ତାଙ୍କ ଆତ୍ମସମର୍ପଣ ମଧ୍ୟ ଏକ ଛଳନା ବୋଲି ସରକାର ସନ୍ଦେହ କଲେ । ସେ ଦରଖାସ୍ତରେ ଯେଉଁ ମୁଖିଆ ଲୋକଙ୍କର ଦସ୍ତଖତ ହୋଇଥିଲା ତାହା ସେମାନେ ଅସ୍ୱୀକାର କଲେ । ଫଳରେ ସୁରେନ୍ଦ୍ରଙ୍କୁ ରାଜଗାଦି ଦେବାପାଇଁ ସାଧାରଣଙ୍କ ତରଫରୁ ଯେଉଁ ଦାବି ହୋଇଥିଲା, ତାକୁ ସରକାର ଅଗ୍ରାହ୍ୟ କଲେ ।

 

ପୁନର୍ବାର ଧରପଗଡ଼

 

୧୮୬୨ର ମଝିବେଳକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଣି ଅଶାନ୍ତି ଦେଖାଦେଲା । କମଳ ସିଂଙ୍କ ଦଳ ପୁଣି ତେଜିଉଠିଲେ । ଯେଉଁମାନେ ବିଦ୍ରୋହ ଆରମ୍ଭରୁ ସରକାରଙ୍କୁ ସାହାଯ୍ୟ କରୁଥିଲେ ସେମାନଙ୍କ ଉପରେ ଏମାନଙ୍କର ଆଖିପଡ଼ିଲା । ଛଅ ସାତ ମାସ ଭିତରେ ବହୁ ଗ୍ରାମ ଲୁଣ୍ଠିତ ହେଲା । ଡେପୁଟି କମିଶନରଙ୍କଠାକୁ ଏକ ପତ୍ରରେ ବିଦ୍ରୋହୀମାନେ ଜଣାଇଲେ ଯେ ସୁରେନ୍ଦ୍ରଙ୍କୁ ରାଜଗାଦିରେ ନ ବସାଇବା ପର୍ଯ୍ୟନ୍ତ ବିଦ୍ରୋହ ଲାଗି ରହିଥିବ । ସରକାରଙ୍କ ବିରୁଦ୍ଧରେ ଅନ୍ୟାନ୍ୟ କେତେକ ଷଡ଼ଯନ୍ତ୍ରର ସନ୍ଧାନ କୁଆଡ଼େ ସରକାର ପାଇଥିଲେ । ଏଥିରୁ କୁଆଡ଼େ ଜଣାଯାଉଥିଲା ଯେ, ୧୮୬୨ରେ ସୁରେନ୍ଦ୍ରଙ୍କର ଆତ୍ମସମର୍ପଣ ଏକ ଧୂଆଁବାଣ ମାତ୍ର ।

 

୧୮୬୩ର ଶେଷଆଡ଼କୁ ଉଚ୍ଚସରକାରୀ ହାକିମମାନେ ଦେଖିଲେ ଯେ ପୂର୍ବେ ଯେଉଁ କୋହଳ ନୀତି ଅବଲମ୍ବନ କରାଯାଇଥିଲା ତାହା ଭୁଲ । ବିଦ୍ରୋହୀମାନଙ୍କ ପ୍ରତି ଯଦି କଠୋର ନୀତି ଅବଲମ୍ବନ କରାଯାଇଥାଆନ୍ତା ତାହାହେଲେ ପୁନର୍ବାର ଅଶାନ୍ତିର ସମ୍ମୁଖୀନ ହେବାପାଇଁ ପଡ଼ିନଥାଆନ୍ତା । ଆଉ କାଳ ବିଳମ୍ବ ନକରି ସୁରେନ୍ଦ୍ର ଓ ତାଙ୍କ ଅନୁଚରମାନଙ୍କୁ ଗିରଫ କରିବାପାଇଁ ସରକାରୀ ହାକିମମାନେ ଉଦ୍ୟମ କଲେ ।

 

ସୁରେନ୍ଦ୍ର ପ୍ରଭୃତି ଗିରଫ

 

୧୮୬୪ରେ ମେଜର କମ୍ବରଲେଜ୍ ସମ୍ବଲପୁରକୁ ଡେପୁଟି କମିସନର ହୋଇଆସିଲେ-। ଜିଲ୍ଲାର ଦୁଇଜଣ ଉଚ୍ଚ ପୋଲିସ କର୍ମଚାରୀ ଷ୍ଟୁଆର୍ଟ ଓ ବେରିଲ୍‌ଙ୍କର ସୁରେନ୍ଦ୍ରଙ୍କ ସମ୍ବନ୍ଧରେ ଭଲଧାରଣା ନଥିଲା । ସେମାନେ କହୁଥିଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯେଉଁ ଅଶାନ୍ତି ହେଉଛି ତାହାର ମୂଳରେ ସୁରେନ୍ଦ୍ର ନିଶ୍ଚୟ ଅଛନ୍ତି; ପ୍ରତ୍ୟକ୍ଷ ଓ ପରୋକ୍ଷରେ ସେ କୌଶଳ କରି ବିଦ୍ରୋହୀମାନଙ୍କ ସହିତ ଯୋଗ ଦେଉଛନ୍ତି । ପୂର୍ବର ଜିଲ୍ଲା କମିସନର ମେଜର ଇମ୍ପି ସୁରେନ୍ଦ୍ରଙ୍କୁ ନିର୍ଦ୍ଦୋଷ ମନେକରି ତାଙ୍କ ପ୍ରତି କୋହଳ ନୀତି ଧରିବାରୁ ଏହିସବୁ ଅନର୍ଥ ଘଟୁଛି । ସୁରେନ୍ଦ୍ର ଉପରେ ନିର୍ଲିପ୍ତ ବୋଲି ପରିଚୟ ଦେଇ ଭିତରେ ଭିତରେ ବହୁତ ଅଶାନ୍ତି ସୃଷ୍ଟି କରୁଛନ୍ତି । କମ୍ବରଲେଜ୍ ଆସିବାପରେ ଏହି ଦୁଇଜଣ ପୋଲିସ ଅଫିସର ସୁରେନ୍ଦ୍ରଙ୍କୁ ଧରିବା ସପକ୍ଷରେ ଯୁକ୍ତି କଲେ । ସରକାର ଏଥିରେ ରାଜିହେବାରୁ ସୁରେନ୍ଦ୍ର ଓ ତାଙ୍କ କୁଟୁମ୍ବର ଲୋକଙ୍କୁ ଧରିବା ପାଇଁ ପୁଣି ଉଦ୍ୟମ ହେଲା । ସୁରେନ୍ଦ୍ର ଓ ତାଙ୍କ ଦୁଇଭାଇ ଧ୍ରୁବ ଓ ମେଦିନୀ, ଖଗେଶ୍ୱର ଦାଓ ଓ ତାଙ୍କ ଦୁଇ ଭାଇ, ଲୋକନାଥ ପଣ୍ଡା, ଧରଣୀ ମିଶ୍ର, ଶ୍ରଦ୍ଧାଙ୍କର ମଲ୍ଲିକ, ମିତ୍ରଭାନୁ ପ୍ରଭୃତିଙ୍କୁ ଧରିବାପାଇଁ ପରିକଳ୍ପନା ପ୍ରସ୍ତୁତ ହେଲା । ସେତେବେଳେ ମିତ୍ରଭାନୁ ତାଙ୍କ ଶଶୁର ବଣାଇର ରାଜାଙ୍କଠାକୁ ଯାଇଥିଲେ । ସେ ସମ୍ବଲପୁର ଫେରିଲେ ପରିକଳ୍ପନା କାର୍ଯ୍ୟକାରୀ କରିବା ସ୍ଥିର ହେଲା । ୧୮୬୪ ଜାନୁଆରୀ ତା ୨୨ରିଖରେ ମିତ୍ରଭାନୁ ସମ୍ବଲପୁରକୁ ଫେରିବାରୁ ସରକାର ତରଫରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା ।

 

ସେତେବେଳକୁ ମିତ୍ରଭାନୁ ବଡ଼ଗାଁରେ ଥିଲେ । ଧ୍ରୁବ ସାଏ ତାଙ୍କ ପରିବାରଙ୍କୁ ଧରି ତୁବ୍‌ଲାରେ ରହୁଥିଲେ । ତୁଲାବ୍‌ରେ ମେଦିନୀ ସାଏ ଓ ତାଙ୍କ ପରିବାର ବାସ କରୁଥିଲେ । ବାମଣ୍ଡାରେ ଖଗେଶ୍ୱର ରହୁଥିଲେ । ପୌଷ ପୂର୍ଣ୍ଣମୀ ଦିନ ଓଡ଼ିଶାରେ ସର୍ବତ୍ର ପୁଷ୍ୟାଭିଷେକ ପର୍ବ ପାଳିତ ହୁଏ । ଲୋକେ ଆନନ୍ଦରେ ସେ ଦିନଟି କଟାନ୍ତି । କେତେକ ଅନୁନ୍ନତ ଶ୍ରେଣୀର ଲୋକ ମଦିରାଦି ପାନକରି ନୃତ୍ୟଗୀତାଦିରେ ସମୟ କଟାନ୍ତି । ସରକାର ମୋହନ ସିଂହ ଓ ଦୟାନିଧି ମେହର ନାମରେ ଦୁଇଜଣ ଗୁପ୍ତଚରଙ୍କୁ ବିଦ୍ରୋହର ସମ୍ବାଦ ସଂଗ୍ରହ କରିବାପାଇଁ ନିଯୁକ୍ତ କରିଥିଲେ-। ଏମାନେ ପୋଲିସଙ୍କୁ ବିଦ୍ରୋହୀମାନଙ୍କ ଅବସ୍ଥାନ ସମ୍ବନ୍ଧରେ ଖବର ଦେଲେ । ପୌର୍ଣ୍ଣମୀ ଦିନ ସୁରେନ୍ଦ୍ରାଦି ଆମୋଦ ପ୍ରମୋଦରେ କାଳଯାପନ କରୁଥିଲେ ଏବଂ ଏହି ସମୟରେ ଅତର୍କିତ ଭାବରେ ସେମାନଙ୍କ ଉପରେ ଆକ୍ରମଣ କଲେ ସହଜରେ ସେମାନଙ୍କୁ ଧରିହେବ ଏହି ଭାବନାରେ ସରକାରୀ ଦଳ ସମ୍ବଲପୁରରୁ ରାତିରେ ବାହାରିବା ସ୍ଥିର କଲେ । ଡେପୁଟି କମିସନରଙ୍କ ଘରେ ଷ୍ଟୁଆର୍ଟ ବେରିଲ୍‌ଙ୍କ ସହ ଦୁଇଜଣ ଇଂରେଜ ଅଧିବାସୀ ଓ ଇଂରେଜ ସିଭିଲ ସର୍ଜନ ଡାକ୍ତର ଗ୍ରାସ୍ ମୋହନ ସିଂହ ଓ ଅଳ୍ପ କେତେଜଣ ବିଶ୍ୱସ୍ତ ସିପାହୀ ଜାନୁଆରୀ ତା ୨୩ରିଖ ରାତିରେ ସମ୍ମିଳିତ ହେଲେ । ସେଠାରୁ ଅତି ଗୁପ୍ତରେ ରାତି ୧୦ଟା ସମୟରେ ନଦୀ କୂଳେ କୂଳେ ବଡ଼ଗାଁ ଦିଗରେ ଅଗ୍ରସର ହେଲେ । ଅଳ୍ପ ସମୟ ମଧ୍ୟରେ ସେଠାରେ ପହଞ୍ଚି ସେମାନେ ଅତର୍କିତ ଭାବରେ ସୁରେନ୍ଦ୍ରଙ୍କ ଘର ଘେରାଉ କରି ମିତ୍ରଭାନୁଙ୍କୁ ଧରିନେଲେ । ସେତେବେଳେ ସୁରେନ୍ଦ୍ର ସେଠାରେ ନ ଥିଲେ । ସୁରେନ୍ଦ୍ରଙ୍କ ବିଶ୍ୱସ୍ତ କର୍ମୀ ଓ ପରାମର୍ଶଦାତା ଧରଣୀ ମିଶ୍ରଙ୍କୁ ମଧ୍ୟ ଗିରଫ କରିନେଲେ । ଗୃହର ସମସ୍ତଙ୍କୁ ଗୃହ ଭିତରେ ଅଟକ କରି ରଖିଲେ । ଏମାନେ ପାଟିତୁଣ୍ଡ କଲେ ଅନ୍ୟମାନେ ଖସି ପଳାଇବେ ଏଥିପାଇଁ ଏହି ବ୍ୟବସ୍ଥା ହୋଇଥିଲା । ସେଠାରୁ ଡାକ୍ତର ଗ୍ରାସ୍‌ଙ୍କ ନେତୃତ୍ୱରେ ଦଳେ ସିପାହୀଙ୍କୁ ଲୋକନାଥ ପଣ୍ଡାଙ୍କୁ ଧରିବାପାଇଁ ପଠାଗଲା । ବଡ଼ଗାଁଠାରୁ ତଲାବ୍ ଗ୍ରାମଟି ସାତ ମାଇଲ ଦୂର । ବେରିଲ୍ ଓ ଷ୍ଟୁଆର୍ଟଙ୍କ ନେତୃତ୍ୱରେ ଦଳେ ସିପାହୀ ତଲାବରେ ରାତି ଅଧବେଳେ ପହଞ୍ଚି ଉଦ୍‌ବନ୍ତ ଓ ମେଦିନୀ ସାଏଙ୍କୁ ଧରିନେଲେ । ଏଠାରୁ ପାଞ୍ଚ ମାଇଲ ଦୂରରେ ଥିବା ତବଲା ଗ୍ରାମରେ ପହଞ୍ଚି ଧ୍ରୁବସାଏ ଓ ତାଙ୍କର ପୁତ୍ରମାନଙ୍କୁ ଧରିନେଲେ । କମ୍ବରଲେଜ୍ ଓ ବେରିଲ୍ ଦଳେ ସିପାହୀଙ୍କୁ ଧରି ରାତାରାତି ବୋଣ୍ଡାଆଡ଼େ ଦୌଡ଼ିଲେ । ପ୍ରତ୍ୟୁଷରେ ସେଠାରେ ପହଞ୍ଚି ଖଗେଶ୍ୱର ଓ ତାଙ୍କ ଭାଇମାନଙ୍କୁ ଧରିନେଲେ । ସୁରେନ୍ଦ୍ରଙ୍କ ଘର ତଲାସ କରି କେତେକ କାଗଜପତ୍ର ଜବତ କଲେ ଏବଂ ଖଗେଶ୍ୱର ଦାଓଙ୍କ ଘରୁ କେତେଗୋଟି ଖଣ୍ଡା ଓ କେତେକ ତୋପରମସଲା ଜିନିଷ ପାଇଲେ । ସୁରେନ୍ଦ୍ରଙ୍କୁ ତୁବଲାଠାରେ ଗିରଫ କରିଥିବାର ହିଁ ଅନୁମାନ ହୁଏ-। ସେହିମାସ ତା୨୬ରିଖ ଦିନ ଏହି ୧୫ଜଣ ସୁରେନ୍ଦ୍ର, ଧ୍ରୁବ, ମେଦିନୀ, ଉଦ୍‌ବନ୍ତ, ମିତ୍ରଭାନୁ, ଧ୍ରୁବଙ୍କ ଚାରିପୁଅ, ଖଗେଶ୍ୱର ଓ ତାଙ୍କର ଦୁଇଭାଇ, ଲୋକନାଥ ପଣ୍ଡା, ଧରଣୀ ମିଶ୍ର ଓ ଶ୍ରଦ୍ଧାକର ମଲ୍ଲିକଙ୍କୁ ରାୟପୁରକୁ ସୈନ୍ୟପହରା ଦେଇ ପଠାଗଲା ଏବଂ ସେଠାରେ ଏମାନଙ୍କ ବିରୁଦ୍ଧରେ ହୋଇଥିବା ମୋକଦ୍ଦମାର ବିଚାର ହେବାର ସ୍ଥିର ହେଲା ।

ଏହାପରେ କୁଞ୍ଜଲ ସିଂହଙ୍କ ଭାଇ ହାତୀ ସିଂହଙ୍କୁ ବିଦ୍ରୋହୀ ଭାଇଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଗିରଫ କରାଗଲା ।

ସମ୍ବଲପୁର ଓଡ଼ିଶା ଅଧୀନରେ ଥିବା ପର୍ଯ୍ୟନ୍ତ ଓଡ଼ିଶା ଅଫିସରମାନେ ମିଳାମିଶା ନୀତିକୁ ଅବଲମ୍ବନ କରିଥିବାରୁ ସୁରେନ୍ଦ୍ରଙ୍କ ପ୍ରତି କଠୋର ବ୍ୟବହାର ହେଉନଥିଲା । ମଧ୍ୟପ୍ରଦେଶ ସହିତ ୧୮୬୩ରେ ମିଶିଯିବା ପରେ ସେଠାର ହାକିମମାନେ ଓଡ଼ିଶା ହାକିମମାନଙ୍କ ନୀତିକୁ ବଦଳାଇ ଦେଲେ ଏବଂ କଠୋର ନୀତି ଅବଲମ୍ବନ କଲେ । ଏହାଦ୍ୱାରା ସେମାନେ ଜିଲ୍ଲାରେ ଅତି ଅଳ୍ପକାଳ ମଧ୍ୟରେ ଶାନ୍ତି ଆଣିପାରିଲେ ବୋଲି ସରକାର ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ।

ସୁରେନ୍ଦ୍ର ପ୍ରଭୃତି ଗିରଫ ହେବାପରେ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଜଗବନ୍ଧୁ ହୋତା ଓ ପପନାଥ ଗୁରୁ ଗିରଫ ହେଲେ ଏବଂ ସେମାନଙ୍କୁ ମଧ୍ୟ ବିଚାର ପାଇଁ ରାୟପୁରକୁ ସରକାର ପଠାଇଦେଲେ ।

 

କୁଞ୍ଜଲ ସିଂହଙ୍କୁ ଧରିବା ପାଇଁ ସରକାର ଉଦ୍ୟମ କଲେ । କିନ୍ତୁ ଏଥିରେ ସଫଳ ହୋଇପାରିଲେ । ତାଙ୍କ ଭାଇ ହାତୀ ସିଂହ (ହଟେ ସିଂହ)କୁ ପୋଲିସ ଗିରଫ କଲେ ଏବଂ ସେ ନିଜ ଭାଇଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ମୋକଦ୍ଦମା ହେଲା ।

 

ତଳ କୋର୍ଟରେ ବିଭିନ୍ନ ବିଚାର ଓ ଦଣ୍ଡ, ରାଜଦ୍ରୋହ, ଦଙ୍ଗାହେଙ୍ଗାମା, ଲୁଟତରାଜ, ନରହତ୍ୟା ପ୍ରଭୃତି ଅଭିଯୋଗକୁ ଏକତ୍ର କରି ଏହିପରି ତିନିଭାଗରେ ମୋଟାମୋଟି ଅଭିଯୋଗ ହେଲା ।

 

(୧) ୧୮୬୨ ଡିସେମ୍ବରଠାରୁ ୧୮୬୪ ଜାନୁଆରୀ ପର୍ଯ୍ୟନ୍ତ ଏହି ସମୟ ଭିତରେ ଏବଂ ଏହା ପୂର୍ବରୁ ଇଂରେଜ ରାଜତ୍ୱ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆୟୋଜନ କରୁଥିଲେ । ଭାରତୀୟ ପିନାଲ କୋଡ଼ର ୧୦୯ଧାରା ଅନୁସାରେ ଅଭିଯୋଗ ହେଲା ।

 

(୨) ଉପରୋକ୍ତ ଅପରାଧରେ ସହଯୋଗ କରିଥିବା ଅଭିଯୋଗ ୧୦୯, ୧୨୩ ଦଫା ପେନାଲ କୋଡ଼ ।

 

(୩) ଇଂରେଜ ରାଜତ୍ୱ ବିରୁଦ୍ଧରେ ଯୁଦ୍ଧ କରିବା ଆୟୋଜନକୁ ଗୋପନ ରଖିବା ଅଭିଯୋଗ ।

 

ଏହି ସମ୍ପର୍କରେ ପୋଲିସ ତରଫରୁ ବହୁ ସାକ୍ଷ୍ୟ ସଂଗ୍ରହକରି ଦାଖଲ କରାଯାଇଥିଲା । ସୁରେନ୍ଦ୍ରଙ୍କ ଦସ୍ତଖତ ଥିବା କେତେକ ଚିଠିପତ୍ର ମଧ୍ୟ ଦାଖଲ ହୋଇଥିଲା । ରାୟପୁରର ଡେପୁଟି କମିଶନର କାପ୍‌ଟେନ୍‌ ଏଫ୍‌. ଏ ଫଙ୍କସନ୍ (Captain; F: A: Function) ବିଚାର କରି ସୁରେନ୍ଦ୍ର, ଉଦ୍‍ବନ୍ତ ଓ ଖଗେଶ୍ଵରଙ୍କୁ ପ୍ରଥମ ଦଫାରେ ଦୋଷୀ ସାବ୍ୟସ୍ତ କଲେ ଏବଂ ସେମାନଙ୍କୁ ଯାବଜ୍ଜୀବନ ଦେଶାନ୍ତର ଓ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ଦଣ୍ଡ ଦେଲେ । ଧ୍ରୁବ, ମେଦିନୀ, ଲୋକନାଥ, ଶ୍ରଦ୍ଧାକର, ମୃତ୍ୟୁଞ୍ଜୟ, ଜଗବନ୍ଧୁଙ୍କୁ ୨ୟ ଓ ୩ୟ ଦଫାରେ ଦୋଷୀ ସାବ୍ୟସ୍ତ କରି ସୁରେନ୍ଦ୍ରଙ୍କ ଭଳି ଦଣ୍ଡ ବିଧାନ କଲେ । ଧରଣୀ ମିଶ୍ର, ପଦନାଥ ଗୁରୁ, ମୋହନ ଦାଓ, ମୀନକେତନଙ୍କୁ ୩ୟ ଦଫାରେ ଦୋଷୀ କରି ସାତବର୍ଷ ଦେଶାନ୍ତର ଦଣ୍ଡ ଦେଲେ । ୧୮୬୪ ଜୁନ୍ ତା ୨୪ ରିଖରେ ଏହି ରାୟ ଦିଆଯାଇଥିଲା ।

 

ଆସାମୀମାନେ ମଧ୍ୟପ୍ରଦେଶର ଜୁଡ଼ିସିଆଲ୍‌ କମିସନର ଜନ୍ ସ୍କାର୍‌ଲେଟ୍‌ କେମ୍ପବେଲ୍ (John Scarlett Campbell)ଙ୍କଠାରେ ଅପିଲ କଲେ ଏବଂ ଏହି ହାକିମ ୧୮୬୪ ଅଗଷ୍ଟରେ ଅପିଲର ରାୟ ଦେଲେ । ତଳ କୋର୍ଟର ରାୟକୁ କାଏମ ନ କରି ଆସାମୀମାନଙ୍କୁ ସବୁଦଫାରେ ନିର୍ଦ୍ଦୋଷ ବୋଲି ଘୋଷଣା କଲେ । ପୋଲିସଙ୍କ ସବୁ ପ୍ରମାଣକୁ ଅଗ୍ରାହ୍ୟ କରିଦେଲେ; କିନ୍ତୁ ଆସାମୀମାନେ ପ୍ରଭାବଶାଳୀ ଲୋକ ଥିବାରୁ ଏବଂ ଜିଲ୍ଲାରେ ଘନ ଘନ ଅଶାନ୍ତି ଘଟୁଥିବାରୁ ଶାନ୍ତି ଓ ଶୃଙ୍ଖଳା ପ୍ରତିଷ୍ଠା ପାଇଁ ସୁରେନ୍ଦ୍ର, ଉଦ୍‌ବନ୍ତ, ଧ୍ରୁବ, ମେଦିନୀ, ମିତ୍ରଭାନୁ; ଖଗେଶ୍ୱରଙ୍କୁ ୧୮୧୮ର ୩ୟ ନମ୍ବର ରେଗୁଲେସନ ଅନୁସାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଅଟକ ରାଜବନ୍ଦୀ ରୂପେ ରଖିଲେ ଏବଂ ଅନ୍ୟମାନଙ୍କୁ ଖଲାସ କରିଦେଲେ । ସୁରେନ୍ଦ୍ର ପ୍ରଭୃତିଙ୍କୁ ୧୮୬୩ରେ ଯେଉଁ ପେନ୍‌ସନ ଦିଆଯାଇଥିଲା ତାହା ରଦ୍ କରି ଦିଆଗଲା । ପୋଲିସ ଅଶାନ୍ତି ଓ ଲୁଟତରାଜକୁ ବନ୍ଦ କରିବାରେ ଅପାରଗ ହେବାରୁ ନିଜ ଦୋଷ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ଅଯଥା ଅନେକଗୁଡ଼ିଏ ମିଛପ୍ରମାଣ ଯୋଗାଡ଼ କରିଛନ୍ତି ବୋଲି ହାକିମ ମତ ଦେଇଛନ୍ତି ।

 

ସୁରେନ୍ଦ୍ର ପ୍ରଭୃତିଙ୍କୁ ପ୍ରଥମେ ରାୟପୁର ଜେଲ୍‍ରେ ଅଟକ ବନ୍ଦକରି ରଖାଗଲା । ରାୟପୁର ନିକଟସ୍ଥ ଅଞ୍ଚଳରେ ସାଏଙ୍କର ମଧ୍ୟ ପ୍ରଭାବ ଥିବାରୁ ଭବିଷ୍ୟତ ଅଶାନ୍ତି ଆଶଙ୍କାରେ ୧୮୭୪ ନଭେମ୍ବର ତା ୧୯ରିଖରେ ସେମାନଙ୍କୁ ନାଗପୁରକୁ ବଦଳି କରାଗଲା । ସହର ନିକଟସ୍ଥ ଆସିର୍‌ଗଡ଼ ଦୁର୍ଗରେ ଏମାନଙ୍କୁ ୧୮୬୬ରେ ସ୍ଥାୟୀ ଭାବରେ ରଖାଗଲା ।

☆☆☆

 

ଏକାଦଶ ଅଧ୍ୟାୟ

ବିଦ୍ରୋହ ବ୍ୟାପିବାର କାରଣ

 

୧୮୨୭ରେ ମହାରାଜ ସାଏଙ୍କର ମୃତ୍ୟୁ ସରିକି ସମ୍ବଲପୁରର ସାଧାରଣ ଶାସନର ଅବସ୍ଥା ସେତେ ଭଲ ନ ଥିଲା । ପ୍ରଜାମାନେ ଗରିବ ଥିଲେ; ଗୌନ୍ତିଆ ଓ ଅନ୍ୟାନ୍ୟ ଶ୍ରେଣୀର ଜମିଦାର, ଧନୀ ଓ ପ୍ରଭାବଶାଳୀ ଲୋକେ ରାଜା ଓ ନଅରର ମୁଖିଆ ଲୋକଙ୍କୁ ହାତକରି ନାନା ପ୍ରକାର ଅତ୍ୟାଚାର ଓ ଶୋଷଣ କରୁଥିଲେ । ବେଠିବେଗାଡ଼ି, ମାଗଣ, ଶୋଷଣ ଶାସନକୁ କଳୁଷିତ କରିଦେଇଥିଲା । ରାଜାଙ୍କୁ ସନ୍ତୁଷ୍ଟ କରିପାରିଲେ ଯେ କେହି ଲୋକ ଅଳ୍ପ ସମୟ ମଧ୍ୟରେ ବହୁ ଜମି, ଜମିଦାରୀ ଓ ଧନସମ୍ପତ୍ତି ସଂଗ୍ରହ କରିପାରୁଥିଲା । ଜୋର ଯାର ମୁଲକ ତାର ନୀତିହିଁ ଚଳୁଥିଲା । ଏହା ଯେ କେବଳ ଏହି ରାଜାଙ୍କର ଅମଳର ବିଶେଷତ୍ୱ ଏହା ନୁହେଁ । ଦେଶରେ ସାଧାରଣ ଭାବରେ ଗଡ଼ଜାତମାନଙ୍କରେ ଏହି ରୀତିହିଁ ଦେଖାଯାଉଥିଲା । ଗଡ଼ଜାତ ରାଜାମାନେ ପୂର୍ବର ସ୍ୱାଧୀନତା ହରାଇଥିବାରୁ ପ୍ରଜାଙ୍କ ପ୍ରତି ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲିଯାଇଥିଲେ । କେବଳ ଖଜଣା ଆଦାୟକରି ଲୋକ ଦେଖାଣିଆ ଭାବରେ ଶାସନର ଖୋଳକୁ ରକ୍ଷା କରୁଥିଲେ । ପ୍ରଜାମାନଙ୍କର ସମୁହ ଉନ୍ନତି ପ୍ରତି ଦୃଷ୍ଟି ଦେବା କର୍ତ୍ତବ୍ୟ ବୋଲି ଅନେକ ରାଜା ଉପଲବ୍‌ଧି କରୁନଥିଲେ । ଫଳରେ ଦେଶରେ ଦାରିଦ୍ର୍ୟ, ଅଶିକ୍ଷା, ଅତ୍ୟାଚାର ଓ ଭୟର ରାଜତ୍ୱ ହିଁ ଦେଖାଯାଇଥିଲା ।

 

କେହି କେହି କହନ୍ତି, ନାରାୟଣ ସିଂହ ରାଜା ମହାରାଜା ସାଏଙ୍କ ନଅର ଭିତରେ ଜଣେ ବ୍ୟବହର୍ତ୍ତା ଥିଲେ । ତାଙ୍କର ବୟସ ମଧ୍ୟ ବେଶୀ ହୋଇଯାଇଥିଲା । ସେ ମଧ୍ୟ ଅପୁତ୍ରିକ ଥିଲେ । ଶାସନ ପରିଚାଳନା କରିବା ପାଇଁ ତାଙ୍କର ଯୋଗ୍ୟତା ନ ଥିଲା । କୁଆଡ଼େ ସେ ନିଜେ ରାଜସିଂହାସନରେ ବସିବା ପାଇଁ ଅମଙ୍ଗ ଥିଲେ । କିନ୍ତୁ ତାଙ୍କୁ ନାମକୁ ମାତ୍ର ରାଜା କରି ବସାଇ ଦେଲେ ଦେଶରେ ଅଶାନ୍ତି ଘଟିବ ନାହିଁ, ଏହି ଆଶାରେ ସରକାର ତାଙ୍କୁ ମନୋନୀତ କରିଥିଲେ । ଫଳରେ ସରକାରଙ୍କ ଏହି ଆଶା ସଫଳ ହେଲା ନାହିଁ । ରାଜା ଅପାରଗ ଥିବାରୁ ତାଙ୍କର ପାତ୍ରମନ୍ତ୍ରୀମାନେ ପୂର୍ବପରି ଶାସନରେ ଯଥେଚ୍ଛାଚାରିତା ଦେଖାଇଲେ । ଗୌନ୍ତିଆ ଓ ଜାଗିରିଦାରମାନେ ପ୍ରଜାଙ୍କ ଉପରେ ନାନାପ୍ରକାର ଅତ୍ୟାଚାର କରି ନାନାଭାବରେ ଧନ ଶୋଷଣ କରିବାକୁ ଲାଗିଲେ । ରାଜା ଓ ରାଜ କର୍ମଚାରୀମାନଙ୍କର ପ୍ରିୟପାତ୍ରମାନେ ଛୋଟ ଛୋଟ ଗୌନ୍ତିଆ, ଜାଗିରିଦାର ଓ ପ୍ରଜାଙ୍କ ଉପରେ ଅତ୍ୟାଚର କଲେ । ନଜରାନା, ବେଠି, ମାଗଣ, ଶୋଷଣ, ପେଷଣର ସ୍ରୋତ ଚାଲିଲା । ପ୍ରଜାମାନେ ନିର୍ଦ୍ଧାରିତ ରାଜସ୍ୱର ପ୍ରାୟ ପାଞ୍ଚ ଛଅ ଗୁଣ ଅଧିକ ଦେଉଥିଲେ । ରାଜାଙ୍କ ରାଜସ୍ୱ ମଧ୍ୟ ଅତ୍ୟଧିକ ପରିମାଣରେ ବୃଦ୍ଧି ପାଇଲା । ଲୋକେ କର ଭାରରେ ପେଷି ହୋଇଗଲେ । ରାଜକୋଷକୁ ପୂର୍ବରୁ ବାର୍ଷିକ ଆୟ ଚାରିଲକ୍ଷ ଟଙ୍କା ଆସୁଥିଲା । ଏହା ଅତି ମାତ୍ରାରେ ବୃଦ୍ଧି ପାଇ ପ୍ରାୟ ସାତଲକ୍ଷ ହେଲା । ଏହାଛଡ଼ା ବହୁ ମୂଲ୍ୟବାନ ହୀରା ମଧ୍ୟ ରାଜକୋଷକୁ ଆସୁଥିଲା । ହୀରାକୁଦରୁ ବଡ଼ ଯେଉଁ ବିଂଝାଲ୍‌ ଓ ଗଣ୍ଡ ଜମିଦାରମାନଙ୍କର ଜମି ଓ ଜାଗିରି ରାଣୀ ମୋହନକୁମାରୀ ଓ ନାରାୟଣ ସିଂହ ବିଦ୍ୱେଷ ଭାବ ପୋଷଣ କରି ବାଜ୍ୟାପ୍ତି କରିନେଇଥିଲେ ସେମାନେ ରାଜାଙ୍କ ବିରୁଦ୍ଧରେ ହେଉଥିବା ମେଳିରେ ଯୋଗ ଦେବାପାଇଁ ଦ୍ୱିଧା ବୋଧ କଲେ ନାହିଁ । ଇଂରେଜ ସରକାର ରାଜାଙ୍କୁ ସମର୍ଥନ କରୁଥିବାରୁ ସେମାନେ ଇଂରେଜ ରାଜତ୍ୱ ପ୍ରତି ମଧ୍ୟ ବିଦ୍ୱେଷ ଭାବ ପୋଷଣ କରୁଥିଲେ । ଏହି ଅତ୍ୟାଚାରିତ, ଲୁଣ୍ଠିତ ଓ ଶୋଷିତ ଜମିଦାରମାନଙ୍କର ଅତି ଅନୁନ୍ନତ ଅବସ୍ଥାରେ ଥିବା ପ୍ରଜାମାନେ ସହଜରେ ଜମିଦାର ଭକ୍ତ ଥିଲେ । ସେମାନଙ୍କ ପ୍ରକୃତିର ଅନୁକୂଳ ବାତାବରଣ ସୃଷ୍ଟିକରି ସେମାନଙ୍କୁ ସହଜରେ ଉତ୍ତେଜିତ କରିପାରିବା ସମ୍ଭବ ଥିବାରୁ ଅତ୍ୟାଚାର ଓ ଅନ୍ୟାୟ ବିରୁଦ୍ଧରେ ସେମାନଙ୍କୁ ସଂଗଠିତ କରାଯାଇଥିଲା । ପ୍ରାଚୀନ ଜମିଦାର ଜାଗିରି ଫେରିପାଇଲେ ଏବଂ ନ୍ୟାୟ ବିଚାର ପାଇଲେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚର ଓ ସେମାନଙ୍କଠାରୁ ନିଆଯାଉଥିବା ଅତ୍ୟଧିକ କର ମାଗଣ ପ୍ରଭୃତି ଲୋପ ପାଇବ ବୋଲି ଗଣ୍ଡ ଓ ବିଂଝାଲ୍ ପ୍ରଜାମାନେ ଆଶା କରୁଥିଲେ; ଆର୍ଥିକ ଅବସ୍ଥାର ସ୍ୱଚ୍ଛଳତା ଆଶାକରି ସେମାନେ ଜମିଦାରମାନଙ୍କ ସପକ୍ଷରେ ରହିଥିଲେ ।

 

ମହାରାଜା ନାରାୟଣ ସିଂହଙ୍କର ୧୮୪୯ରେ ମୃତ୍ୟୁ ହେବାରୁ ଇଂରେଜ ସରକାର ତାଙ୍କ ପାଟରାଣୀ ମୁଖ୍ୟାପାନ ଦେବୀଙ୍କ ହସ୍ତରେ ସମ୍ବଲପୁର ରାଜଗୀର ରାଜତ୍ୱଭାର ଅର୍ପଣ କଲେ-। ରାଜାଙ୍କର ପୁତ୍ର ସନ୍ତାନ ନଥିବାରୁ ବଡ଼ଲାଟ ଲର୍ଡ଼ ଡେଲ୍‌ହାଉସିଙ୍କ ଦେଶୀୟରାଜ୍ୟ-ସତ୍ୱ-ଲୋପ ନୀତି ସମ୍ବଲପୁର ଗଡ଼ଜାତ ପ୍ରତି ଇଂରେଜ ସରକାର ପ୍ରୟୋଗ କଲେ । ଅପୁତ୍ରିକ ରାଜା ପୋଷ୍ୟପୁତ୍ର ଗ୍ରହଣ କରିବା ଇଚ୍ଛା ସରକାରଙ୍କୁ ଜଣାଇ ନଥିଲେ କି କାହାକୁ ସେ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିବେ ସେ କଥା ମଧ୍ୟ ପ୍ରକାଶ କରିନଥିଲେ । ନିଜ ରାଜ୍ୟ ଭିତରେ ନିଜ ସମ୍ପର୍କୀୟ ଲୋକଙ୍କ ଦ୍ୱାରା ଧାରାବାହିକ ରୂପେ ଅଶାନ୍ତି ଲାଗି ରହିଥିବାରୁ ସେ କୁଆଡ଼େ ପୋଷ୍ୟପୁତ୍ର ଗ୍ରହଣ ନ କରି ରାଜ୍ୟକୁ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନରେ ଛାଡ଼ି ଦେବାପାଇଁ ଆଗରୁ ସରକାରଙ୍କଠାରେ ଇଚ୍ଛାପ୍ରକାଶ କରିଥିଲେ । ରାଣୀ ମୁଖ୍ୟପାନ ଦେବୀ ପୋଷ୍ୟପୁତ୍ର ଗ୍ରହଣକରିବା ପ୍ରସ୍ତାବ ଉଠାଇବାକୁ ଅବସର ମଧ୍ୟ ପାଇନାହାନ୍ତି । ଇଂରେଜ ସରକାର ଡେଲ୍‌ ହାଉସୀଙ୍କ ଦେଶୀୟରାଜ୍ୟ-ସ୍ୱତ୍ୱ-ଲୋପ ନୀତି ଅନୁସାରେ ସମ୍ବଲପୁର ରାଜଗାଦିକୁ ଲୋପ କରି ରାଜ୍ୟକୁ ଖାସ୍‌ କରିଦେଲେ । ବଡଲାଟ୍‌ଙ୍କ ଏଜେଣ୍ଟ କ୍ରଫୋର୍ଡ଼ ସାହେବ ସମ୍ବଲପୁର ଖାସ୍ ହେବା ଘୋଷଣା କଲେ ଏବଂ ମୁନସି ପ୍ରସନ୍ନଲାଲ ଓ ରାୟ ରୂପ ସିଂହ ନାମକ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁର ଶାସନର ଦାୟିତ୍ୱ ନେବାପାଇଁ ପଠାଇଦେଲେ । ସାହେବ ନିଜେ ଖ୍ରୀ୧୮୪୯ ଡିସେମ୍ବର ମାସରେ ସମ୍ବଲପୁରରେ ପହଞ୍ଚିଲେ । ଅଶାନ୍ତିର ଆଶଙ୍କା କରି ଶାନ୍ତି ଓ ଶୃଙ୍ଖଳା ରକ୍ଷାକରିବା ନିମନ୍ତେ ରାମଗଡ଼ ବାଟାଲିଆନ୍‌ର ଗୋଟିଏ ରେଜିମେଣ୍ଟକୁ ସଙ୍ଗରେ ଧରି ଆସିଥିଲେ-। ଡାକ୍ତର ଜେ. କେଡେନ୍ ହେଡ଼ ମଧ୍ୟ ତାଙ୍କ ସଙ୍ଗରେ ଥିଲେ । ସମ୍ବଲପୁର ରାଜ୍ୟର କମିଶନର ବା ବଡ଼ଲାଟଙ୍କ ଏଜେଣ୍ଟ ରୂପେ କ୍ରଫୋର୍ଡ଼ (Crawford) ଦାୟିତ୍ୱଗ୍ରହଣ କଲେ ଏବଂ କେଡ଼େନ୍ ହେଡ଼୍ (Dr. J. cadenhead) ତାଙ୍କର ମୁଖ୍ୟ ସହକାରୀ (Principal Assistant) ଓ ରୂପ ସିଂହ ଦେଶୀୟ ସହକାରୀ (Native Assistant) ରୂପେ ନିଯୁକ୍ତ ହେଲେ । ରାଣୀ ମୁଖ୍ୟପାନ ଦେବୀଙ୍କୁ ମାସିକ ଶହେଟଙ୍କାର ପେନ୍‌ସନ୍ ଦେଇ କଟକରେ ଅବସ୍ଥାନ କରିବା ପାଇଁ ସମ୍ବଲପୁରରୁ ବିଦାୟ କରିଦେଲେ । ସମ୍ବଲପୁରର ଜନସାଧାରଣ ଶହ ଶହ ବର୍ଷ ହେଲା ପୁରୁଷାନୁକ୍ରମରେ ଯେଉଁ ରାଜତ୍ୱର ରୂପରେଖ ସହିତ ପରିଚିତ ଥିଲେ ତାହା ଏପରି କଠୋର ଓ ଅପ୍ରତ୍ୟାଶିତ ଭାବରେ ଇଂରେଜ ସରକାର ଲୋପ କରିଦେବାରୁ ସେମାନେ ଅସନ୍ତୋଷ ପ୍ରକାଶ କଲେ । ସମ୍ବଲପୁର ରାଜଗାଦି ରହୁ ଏବଂ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କୁ ଗାଦିରେ ବସାଇ ସୁଶାସନର ପ୍ରବର୍ତ୍ତନ କରାନ୍ତୁ, ଏହା ଇଂରେଜ ସରକାରଙ୍କଠାରୁ ଲୋକେ ଚାହୁଁଥିଲେ । ଦେଶୀୟ ରାଜାମାନଙ୍କ ଶାସନରେ ଲୋକେ ଯେ ସୁଖ ଶାନ୍ତିରେ ଥିଲେ, ଏହା କୁହାଯାଇପାରିବ ନାହିଁ । ତେବେ ନ୍ୟାୟ ବିଚାର ଓ ଆପତ୍ତି ଅଭିଯୋଗର ବିଚାର ବ୍ୟୟବହୁଳ ନଥିଲା ଏବଂ ଅଯଥା ବିଳମ୍ବ ମଧ୍ୟ ହେଉନଥିଲା । ଲୋକେ ମଧ୍ୟ ଗୋଟିଏ ପ୍ରକାର ଶାସନ ପଦ୍ଧତି ଏହି ଘନିଷ୍ଠ ଭାବରେ ବହୁ ଶତାବ୍ଦୀ ହେଲା ଧାରାବାହିକ ରୂପେ ପରିଚିତ ହୋଇ ଆସିଥିଲେ । ଏହା ହଠାତ୍‍ ଲୋପ ହୋଇଯିବାରୁ ସେମାନେ ବିଚଳିତ ହୋଇପଡ଼ିଲେ ।

 

ଇଂରେଜ ସରକାର ୧୮୪୯ରେ କମଳପୁରକୁ କରିଦେବାପରେ ନିଜ ପ୍ରତ୍ୟକ୍ଷ ଶାସନାଧିନରେ ରାଜ୍ୟଟିକୁ ଚଳାଇଲେ । ପ୍ରଥମ ଅବସ୍ଥାରେ ଇଂରେଜ ହାକିମମାନଙ୍କ ଶାସନ ପୂର୍ବ ରାଜାମାନଙ୍କର ଶାସନଠାରୁ କିଛି ଉନ୍ନତ ନଥିଲା । କରଭାର ଅତ୍ୟଧିକ ପରିମାଣରେ ବୃଦ୍ଧି ପାଇଲା । ସମ୍ବଲପୁରକୁ ନିଜ ହାତକୁ ନେବା ସଙ୍ଗେ ସଙ୍ଗେ ସରକାର ଜମିର ଖଜଣା ଟଙ୍କାକେ ଚାରିଅଣା ବୃଦ୍ଧି କରିଦେଲେ । ସବୁ ବାହେଲି ସମ୍ପତ୍ତିକୁ ବାଜ୍ୟାପ୍ତି କରିଦେଇ ଖଜଣା ଧାର୍ଯ୍ୟ କରିଦେଲେ । ଦେବୋତ୍ତର, ବ୍ରହ୍ମୋତ୍ତର ଓ ପୀରୋତ୍ତର ସମ୍ପତ୍ତି ମଧ୍ୟ ଏଥିରୁ ବାଦ୍‌ ପଡ଼ିଲା ନାହିଁ । ଲୋକେ ଯେଉଁସବୁ ଜାଗିରି ଶହ ଶହ ବର୍ଷ ହେଲା ପୁରୁଷାନୁକ୍ରମରେ ଭୋଗ ଦଖଲ କରି ଆସୁଥିଲେ ସେ ସବୁ ସରକାର ଉଠାଇଦେଇ ଅଧା ରେଟ୍‌ରେ ଖଜଣା ଧାର୍ଯ୍ୟ କରିଦେଲେ; ଜାଗିରିର ଉଦ୍ଦେଶ୍ୟ ଓ ସ୍ଥାୟିତ୍ୱର କାଳ ସମ୍ବନ୍ଧରେ ମଧ୍ୟ ଅନୁସନ୍ଧାନ କଲେନାହିଁ । ଏହାଦ୍ୱାରା ବହୁ ଜାଗିରିଦାର, ଗୌନ୍ତିଆ, ବ୍ରାହ୍ମଣ ପ୍ରଭୃତି କ୍ଷତିଗ୍ରସ୍ତ ହେଲେ । ଏମାନଙ୍କ ଭିତରେ ଅଶାନ୍ତି ମଧ୍ୟ ବୃଦ୍ଧି ପାଇଲା । ବିଶେଷତଃ ବ୍ରାହ୍ମଣମାନେ ଭୀଷଣ ଭାବରେ ବିଚଳିତ ହୋଇପଡ଼ିଲେ । ଏମାନେ ସଂଘବଦ୍ଧ ହୋଇ ରାଞ୍ଚି ଯାଇ ବଡ଼ଲାଟଙ୍କ ଏଜେଣ୍ଟଙ୍କଠାରେ ଆପତ୍ତି ଜଣାଇଲେ; କିନ୍ତୁ କିଛି ଫଳ ହେଲା ନାହିଁ । ସେମାନେ ନିରାଶ ହୋଇ ଫେରିବା ପରେ ସେମାନଙ୍କ ମନରେ ସରକାରଙ୍କ ପ୍ରତି ଘୃଣା-ଭାବ ଜାତ ହେଲା । ପୁଣି ୧୮୫୪ରେ ଜମାବନ୍ଦି ହୋଇ ଖଜଣା ଟଙ୍କାକେ ଚାରିଅଣା ଆଖିବୁଜା ବୃଦ୍ଧି କରାଗଲା । ଏଥିରେ ମଧ୍ୟ କୌଣସି ଅନୁସନ୍ଧାନ ହେଲାନାହିଁ କି ବିଧିବିଧାନ ରହିଲା ନାହିଁ । ଗ୍ରାମର ଖଜଣା ପାଞ୍ଚ ବର୍ଷ ଭିତରେ ପୁଣି ଟଙ୍କାକେ ଚାରିଅଣା ବୃଦ୍ଧି ପାଇବାରୁ ଲୋକେ ବିଚଳିତ ହୋଇପଡ଼ିଲେ । କର ଭାର ଅତ୍ୟଧିକ ହୋଇଯିବାରୁ ସବୁ ଶ୍ରେଣୀର ପ୍ରଜାମାନଙ୍କର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା । ଇଂରେଜ ସରକାର ସମ୍ବଲପୁରକୁ ଖାସ୍‌ କରିବା ପୂର୍ବରୁ ସେ ରାଜ୍ୟର ପେସକେଶ୍ ଥିଲା ବାର୍ଷିକ ଟ ୮୦୦୦; କିନ୍ତୁ ଇଂରେଜ ରାଜତ୍ୱର ପ୍ରଥମ ପାଞ୍ଚବର୍ଷ ଭିତରେ ରାଜସ୍ୱ ନଅଗୁଣ ବୃଦ୍ଧି ପାଇ ହେଲା ଟ ୭୪୦୦୦ ।

 

ଇଂରେଜମାନଙ୍କର ରାଜତ୍ୱରେ କର ଭାର ବୃଦ୍ଧି ଓ ନ୍ୟାୟ ବିଚାରର ଅଭାବ ଘଟିବା ଆଶଙ୍କା କରି ବହୁ ଜମିଦାର ଓ ବିଶିଷ୍ଟ ବ୍ୟକ୍ତି ଏହି ରାଜତ୍ୱର ଲୋପ କାମନା କରୁଥିଲେ । ସୁରେନ୍ଦ୍ର ବିଦ୍ରୋହ ଆରମ୍ଭ କରିଦେବା ସଙ୍ଗେ ସଙ୍ଗେ ଏମାନେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ତାଙ୍କ ସହିତ ଯୋଗ ଦେଲେ । ଯେଉଁମାନଙ୍କର କ୍ଷତି ଆର୍ଥିକ ବହୁତ ହୋଇଥିଲା ଏବଂ ନ୍ୟାୟ ବିଚାର ପାଇନଥିଲେ ସେମାନେ ପ୍ରତ୍ୟକ୍ଷ ଭାବରେ ଯୋଗଦେଲେ । ୧୮୫୭ର ବିଦ୍ରୋହ ଏହି କାରଣରୁ ଅତି ଭୟଙ୍କର ଆକାର ଧାରଣ କରିଥିଲା ।

 

ଅନ୍ୟାନ୍ୟ ଦଣ୍ଡିତ ବ୍ୟକ୍ତି

 

ସୁରେନ୍ଦ୍ର ସାଏଙ୍କ ବିଦ୍ରୋହରେ ପ୍ରତ୍ୟକ୍ଷ ବା ପରୋକ୍ଷଭାବରେ ସହଯୋଗ କରିଥିବା ଅଭିଯୋଗରେ ବହୁ ଜମିଦାର, ଗୌନ୍ତିଆ ଓ ସାଧାରଣ ଭଦ୍ରବ୍ୟକ୍ତି ଧନସମ୍ପତ୍ତି ହରାଇଲେ, କେତେକ ଜେଲ୍‌ ଗଲେ, କେତେକ ଫାଶୀ ଖୁଣ୍ଟରେ ଝୁଲିଲେ, କେତେକ ଯାବଜ୍ଜୀବନ ଅଟକବନ୍ଦୀ ହେଲେ, କେତେକ ଲୋକ ଅତ୍ୟାଚାରର ଶିକାର ହେଲେ । ଭେଡ଼େନର ଗଣ୍ଡ ଜମିଦାର ଇଂରେଜ ସେନାଙ୍କ ସହିତ ଯୁଦ୍ଧ କରି ଯୁଦ୍ଧ କ୍ଷେତ୍ରରେ ପ୍ରାଣ ହରାଇଥିଲେ । ଘେସ୍‌ର ବିଂଝାଲ୍‌ ଜମିଦାରଙ୍କ ଉପରେ ବହୁ ଅତ୍ୟାଚାର ହୋଇଥିଲା । ଏହାଙ୍କର କୁଟୁମ୍ବର ଜଣେ ପୁଅ ୧୮୬୪ରେ ନିର୍ବାସନ ଦଣ୍ଡ ଭୋଗ କରୁଥିବାବେଳେ ଜେଲ୍‌ରେ ପ୍ରାଣ ହରାଇଲେ । ତାଙ୍କ ପୁଅଙ୍କୁ ବିଦ୍ରୋହୀ ବୋଲି ସରକାର ଘୋଷଣା କରିଥିଲେ ଏବଂ ୧୮୬୫ରେ ନରହତ୍ୟା ଅଭିଯୋଗରେ ସେ ଫାଶୀ ପାଇଥିଲେ । ଖରସାଲର ଜମିଦାର ବିଦ୍ରୋହରେ ଯୋଗଦେଇ ଥିବାରୁ ଫାଶୀ ପାଇଥିଲେ । ଏପରି ବହୁ ବିଶିଷ୍ଟ ଜମିଦାର, ଗୌନ୍ତିଆ ଓ ସାଏ କୁଟୁମ୍ବର ଲୋକ ଦଣ୍ଡ ଭୋଗ କଲେ ।

 

ସାଏଙ୍କ ଶେଷ ଜୀବନ

 

ସୁରେନ୍ଦ୍ର, ଖଗେଶ୍ୱର ପ୍ରଭୃତିଙ୍କ ବିରୁଦ୍ଧରେ ହୋଇଥିବା ମୋକଦ୍ଦମା ପ୍ରମାଣିତ ହୋଇନପାରିବାରୁ ସରକାର ନୂତନ ପନ୍ଥା ବାହାର କଲେ । ନରହତ୍ୟା ଓ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା ପ୍ରଭୃତି ଅଭିଯୋଗ ପ୍ରମାଣିତ ହୋଇନପାରିବାରୁ ସରକାର ଏସବୁ ତ୍ୟାଗକରି ସମ୍ବଲପୁର ଜିଲ୍ଲାର ଶାନ୍ତି ଓ ଶୃଙ୍ଖଳା ରକ୍ଷା ବିଷୟ ଉପରେ ଜୋର ଦେଲେ । ଏମାନେ ମୁକ୍ତ ରହିଲେ ଜିଲ୍ଲାରେ ଶାନ୍ତି ଭଙ୍ଗର ସମ୍ଭାବନା ଅଧିକ ଥିବା ଏବଂ ଏମାନେ ଦୁର୍ଦ୍ଦାନ୍ତ ଲୋକ ଥିବା ଅଭିଯୋଗ କରି ସରକାର ଏମାନଙ୍କୁ ଅଟକ ବନ୍ଦୀକରି ରଖିଲେ ।

 

୧୮୬୪ ନଭେମ୍ବର ତା ୧୯ରିଖରେ ରାୟପୁରରୁ ସୁରେନ୍ଦ୍ର ସାଏ ପ୍ରଭୃତିଙ୍କୁ କଡ଼ା ସାମରିକ ପହରାରେ ନାଗପୁର ପଠାଗଲା । ପ୍ରଥମେ ସେମାନଙ୍କୁ ନାଗପୁର ସହରସ୍ଥ ସୀତାବାଲ୍‌ଦୀ ଦୁର୍ଗରେ ଅଟକ ବନ୍ଦୀକରି ରଖିବା ସ୍ଥିର ହୋଇଥିଲା । କିନ୍ତୁ ସେଠାରେ ସାମରିକ ଅଫିସରମାନେ ଆପତ୍ତି କଲେ ଯେ ଏମାନଙ୍କୁ ସେଠାରେ ରଖିଲେ ସିପାହୀମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟରେ ବାଧା ପଡ଼ିବ ଏମାନଙ୍କୁ ନବନିର୍ମିତ ପୋଲିସ ହାସପାତାଲରେ ରଖାଗଲା କିନ୍ତୁ ବନ୍ଦୀମାନଙ୍କୁ ରଖିବା ପାଇଁ ସ୍ଥାନଟି ଅନୁପଯୁକ୍ତ ଥିବାରୁ ସହର ନିକଟସ୍ଥ ଅସିରଗଡ଼ ଦୁର୍ଗରେ ସେମାନଙ୍କୁ ରଖାଗଲା ୧୮୬୬ର ପ୍ରଥମାର୍ଦ୍ଧରେ ସେମାନେ ସେଠାକୁ ଗଲେ । କୁଞ୍ଜଲ ସିଂହ ଓ ସାଲିକରାମ୍ ବରିହା ସମ୍ବଲପୁର ଜେଲ୍‌ରେ ଅଟକ ହୋଇ ରହିଲେ ।

 

ଅସିର୍‌ଗଡ଼ ଦୁର୍ଗରେ ଥିବାବେଳେ ୧୮୬୬ରେ ସାଏ ପ୍ରଭୃତି ସରକାରଙ୍କଠାରୁ ଯେଉଁ ପେନ୍‌ସନ୍ ପାଉଥିଲେ ତାର ପୁନର୍ବିଚାର ହୋଇଥିଲା । ମିତ୍ରଭାନୁଙ୍କୁ ପୂର୍ବରୁ ୧୮୬୨ରେ ମେଜର ଇମ୍ପି ସାହେବଙ୍କ ଅମଳରେ ଖିଣ୍ଡା ଗ୍ରାମଟି ମାଫି ସ୍ୱରୂପ ମିଳିଥିଲା । ସେତିକି କାଏମ୍‌ ରହିଲା । ତଲବ୍‌ ଓ ତୁବୁଲା ଉପରେ ସାଏଙ୍କ ଦାବିକୁ ଗ୍ରହଣ କରାଗଲା ନାହିଁ । ସାଏ ପରିବାର ବାର୍ଷିକ ମୋଟରେ ପ୍ରାୟ ଟ ୫୦୦୦ ପାଞ୍ଚ ହଜାର ଟଙ୍କା ପେନ୍‌ସନ୍ ପାଇବା କାଏମ୍ ହେଲା । ବୋଣ୍ଡାଗ୍ରାମ ଉପରେ ଖଗେଶ୍ୱରଙ୍କ ଦାବିକୁ ଅସ୍ୱୀକାର କରାଗଲା । ଲୋକନାଥ ପଣ୍ଡାଙ୍କ କୁଟୁମ୍ବଙ୍କ କିଛି ବ୍ୟବସ୍ଥା କରାଗଲା ନାହିଁ ।

 

୧୮୬୬ରେ ସୁରେନ୍ଦ୍ରାଦି ବନ୍ଦୀମାନେ ସେମାନଙ୍କ ଓକିଲ ଏମ୍‌.ଟି. ପିଅରସନ୍‌ଙ୍କ ଜରିଆରେ ଭାରତ ସରକାରଙ୍କଠାରେ ଆପତ୍ତି କଲେ ଯେ ସେମାନଙ୍କୁ କୌଣସି କାରଣ ନଜଣାଇ ଅଟକ ବନ୍ଦୀ କରିଥିବା ଅନ୍ୟାୟ; ଅତଏବ ସେମାନଙ୍କୁ ମୁକ୍ତ କରିଦିଆଯାଉ, କିନ୍ତୁ ସରକାର ଏହି ଆପତ୍ତି ଗ୍ରହଣ କଲେ ନାହିଁ । ଏହାପରେ ପ୍ରତି ପାଞ୍ଚ ବର୍ଷରେ ଥରେ ଥରେ ଏହି ଅଟକ ସମ୍ପର୍କରେ ସରକାର ଅନୁସନ୍ଧାନ କରିଥିଲେ । ସମ୍ବଲପୁରର ହାକିମ ଏମାନଙ୍କୁ ମୁକ୍ତ କରିବା ବିପକ୍ଷରେ ମତ ଦେବାରୁ ଏମାନେ ଅଟକ ହୋଇ ରହିଲେ । ୧୮୭୧ ଓ ୧୮୭୬ରେ ଅନୁସନ୍ଧାନ ହୋଇଥିଲା । ୧୮୭୭ରେ ଜାନୁଆରୀ ପହିଲାରେ ଧ୍ରୁବ ଓ ମିତ୍ରଭାନୁଙ୍କୁ କେତେକ ସର୍ତ୍ତରେ ଖଲାସ୍‌ କରିଦିଆଗଲା । ସେହିଦିନ ମହାରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ହେବା ଘୋଷଣା ହୋଇଥିବାରୁ ସେ ଉପଲକ୍ଷେ ଏମାନେ ଖଲାସ ହେଲେ । ମିତ୍ରଭାନୁଙ୍କୁ ସମ୍ବଲପୁର ଜିଲ୍ଲା ବାହାରେ ରହିବା ପାଇଁ ଆଦେଶ ହେଲା । ମିତ୍ରଭାନୁଙ୍କ ଶ୍ୱଶୁର ବଣାଇର ରାଜା ଟ ୫୦୦୦ (ପାଞ୍ଚ ହଜାର ଟଙ୍କା) ଜାମିନ୍‌ରେ ତାଙ୍କୁ ଆଣି ନିଜ ରାଜ୍ୟରେ ରଖିଲେ । ୧୯୦୭ରେ ମିତ୍ରଭାନୁ ଖିଣ୍ଡାକୁ ଫେରିବା ନିମନ୍ତେ ସରକାରଙ୍କଠାରୁ ଅନୁମତି ପାଇଲେ ।

 

ସୁରେନ୍ଦ୍ର ଅସିର୍‌ଗଡ଼ ଦୁର୍ଗରେ ଅସୁସ୍ଥ ହୋଇପଡ଼ିଲେ । ତାଙ୍କର ଦୃଷ୍ଟିଶକ୍ତି ଏକାବେଳକେ ଲୋପ ପାଇଗଲା । ୧୮୮୨ରେ ପ୍ରାୟ ୭୩ବର୍ଷ ବୟସରେ ସୁରେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା । (୧୮୬୪ବେଳକୁ ତାଙ୍କୁ ୫୫ ବର୍ଷ ଓ ମିତ୍ରଭାନୁଙ୍କୁ ୨୦ବର୍ଷ ହୋଇଥିବା ସରକାରୀ କାଗଜପତ୍ରରୁ ଜଣାଯାଏ ।)

 

ଜଣେ ବିଖ୍ୟାତ ବିଦ୍ରୋହୀ ବୀରଙ୍କ ଜୀବନର ଏହିପରି ଅବସାନ ହେଲା ।

Image